20/07/2022
ଝଡ଼ିପଡ଼ିଥିବା ଫୁଲ
କୌଣସି ଫୁଲ ଗଛରୁ ତଳେ ପଡ଼ିଗଲେ କଣ ତାହାର ସୁଗନ୍ଧ ଆଉ ସୌନ୍ଦର୍ଯ୍ୟତା କମ୍ ହୋଇଯାଏ ?
ଦୌଡ଼ିବା ଏକ ସାଧାରଣ ପ୍ରକ୍ରିୟା ଅଟେ । ଦୌଡ଼ିବାରେ ମଧ୍ୟ ସୌନ୍ଦର୍ଯ୍ୟତା ନିହିତ ଅଛି । ଏହା ମାଧ୍ୟମରେ ମୁଁ ମୋ ଆଖପାଖର ଜୀବନକୁ ଉତ୍ତମରୂପେ ନିରୀକ୍ଷଣ କରିପାରେ । ପ୍ରତିଦିନ ସକାଳେ ଜଣେ ବୃଦ୍ଧ ସଜ୍ଜନ ଗଛରୁ ଝଡ଼ି ପଡ଼ିଥିବା ଫୁଲଗୁଡ଼ିକୁ ଉଠାଇ ମନ୍ଦିରର ଦର୍ଶନ ପାଇଁ ରଖାଯାଇଥିବା ଫୁଲଝୁଡ଼ିରେ ରଖୁଥିବାର ମୁଁ ଦେଖେ । ତାଙ୍କର ଏହି ଗତିବିଧି ମୋ ମନରେ ଉତ୍ସୁକତା ଭରିଦିଏ ।
ଦିନେ ସକାଳେ ମୁଁ ତାଙ୍କୁ ଏପରି କରୁଥିବା ଦେଖି ନିଜର ଏହି ଜିଜ୍ଞାସାକୁ ଶାନ୍ତ କରିବାପାଇଁ ସେହି ବୃଦ୍ଧଙ୍କୁ ପଚାରିଲି, ଅନ୍ୟ ବୃଦ୍ଧମାନେ ଗଛରୁ ସତେଜ ଫୁଲ ତୋଳିବା ବେଳେ ସେ ଗଛରୁ ଝଡ଼ି ପଡ଼ିଥିବା ଫୁଲକୁ କାହିଁକି ଉଠାନ୍ତି ।
ମୁଁ ତାଙ୍କୁ ପ୍ରଶ୍ନ କଲି, ''ଦାଦାଜୀ, ମୁଁ ଆପଣଙ୍କୁ ସବୁବେଳେ ଭୂମିରେ ପଡ଼ିଯାଇଥିବା ସତେଜ ଫୁଲ ସବୁକୁ ଉଠାଉ ଥିବାର ଦେଖିଥାଏ । ଆପଣ ଏସବୁକୁ ନେଇ କଣ କରନ୍ତି ?''
ବୃଦ୍ଧ ଜଣକ ଅତ୍ୟନ୍ତ ଶାନ୍ତ ଭାବରେ ଉତ୍ତର ଦେଲେ, ''ଏହି ଫୁଲକୁ ନେଇ ମୁଁ ମୋ ଘରେ ଥିବା ଦେବୀଦେବତାଙ୍କ ଚରଣରେ ଅର୍ପଣ କରିଥାଏ ।''
ମୁଁ ଏହା ପ୍ରଥମଥର ପାଇଁ ଶୁଣିବାକୁ ପାଇଲି । ପୂର୍ବରୁ ଏଭଳି କଥା କେବେ ବି ଶୁଣି ନଥିଲି । ଏଥିପାଇଁ ମୁଁ ପୁଣିଥରେ ତାଙ୍କୁ ପଚାରିଲି, ''ଯଦି ଆପଣ ଖରାପ ନ ଭାବନ୍ତି, ତେବେ କଣ ମୁଁ ଜାଣିପାରେ କି, ଗଛରେ ଏତେସବୁ ଫୁଲ ଫୁଟିଛି, ସେସବୁକୁ ନତୋଳି ଆପଣ ଗଛରୁ ତଳେ ଖସିପଡ଼ିଥିବା ଫୁଲକୁ ନେଇ କାହିଁକି ଈଶ୍ୱରଙ୍କୁ ଅର୍ପଣ କରନ୍ତି ?''
