18/08/2026
ଦୁଇ ଦିଗ, ଗୋଟିଏ ହୃଦୟ...!!
ସେଦିନ ପ୍ରଥମ ଥର
ତୁମକୁ ଦେଖିଥିଲି,
ଅଫିସର ସେଇ ସାଧାରଣ ଦିନଟାରେ,
ଯେଉଁଦିନ ମୋ ପାଇଁ
ଆଉ ଗୋଟିଏ ସାଧାରଣ ଦିନ ଥିଲା,
କିନ୍ତୁ ଭାଗ୍ୟ ପାଇଁ
ହୁଏତ ଏକ ନୂଆ କାହାଣୀର
ପ୍ରଥମ ଧାଡ଼ି ଥିଲା।
ଜୀବନର ବାଇଶଟି ବସନ୍ତ
ପାର କରି ସାରିଥିଲି,
କଲେଜର ଭିଡ଼ରେ
କେତେ ମୁହଁ ଦେଖିଥିଲି,
କେତେ ହସ ପାଖରୁ ଯାଇଥିଲା,
ହେଲେ କାହାକୁ ଦେଖି
ମନଟା କେବେ କହିନଥିଲା...
ଏ ମଣିଷଟା ମୋର…
ପ୍ରେମ ମୋ ପାଇଁ
କେବଳ କବିତାର ଗୋଟିଏ ଶବ୍ଦ ଥିଲା,
ଅନ୍ୟ କାହାର ଆଖିରେ ଦେଖିଥିବା
ଗୋଟିଏ ସୁନ୍ଦର ସ୍ୱପ୍ନ ଥିଲା।
ମୁଁ କେବେ ଜାଣିନଥିଲି
ହୃଦୟ କାହାକୁ ଦେଖି
ଏମିତି ହଠାତ୍
ନିଜ ତାଳ ହରାଇପାରେ।
କିନ୍ତୁ ତୁମକୁ ଦେଖିବା ପରେ...
କିଛି ଗୋଟେ ବଦଳିଗଲା।
କୌଣସି କଥା ହୋଇନଥିଲା,
କୌଣସି ପରିଚୟ ନଥିଲା,
ତୁମ ନାଁ ବି ଜାଣିନଥିଲି…
ତଥାପି ତୁମକୁ ଦେଖି
ମୋ ହୃଦୟର ସ୍ପନ୍ଦନ
ହଠାତ୍ ବଢ଼ିଗଲା।
ଯେମିତି
ଏଇ ଦେଖା ପ୍ରଥମ ନୁହେଁ,
ଯେମିତି ତୁମକୁ
ମୁଁ ବହୁତ ଦିନରୁ ଜାଣିଛି...
କେଉଁ ଗୋଟିଏ ପୁରୁଣା ସ୍ମୃତିରେ,
କେଉଁ ଅଧୁରା ସ୍ୱପ୍ନରେ,
କିମ୍ବା ହୁଏତ
କୌଣସି ଅଜଣା ଜନ୍ମରେ।
ଆଉ ସେଦିନ...
ତୁମର ବି ଥିଲା
ସେଇ ଅଫିସରେ ପ୍ରଥମ ଦିନ।
ତୁମ ପାଇଁ
ସେଦିନ ଥିଲା ନୂଆ ଚାକିରି,
ନୂଆ ଲୋକ,
ନୂଆ ପରିବେଶ
ଆଉ ନୂଆ ଏକ ଆରମ୍ଭ।
କିନ୍ତୁ ମୋ ପାଇଁ
ସେଦିନ ଥିଲା...
ଏକ ଅଜଣା ଭାବନାର ଜନ୍ମ,
ଏକ ନିରବ ପ୍ରେମର ଆରମ୍ଭ,
ଆଉ ଏକ ଅଧୁରା କାହାଣୀର
ପ୍ରଥମ ପୃଷ୍ଠା।
କେତେ ଅଜବ ନା...
ମୁଁ ଥିଲି
ପୂର୍ବ ଓଡ଼ିଶାର,
ତୁମେ ଥିଲ
ପଶ୍ଚିମ ଓଡ଼ିଶାର।
ଆମ ମଝିରେ ଥିଲା
ଦୂରତା, ଦୁଇଟି ଦିଗ,
ଦୁଇଟି ଭିନ୍ନ ମାଟିର ଗନ୍ଧ,
ଦୁଇଟି ଭିନ୍ନ ପରିବେଶ…
ତଥାପି ଭାଗ୍ୟ
କେଉଁ ଅଦୃଶ୍ୟ ସୂତାରେ
ଆମ ଦୁଇଟି ଜୀବନକୁ
ଗୋଟିଏ ସ୍ଥାନରେ ଆଣି
ବାନ୍ଧିଦେଲା।
ହୁଏତ ଆମେ
ଦୁଇଟି ଭିନ୍ନ ଦିଗରୁ ବାହାରିଥିବା
ଦୁଇଟି ନଦୀ ଥିଲୁ...
କେବେ ଭାବିନଥିଲୁ
ଏକାଠି ହେବାକୁ…
କିନ୍ତୁ ପ୍ରଭୁଙ୍କ ଇଚ୍ଛାରେ
ଆମ ରାସ୍ତା ଏମିତି ମିଶିଗଲା,
ଯେମିତି ଦୁଇଟି ନଦୀ
ନିଜ ନିଜ ପଥ ଭୁଲି
ଶେଷରେ ଗୋଟିଏ ସମୁଦ୍ରକୁ
ଖୋଜି ପାଇଥାଏ।
ତେବେ ମନରେ ପ୍ରଶ୍ନ ଉଠେ...
