22/07/2025
ବିଜେପି ସହ ସମସ୍ତେ ପାଣ୍ଡିଆନ୍ ଟ୍ରାପ୍ରେ !!!
ରାଜ୍ୟରେ ପାଣ୍ଡିଆନ୍ ଥିଲା ବେଳେ ବହୁତ କାମ ହେଉଥିଲା। କିଏ କହୁଥିଲା ଆମ ଗାଁରେ ଥିବା ମନ୍ଦିରକୁ ଚକାଚକ୍ କରିଦେଇଛି ତ ଆଉ କିଏ ଗାଁ ରାସ୍ତା ତ କିଏ ସ୍କୁଲ ଆଉ କିଏ ବସଷ୍ଟାଣ୍ଡ ଏମିତି କେତେ କଅଣ କଥା ଲୋକେ ଆଜି ଖଟିରେ କହୁଥିଲେ। ପାଣ୍ଡିଆନ୍ ଆସି ସକାଳୁ ବୁଲିକି ଯିବ ତା ପରଦିନ କାମ ପାଇଁ ଆବଶ୍ୟକ ଟଙ୍କା ମଞ୍ଜୁର ହୋଇଯାଇ ୮/୧୦ ଦିନ ଭିତରେ କାମ ଆରମ୍ଭ ହୋଇଯାଉଥିଲା। କୁଆଡୁ ସିଏ କୋଟି କୋଟି ଟଙ୍କା ଆଣୁଥିଲା କେଜାଣି ଯେଉଁ କାମକୁ ସିଏ କରିବ ବୋଲି କହିଥିବ ସେ କାମ ହେବାଟା ଥୟ ବୋଲି ଯଦୁ ଭାଇ କହିଲେ।ପାଣ୍ଡିଆନ୍ ଜଣେ ମଣିଷ ନୁହେଁ ସେ ଜଣେ ଭଗବାନଙ୍କ ଦେବଦୂତ ବୋଲି ତାଙ୍କର ବନ୍ଧୁ କହୁଥିଲେ। ଅଥଚ ରାଜ୍ୟରେ ଏବେ ଏଭଳି ଗୋଟେ ଅକର୍ମା ସରକାର ଆସିଛି ଯିଏ କୌଣସି କାମ କରିପାରୁନି। ଏବେ ସମସ୍ତେ ପାଣ୍ଡିଆନ ଶାସନକୁ ଝୁରି ହେଉଛନ୍ତି ବୋଲି କହିଥିଲେ।
ଚୁପଚାପ ବସି ସବୁକଥା ଶୁଣୁଥିବା ବାବୁଲି ଭାଇ କହିଲେ ସେଇଟା ତ ନବୀନ ପଟ୍ଟନାୟକର ଶାସନ ଥିଲା, ଆଉ ପାଣ୍ଡିଆନ୍ ଶାସନ କଅଣ ? ପାଣ୍ଡିଆନ୍ ଶାସନ ବୋଲି କହିବା ଲାଗି ସେ ଏହିଭଳି ଗୋଟେ ନ୍ୟାରେଟିଭ୍ ତିଆରି କରିଚାଲିଛି। ପାଣ୍ଡିଆନ୍ ଚାହୁଁଛି ଲୋକେ ନବୀନକୁ ମାଇନସ୍ କରି ପାଣ୍ଡିଆନ୍ ଶାସନ ଥିଲା ବୋଲି କହିବାକୁ ସେ ବିଜେଡିବାଲାଙ୍କୁ ଲଗେଇଛି। ଆମେ ସେଇ ଟ୍ରାପ୍ରେ ପଡି ଯାଉଛେ। ବିଗତ ପ୍ରାୟ ୧୫ ବର୍ଷ ଭିତରେ ରାଜ୍ୟରେ ଯାହା ସବୁ ଭଲ କାମ ହୋଇଛି ସେସବୁକୁ ପାଣ୍ଡିଆନ୍ କରିଛି ବୋଲି ପ୍ରଚାର କରାଯାଇ ପାରିଲେ ନବୀନ କ୍ରମଶଃ ମାଇନସ୍ ହୋଇଯିବ ବୋଲି ସେ ଏକଥା ଚାହୁଁଛି। ଭଲ କାମ ଯାହା ସବୁ ହୋଇଛି ସେସବୁକୁ ପାଣ୍ଡିଆନ୍ କରିଥିଲା ଆଉ ଖରାପ କାମକୁ ଲୋକେ ଭୁଲି ଯିବେ। ସିଏ ଗୋଟେ ସରକାରୀ କର୍ମଚାରୀ ଥିଲା। ରିଟାର୍ଡ କରି ପଳାଇଗଲାଣି। ସିଏ କଅଣ ଓଡିଶାଟାକୁ ରାଜ୍ କରୁଥିଲା କି ବୋଲି ପଚାରିଥିଲେ। ଆମେ ସମସ୍ତେ ନବୀନକୁ ଭୋଟ ଦେଇଥିଲୁ ନବୀନ ଶାସନ କରୁଥିଲା। ପୁରୀ ପରିକ୍ରମା ପ୍ରକଳ୍ପରୁ ନବୀନ ପଟ୍ଟନାୟକ ଓ ଗଜପତିଙ୍କୁ ଆଉଟ୍ କରି ସିଏ ଏବେ ଜନମାନସରେ ପାଣ୍ଡିଆନ୍ ପ୍ରକଳ୍ପ ବୋଲି କରିଦେଲାଣି। ଲୋକେ କହୁଛନ୍ତି ପାଣ୍ଡିଆନ୍ କରିଛି ବୋଲି। ପ୍ରକଳ୍ପର ନିର୍ମାଣ ବେଳେ ସେ ସରକାର ଭାବେ ନୁହେଁ ବରଂ ଜଣେ ସରକାରୀ କର୍ମଚାରୀ ଭାବେ କାମ କରୁଥିଲା। ନବୀନ ପଟ୍ଟନାୟକର ଦିନକାଳ ସରି ଆସୁଥିବା ବେଳେ ପଣ୍ଡିଆନ୍ ଦଳର ନେତୃତ୍ୱକୁ ଟେକ୍ଓଭର କରିବାକୁ ଚାହୁଁଥିବାରୁ ଆମମାନଙ୍କୁ ଭୁଆଁ ବୁଲେଇ କିଛି ମିଡିଆକୁ ହାତ କରି ଏପରିକି ତାର ବିରୋଧିମାନଙ୍କୁ ପଟେଇ ସବୁ କାମରେ ସେ ନିଜେ ଶ୍ରେୟ ନେବାକୁ ଚାହୁଁଛି। ବିଜେଡିର ଯାହାସବୁ କୀର୍ତ୍ତି ସେସବୁ ତା ନାଁରେ ଯାଉ। ତେବେ ଯାଇ ସେ ନିଜକୁ ନବୀନର ଏକମାତ୍ର ବିକଳ୍ପ ସୃଷ୍ଟି ହୋଇପାରିବ।
ସେ କହିଲେ କିଛି ଲୋକ କହୁଛନ୍ତି ପାଣ୍ଡିଆନ୍ ଆସନ୍ତୁ। ସିଏ କଅଣ ଓଡିଶା ଜନମାନସର ନେତା? ସିଏ ଏହା କରିବାକୁ ଚାହୁଁଛି ଆଉ ଆମେ ସମସ୍ତେ ତାର ଟ୍ରାପ୍ରେ ପଡିଯାଉଛୁ। ଏପରିକି ତାର ଟ୍ରାପରେ ଅଜାଣତରେ ତାର ବିରୋଧି ଗୋଷ୍ଠୀ ବିଜେପି ବି ପଡିଯାଉଛି । ତେଣୁ ସାରା ଓଡିଶାରେ ଏବେ ଗାଁଗହଳିରେ ସମସ୍ତେ ପାଣ୍ଡିଆନ୍ ପାଣ୍ଡିଆନ୍ ହେଉଛନ୍ତି। ଘୃଣା କଲେବି ପାଣ୍ଡିଆନ୍। ନବୀନ ଭାବୁଛି ଲୋକେ ପାଣ୍ଡିଆନ୍କୁ ନିନ୍ଦା କରିବେ ଓ ତାକୁ କ୍ଷମା କରିଦେବେ। ନବୀନ ଭଲ ଲୋକଟା ସବୁ ଭୁଲ ପାଣ୍ଡିଆନ୍ କରିଛି। ନିର୍ବାଚନ ପୂର୍ବରୁ ସେ ହେଲିକେପ୍ଟରରେ ବୁଲି ସେହିଁ ହିଁ ସବୁ କିଛି କରୁଛି ବୋଲି ପ୍ରଚାର କରୁଥିଲା। ସେଇ କୌଶଳ ବିଫଳ ହେବା ପରେ ଏବେ ପୁଣି ଆଉ ଗୋଟେ ଚେଷ୍ଟା ଆରମ୍ଭ କରିଛି। ରାଜ୍ୟରେ ଏବେ ଏତେ ଆନ୍ଦୋଳନ ହେଉଛି ଅଥଚ କେହି ନବୀନକୁ ଦେଖିଛନ୍ତି କି? ଯାହା ବିଜେଡି କରୁଛି ସେସବୁ ପାଣ୍ଡିଆନ୍ ନିର୍ଦେଶରେ କରୁଛି। ସିଏ ପୁଣି ଆଉ ଥରେ ରାଜନୀତିକୁ ଫେରିବାକୁ ଚାହୁଁଛି। ସେତେବେଳେ ପାଣ୍ଡିଆନ୍ ଓଡିଆ ଅସ୍ମିତାକୁ ଲୁଟ୍ କରିବା ପାଇଁ ଓଡିଶା ବିରୁଦ୍ଧରେ ଗୋଟେ ବଡ ଧରଣର ଷଡଯନ୍ତ୍ର ରଚି ଥିଲାବୋଲି ସେ କହିଥିଲେ।