ବୃଦ୍ଧ କହିଲେ, ''ଫୁଲଗୁଡ଼ିକୁ ସେମାନଙ୍କ ଅନ୍ତିମ ଦିନରେ ଭଗବାନଙ୍କ ସହିତ ରହିବା ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବାରେ ମୁଁ ସହାୟତା କରିଥାଏ । ସେମାନଙ୍କ ପାଖରେ ବି ଜୀବନ ଅଛି, ସେମାନେ ମଧ୍ୟ ତାଙ୍କର ଅନ୍ତିମ ଦିନରେ ଆପଣଙ୍କ ଭଳି ତଥା ମୋଭଳି ପରମେଶ୍ୱରଙ୍କ ସହିତ ରହିବାପାଇଁ ଚାହାଁନ୍ତି, ହଁ ନାଁ ନାହିଁ ?'' ମୁଣ୍ଡ ହଲାଇ ମୁଁ ବୃଦ୍ଧଙ୍କ ପ୍ରଶ୍ନର ଉତ୍ତର ଦେଲି । ଏହାପରେ ସେ ମୋତେ କହିଲେ, ''କିଛି ଲୋକ ସେହି କଢ଼ ଗୁଡ଼ିକୁ ତୋଳି ପକାନ୍ତି, ଯେଉଁଗୁଡ଼ିକ ବର୍ତ୍ତମାନ ସୁଦ୍ଧା ଫୁଟି ନଥାନ୍ତି, ଆଉ କିଛି ଲୋକ ସଙ୍ଗେ ସଙ୍ଗେ ଫୁଟିଥିବା କଢ଼ ଗୁଡ଼ିକୁ ତୋଳିପକାନ୍ତି, ସେମାନଙ୍କୁ ନିଜର ସୁଗନ୍ଧ ବିତରଣ କରିବାପାଇଁ ମଧ୍ୟ ଦେଇନଥାନ୍ତି । ପ୍ରତ୍ୟେକ ଲୋକ ସୁନ୍ଦର ଫୁଲଟିକୁ ତୋଳିଥାନ୍ତି । ଗଛରୁ ତାର ସୌନ୍ଦର୍ଯ୍ୟତାକୁ ଛଡ଼ାଇ ନିଅନ୍ତି । ଦେଖନ୍ତୁ, ଏ ଗଛ ଗୁଡ଼ିକ କେତେ ରଙ୍ଗହୀନ ଆଉ ଶୂନ୍ୟ ଦିଶୁଛନ୍ତି ।''
ସେ ପୁଣି ଆଗକୁ କହିଲେ, ''ପ୍ରତ୍ୟେକ ଫୁଲର ଏକ ଉଦ୍ଦେଶ୍ୟ ଥାଏ, ତାହା ହେଉଛି, ଭଗବାନଙ୍କ ସହିତ ରହିବା । ସମସ୍ତେ ଗଛରେ ଲାଗି ରହିଥିବା ଫୁଲଗୁଡ଼ିକୁ ତୋଳିନିଅନ୍ତି ହେଲେ ମୁଁ ସେମାନଙ୍କୁ ଆଣି ନଥାଏ । ଏହା ସେହି ଫୁଲମାନଙ୍କର ଭୁଲ ନୁହେଁ ଯେଉଁଗୁଡ଼ିକ ତଳେ ପଡ଼ିଯାଇଛନ୍ତି । ସେମାନେ ମଧ୍ୟ ଭଗବାନଙ୍କ ସହିତ ରହିବାପାଇଁ ଯୋଗ୍ୟ ଅଟନ୍ତି । ଆପଣ ମଧ୍ୟ ଏହିଭଳି କରନ୍ତୁ, ଏପରି କଲେ ଆପଣଙ୍କୁ ଶାନ୍ତି