19/04/2025
ଆସନ୍ତା ମେ ୧ ତାରିଖ, ୨୦୨୫ ରୁ ଦେଶର ରାଜପଥ ଟୋଲ୍ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ମେ ୧ ତାରିଖରୁ ଫାସ୍ଟ୍ୟାଗ୍ ବ୍ୟବସ୍ଥାର ଅନ୍ତ ଘଟିପାରେ। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଅତି ଶୀଘ୍ର ଏକ ନୂତନ ଟୋଲ୍ ନୀତି ଆଣିବାକୁ ଯାଉଛନ୍ତି ଯାହା ଜିପିଏସ୍ ଆଧାରିତ ହେବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ଟୋଲ୍ ଆଦାୟ ପ୍ରକ୍ରିୟା ସହଜ, ସଠିକ୍ ଏବଂ ସ୍ୱଚ୍ଛ ହେବ।
ଏହି ନୂତନ ପ୍ରଣାଳୀ ଅନୁଯାୟୀ ଗାଡ଼ି ରାଜପଥରେ ଯେତେ ଦୂର ଯାତ୍ରା କରିବ, ସେହି ଅନୁସାରେ ଗାଡ଼ିକୁ ଟୋଲ୍ ଶୁଳ୍କ ଦେବାକୁ ପଡ଼ିବ। ଟୋଲ୍ ପ୍ଲାଜାରେ ଗାଡ଼ିକୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ଯାହା ଦ୍ୱାରା ଯାତ୍ରୀଙ୍କ ସମୟ ବଞ୍ଚିବ ଓ ଟ୍ରାଫିକ୍ ଜାମ୍ ମଧ୍ୟ ହ୍ରାସ ପାଇବ।
ଏହାର ଅନ୍ୟତମ ଲକ୍ଷ୍ୟ ହେଉଛି ରାଜପଥରେ ଯାତ୍ରାକୁ ସୁଗମ କରିବା ଓ ଟୋଲ୍ ଆଦାୟ ବ୍ୟବସ୍ଥାକୁ ଆଧୁନିକ ଏବଂ ସୁଦୃଢ଼ କରିବା। ପ୍ରଥମେ କେବଳ ବଡ଼ ଯାନବାହନ (ଯେପରିକି ଟ୍ରକ୍, ବସ୍) ଉପରେ ଏହା କାର୍ଯ୍ୟକାରୀ ହେବ, ତା’ପରେ ଧୀରେ ଧୀରେ ସମସ୍ତ ବ୍ୟକ୍ତିଗତ ଯାନ ଓ କାର ଉପରେ ଏହି ବ୍ୟବସ୍ଥା ଲାଗୁ କରାଯିବ। କିନ୍ତୁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଶୁକ୍ରବାର ଦିନ ସ୍ପଷ୍ଟ କରିଛି ଯେ ଉପଗ୍ରହ ଭିତ୍ତିକ ଟୋଲ ସିଷ୍ଟମ ଲାଗୁ କରିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।