ଯଦି ଆମର ମିଳନ
ଭାଗ୍ୟରେ ଲେଖା ନଥିଲା,
ତେବେ ଏତେ ଦୂରରୁ
ଆମ ଦୁଇଟି ଜୀବନ
ଏକେ ଦିନ, ଏକେ ସ୍ଥାନରେ
କାହିଁକି ଆସି ମିଶିଲା?
ହଁ…ଆମ ଜାତି ବି ଅଲଗା।
ଏଇ ସତ୍ୟଟା
କେବେ କେବେ
ପ୍ରେମର ସାମ୍ନାରେ
ଗୋଟିଏ ଅଦୃଶ୍ୟ ପ୍ରାଚୀର ହୋଇ
ଠିଆ ହୋଇଯାଏ।
ମନ କହେ...
ପ୍ରେମ ତ କାହାର ଜାତି ପଚାରେନି…
ହେଲେ ସମାଜ?
ସମାଜ ତ ପଚାରେ।
ମନ କହେ...
ପ୍ରେମ ପୂର୍ବ କି ପଶ୍ଚିମ ଜାଣେନି…
ହେଲେ ଦୁନିଆ
ଦୂରତା ମାପେ।
ମନ କହେ...
ଦୁଇଟି ହୃଦୟ ଯଦି ସତରେ ମିଶିଯାଏ,
ତେବେ ଅନ୍ୟ ସବୁ କଥା
ଛୋଟ ହୋଇଯିବ…
କିନ୍ତୁ ଭୟ ହୁଏ...
କାହିଁକି ନା
ପ୍ରେମଠାରୁ ବଡ଼
କେବେ କେବେ
ସମାଜର ପ୍ରଶ୍ନ ହୋଇଯାଏ।
ତଥାପି ମୁଁ ଭାବେ...
ଯଦି ଏଇ ଅନୁଭୂତି
କେବଳ ଗୋଟିଏ ସଂଯୋଗ ଥିଲା,
ତେବେ ମୋ ହୃଦୟ
ତୁମକୁ ଦେଖିବା ମାତ୍ରେ
କାହିଁକି ତୁମକୁ ଚିହ୍ନିନେଲା?
ଯଦି ଏଇ ମିଳନ
କେବଳ ଭାଗ୍ୟର ଖେଳ ଥିଲା,
ତେବେ ତୁମ ଆସିବା ପରେ
ମୋ ଭିତରେ
ଏତେ ବର୍ଷ ଧରି ଶୋଇଥିବା
ପ୍ରେମ କାହିଁକି ଜାଗିଉଠିଲା?
ହୁଏତ ପ୍ରେମ
ସବୁବେଳେ ଆସିବା ପୂର୍ବରୁ
ଦ୍ୱାର ଠକ୍ଠକ୍ କରେନି…
କେବେ କେବେ
ସେ ପ୍ରଥମ ବର୍ଷା ପରି
ହଠାତ୍ ଆସେ...
ଆଉ ଭିଜାଇଦିଏ
ଜୀବନର ସବୁଠୁ ଶୁଖିଲା କୋଣଟିକୁ।
ତୁମେ ବୋଧେ
ସେଇ ପ୍ରଥମ ବର୍ଷା ଥିଲ…
ଯାହା ପାଇଁ
ମୁଁ କେବେ ଅପେକ୍ଷା କରିନଥିଲି,
କିନ୍ତୁ ଆସିବା ପରେ
ବୁଝିଲି...
ମୋ ମନ କେତେ ଦିନରୁ
ତୁମ ପାଇଁ ଅପେକ୍ଷା କରିଥିଲା।
ଆଜି ବି ଜାଣିନି
ଏଇ କାହାଣୀର ଶେଷ କେଉଁଠି…
ତୁମେ ମୋର ହେବ କି ନାହିଁ,
ଆମ ରାସ୍ତା ଆଗକୁ
ଏକାଠି ଚାଲିବ କି ନାହିଁ,
ଏଇ ପ୍ରେମ
କେବେ ନାଁ ପାଇବ କି ନାହିଁ...
କିଛି ବି ଜାଣିନି।
କେବଳ ଏତିକି ଜାଣେ...
ସେଦିନ ତୁମକୁ ଦେଖିଥିଲି,
ଆଉ ସେଇ ମୁହୂର୍ତ୍ତରୁ
ମୋ ଭିତରେ କିଛି ଗୋଟେ
ଆଉ ଆଗଭଳି ରହିଲା ନାହିଁ।
ହୁଏତ
କେତେକ ମିଳନ ଆମେ ଯୋଜନା କରୁନାହୁଁ…
ସେଗୁଡ଼ିକୁ ଭାଗ୍ୟ ଲେଖିଥାଏ।
କେତେକ ଲୋକଙ୍କୁ
ଆମେ ପ୍ରଥମ ଥର ଦେଖୁନାହୁଁ…
ହୁଏତ ଆମ ହୃଦୟ
ସେମାନଙ୍କୁ ଆଗରୁ ଚିହ୍ନିଥାଏ...
କେବଳ ଦେଖାଟା
ହୁଏ ପ୍ରଥମ ଥର…
ଆଉ ହୁଏତ
ସେଇଥିପାଇଁ ତୁମକୁ ଦେଖି
ମୋତେ ଏମିତି ଲାଗିଥିଲା...
ତୁମେ ମୋ ଜୀବନରେ
ଆଜି ଆସିନାହଁ…
ଆଜି କେବଳ
ମୋ ଆଖି ତୁମକୁ ଚିହ୍ନିଲା।
~ମୋ ଲେଖନୀରୁ ✍️
Molekha - Odia Magazine