ଏବଂ ଆନନ୍ଦ ମିଳିବ । ମୋତେ ମିଳିଛି, ଏଥିପାଇଁ ମୁଁ ଏପରି କହୁଅଛି । ମୁଁ ଏହି ବୃଦ୍ଧ ବୟସରେ ତ କାହାରିକୁ ସାହାରା ଦେଇପାରିବି ନାହିଁ, ସେଥିପାଇଁ ଏହି ଫୁଲଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟ ପୁରା କରିବାରେ ସାହାଯ୍ୟ କରୁଛି ।''
ମୁଁ କେବଳ ମୁଣ୍ଡ ହଲାଇ ସମ୍ମତି ଦେଲି, ଟିକିଏ ହସିଦେଲି ଆଉ ତାଙ୍କର ଶୁଭକାମନା କରି ନିଜର ଦୌଡ଼କୁ ଜାରୀ ରଖିଲି ।
ମୁଁ ଦୌଡ଼ୁଥିବା ସମୟରେ ମୋର ମନ ମଧ୍ୟ ଦୌଡ଼ୁଥିଲା । ଏକ ନୂତନ ପ୍ରେରଣା ଏବଂ ବିଚାର ସହିତ, ମୁଁ ନିର୍ଣ୍ଣୟ ନେଲି କି, ମୋତେ ମଧ୍ୟ ପୂଜା ପାଇଁ ତଳେ ପଡ଼ିଯାଇଥିବା ଫୁଲଗୁଡ଼ିକୁ ସଂଗ୍ରହ କରିବା ନିମନ୍ତେ ପ୍ରୟାସ କରିବା ଆବଶ୍ୟକ ।
ମୁଁ ଏକ ଜବାକୁସୁମ ବୃକ୍ଷକୁ ପାର କରି ଯିବା ସମୟରେ ଦେଖିଲି, ବୃକ୍ଷ ତଳେ କିଛି ଫୁଲ ପଡ଼ିଛି । ମୁଁ ସେହି ଫୁଲଗୁଡ଼ିକୁ ଉଠାଇବାପାଇଁ ପ୍ରୟାସ କରିବା ସମୟରେ ମୋତେ ଏକ ଶବ୍ଦ ଶୁଣାଗଲା ।
''ତୁମେ ତଳେ ପଡ଼ିଯାଇଥିବା ଫୁଲକୁ ଭଗବାନଙ୍କୁ ଦେଇପାରିବ ନାହିଁ ।'' ଏକଥା ଯେପରି ମୋ ମାଆ ମୋ ମନରେ କହିଥିଲେ, ଯେଉଁଥିପାଇଁ ମୁଁ ଅଟକି ଯାଇଥିଲି ।
''ଭଗବାନ କେବଳ ଆପଣଙ୍କର ଭାବନା ଏବଂ ଭକ୍ତିକୁ ଖୋଜନ୍ତି, ଏଥିପାଇଁ ଆଗକୁ ବଢ଼ ଆଉ ଉଠାଅ ।'' ଏକଥା ମୋ ମନ ଯେପରି ମୋ ମାଆଙ୍କୁ କହିଥିଲା ।