ଆପଣ ଯେତେ ଯାହା କୁହନ୍ତୁ ପଛକେ ପାଣ୍ଡିଆନ୍ ସେତେବେଳେ ଯାହା ଚାହୁଁଥିଲା ତାକୁ କରିପାରୁଥିଲା। ରାଜ୍ୟର ଉନ୍ନତି ପାଣ୍ଡିଆନ କରିଛି l ଏ ବିଜେପି ସରକାର ତ କିଛି ଗୋଟେ ଆଖିଦୃଶିଆ କାମ କରିପାରୁନି ବୋଲି ଯଦୁ ଭାଇ କହିବାରୁ ସେ ଏଥର ରାଗିଯାଇ କହିଲେ ଧରନ୍ତୁ ଗୋଟିଏ ଦମ୍ପତ୍ତିଙ୍କର ଛୁଆପିଲା ହେଉନଥିବ। କେହି ଜଣେ ବାହାର ଲୋକର ସଂସ୍ପର୍ଶରେ ଆସି ଛୁଆପିଲା ହେବ। ତେବେ ସମ୍ପୃକ୍ତ ମହିଳାଙ୍କର ସ୍ୱାମୀ ସେହି ବାହାର ଲୋକଟିକୁ କଅଣ ନିଜ ଘରେ ଆଶ୍ରୟ ଦେଇପାରିବ କି? ଉନ୍ନତି ଅପେକ୍ଷା ଆମର ସ୍ୱାଭିମାନ, ସମ୍ମାନ ସ ଅସ୍ମିତା ହେଉଛି ବଡକଥା ବୋଲି କହିିଥିଲେ। ଯେଉଁ ଅସ୍ମିତାକୁ ନେଇ ବିଜେପି ଆସିଛି। ପାଣ୍ଡିଆନ୍ ହିଁ ବିଜେପି ହାଇକମାଣ୍ଡ ସହିତ ତାଳମେଳ କରି ଏଭଳି ଜଣେ ଅଯୋଗ୍ୟ ଲୋକକୁ ମୁଖ୍ୟମନ୍ତ୍ରୀ କରିଛି। ଏ ସରକାର ହେଉଛି ପାଣ୍ଡିଆନର ବୃହତ୍ତର ଷଡଯନ୍ତ୍ରର ଅଂଶ ବିଶେଷ। ଅଶ୍ୱିନୀ ବୈଷ୍ଣବ, ପି କେ ମିଶ୍ର ଓ ଖଣି ବ୍ୟବସାୟି ପ୍ରଭାକରନ୍ଙ୍କ ସହିତ ମିଶି ସେ ଚାହୁଁଛି ରାଜ୍ୟରେ ଏଭଳି ଏକ ଅପରାଗ ଓ ଅକ୍ଷମ ସରକାର ରହିଲେ ଯାଇ ପାଣ୍ଡିଆନର ଗୁରୁତ୍ୱ ବଢିବ। ମୋହନର ଫେଲୁଅର୍ ଅର୍ଥ ପୂରା ବିଜେପିର ଫେଲୁଅର୍ ବୋଲି ଗଣାଯିବ। ତାପରେ ଲୋକେ ପାଣ୍ଡିଆନକୁ ଖୋଜିବେ। ଏହି ତୁଳନାତ୍ମକ କାମଟିକୁ ବିଭିନ୍ନ ଲୋକଙ୍କ ଜରିଆରେ ସେ ବର୍ଷକ ଭିତରେ ଆରମ୍ଭ କରିସାରିଲାଣି। ଆପଣ ଦେଖିବେ ଆସ୍ତେ ଆସ୍ତେ ସିଏ ଭିତରେ ପଶିଯାଇ ଆମକୁ ଶାସନ କରିବ।
ଏବେ ଆମେ ଗୋଟେ ଭଙ୍ଗା ଦଦରା ଡଙ୍ଗାରେ ବସି ଯାଉଥିବାରୁ ପାଲଟଣା ଡଙ୍ଗାକୁ ମନେ ପକାଉଛୁ ବୋଲି ବାଇଧର ଭାଇ କହିବା ଶୁଣି ଖଟିରେ ହାସ୍ୟରୋଳ ହୋଇଥିଲା। (ଖଟି) ତା ୨୧/୦୭/୨୦୨୫ ଖଟିରୁ ଶୁକ୍ଲା