ମନର ଏଭଳି ଭାବନାର କିଛି ସମୟ ପରେ ମୁଁ ଫୁଲକୁ ଉଠାଇଲି ଆଉ ନିଜ ହାତରେ ଧରିଲି । ଯେମିତି ମୁଁ ଫୁଲକୁ ଉଠାଇ ହାତରେ ଧରିଛି, ମୋ ଲୋମ ଟାଙ୍କୁରୀ ଉଠିଲା ଏପରିକି ମୋ ହୃତ୍ ସ୍ପନ୍ଦନ ମଧ୍ୟ ବଢ଼ିଗଲା । ଏହା ଏକ ଭିନ୍ନ ପ୍ରକାର ଭଲପାଇବା ଥିଲା ଯାହାକୁ ମୁଁ ଏହି ଫୁଲ କାରଣରୁ ମୋ ଶରୀର ମଧ୍ୟରେ ଅନୁଭବ କରିପାରୁଥିଲି ।
ମୁଁ ସେହି ଫୁଲଗୁଡ଼ିକୁ ଘରକୁ ନେଇଗଲି, ସେଗୁଡ଼ିକୁ ଧୋଇଦେଲି ଆଉ ଭଗବାନଙ୍କ ଚରଣରେ ଅର୍ପଣ କରିଦେଲି ।
ମୋର ଏହି ଅନୁଭବ ଅଲୌକିକ ଥିଲା । ମୁଁ ଆତ୍ମସନ୍ତୋଷ ପ୍ରାପ୍ତ କରୁଥିଲି । ମୋତେ ଏଭଳି ଲାଗୁଥିଲା, ଯେପରି ମୁଁ କାହାର ଜୀବନ ବଞ୍ଚାଇଛି ଅଥବା କାହାକୁ ଦୁଃଖରୁ ମୁକ୍ତ କରିବାପାଇଁ ସାହାଯ୍ୟ କରିଛି । ମୁଁ ଫୁଲମାନଙ୍କ ସହିତ ଏଭଳି ସନ୍ତୋଷ ପୂର୍ବରୁ କେବେ ଅନୁଭବ କରିପାରି ନଥିଲି । ମୁଁ ଭାବିଲି, ''ଆଗକୁ ବି ମୁଁ ଠିକ୍ ଏହିଭଳି କରିବି । ଯାହା ଝଡ଼ି ପଡ଼ିଛି ତାହାକୁ ଉଠାଇବି ଆଉ ପ୍ରଭୁଙ୍କ ଚରଣରେ ଅର୍ପଣ କରିବି ।''
ଜୀବନରେ ଆମେମାନେ ସର୍ବଦା ଉତ୍ତମ ଏବଂ ସୁନ୍ଦର ଲୋକମାନଙ୍କ ଆଖପାଖରେ ରହିବାପାଇଁ ଇଚ୍ଛାକରୁ । ଆମେ ନିଜକୁ ସେହି ଲୋକମାନଙ୍କ ସହିତ ଦେଖିବାପାଇଁ ଚାହୁଁ, ଯେଉଁମାନେ ଆମ ସହିତ ସମାନତା ରକ୍ଷା କରନ୍ତି, ଆମ ସହ କାନ୍ଧକୁ କାନ୍ଧ ମିଶାଇ ଚାଲିପାରନ୍ତି । ସେମାନଙ୍କୁ ଅଣଦେଖା କରୁ ଯେଉଁମାନେ ଆମଠାରୁ କମ୍ ଯୋଗ୍ୟତା ସମ୍ପନ୍ନ ହୋଇଥାନ୍ତି ।
କିନ୍ତୁ, ପ୍ରକୃତ ସନ୍ତୋଷ ତ ସେତେବେଳେ ପ୍ରାପ୍ତ ହୋଇଥାଏ, ଯେତେବେଳେ ଆମେ କାହାକୁ ସାହାଯ୍ୟ କରୁ ଆଉ ତାଙ୍କ ଜୀବନକୁ ଉତ୍ତମ ରୂପେ ଗଢ଼ିତୋଳିଥାଉ । ସେ ମନୁଷ୍ୟ ହୁଅନ୍ତୁ ଅବା ପଶୁ, ପକ୍ଷୀ ଅବା ଜୀବନର ଅନ୍ୟ କୌଣସି ରୂପ !