Odia Adhyatmika Katha

Odia Adhyatmika Katha “ଓଡ଼ିଆ ଆଧ୍ୟାତ୍ମିକ କଥା”ଫେସବୁକ୍ ପେଜ୍ କୁ ଆପଣଙ୍କୁ ସ୍ଵାଗତ🙏
ଓଡ଼ିଆ ଭଜନ, ପ୍ରବଚନ, ପୁରାଣ, ମନ୍ତ୍ରସ୍ତୁତି ଓ ଦୈନିକ ଦର୍ଶନ ପାଇଁ ପେଜ୍ କୁ ଫୋଲୋ କରନ୍ତୁ! ଜୟ ଜଗନ୍ନାଥ 🙏

Jay Jagannath 🙏 Ekadashi Darshan 🙌
17/09/2025

Jay Jagannath 🙏 Ekadashi Darshan 🙌

ଆଜି ଇନ୍ଦିରା ଏକାଦଶୀ🔴 ଜୟ ଜଗନ୍ନାଥ 🙏ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ ‘ଇନ୍ଦିରା ଏକାଦଶୀ’। ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିବାରୁ ଏହାର...
17/09/2025

ଆଜି ଇନ୍ଦିରା ଏକାଦଶୀ🔴 ଜୟ ଜଗନ୍ନାଥ 🙏

ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ ‘ଇନ୍ଦିରା ଏକାଦଶୀ’। ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିବାରୁ ଏହାର ମହତ୍ତ୍ୱ ସର୍ବାଧିକ। କାରଣ, ଏହି ଏକାଦଶୀ ବ୍ରତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବ୍ରତ ପାଳନ କରି ତାର ପୁଣ୍ୟ ଫଳ ପିତୃପୁରୁଷଙ୍କୁ ଅର୍ପଣ କରିବା। ଏହାଦ୍ବାରା ସେମାନଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ।
ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି। ପ୍ରାଚୀନ କାଳରେ ମାହିଷ୍ମତୀ ପୁରରେ ଇନ୍ଦ୍ରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମଜ୍ଞ ଓ ନ୍ୟାୟବନ୍ତ। ତେଣୁ ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ ବସବାସ କରୁଥିଲେ। ଥରେ ନାରଦ ଆସି ତାଙ୍କୁ ସୂଚନା ଦେଲେ ଯେ ପୁଣ୍ୟ ଶେଷ ହୋଇଯିବା କାରଣରୁ ତାଙ୍କର ପିତା ସ୍ୱର୍ଗଲୋକରୁ ଆସି ଯମଙ୍କର ନରକପୁରରେ ନିବାସ କରିଛନ୍ତି। ଏହା ଶୁଣି ଇନ୍ଦ୍ରସେନ ଅତ୍ୟନ୍ତ ଦୁଃଖିତ ହେଲେ। ତେଣୁ ନାରଦ ତାଙ୍କୁ ଉପଦେଶ ଦେଲେ, “ତୁମେ ନିଷ୍ଠାର ସହିତ ଆଶ୍ୱିନ କୃଷ୍ଣ ପକ୍ଷର ଇନ୍ଦିରା ଏକାଦଶୀ ବ୍ରତ କରି, ତାର ପୁଣ୍ୟ ଫଳ ଯଦି ତୁମର ପିତାଙ୍କୁ ଅର୍ପଣ କରିବ, ସେ ପୁନଶ୍ଚ ସ୍ୱର୍ଗଲୋକ ଗମନ କରିବେ। ଇନ୍ଦ୍ରସେନ ଏହି ବ୍ରତ ପାଳନ କରିବାରୁ ତାଙ୍କ ପିତାଙ୍କର ମୋକ୍ଷପ୍ରାପ୍ତି ହୋଇଥିଲା।
ଅନ୍ୟ ଏକାଦଶୀଠାରୁ ଏହି ଏକାଦଶୀର ବ୍ରତ ବିଧି ସାମାନ୍ୟ ଭିନ୍ନ। ଏଥିରେ, ବ୍ରତଚାରୀ ଦଶମୀ ଦିନ ଶୁଦ୍ଧସ୍ନାନ ଓ ଏକବାର ଭୋଜନ କରି ଭୂମିରେ ଶୟନ କରିବେ। ପରଦିନ ଅର୍ଥାତ୍ ଏକାଦଶୀ ଦିନ ପ୍ରାତଃ ସ୍ନାନ କରି ଉପବାସ ନିୟମ ଗ୍ରହଣ କରି ସକାଳୁ ନିମ୍ନୋକ୍ତ ମନ୍ତ୍ର ପଢ଼ି ପ୍ରାର୍ଥନା କରିବେ, “କମଳନୟନ ଭଗବାନ ନାରାୟଣ, ଆଜି ମୁଁ ସମସ୍ତ ଭୋଗରୁ ନିବୃତ୍ତ ହୋଇ, ନିରାହାର ରହି, କାଲି ଭୋଜନ କରିବି। ହେ ଅଚ୍ୟୁତ, ମୋତେ ଶରଣ ଦିଅନ୍ତୁ।” ଏହି ପ୍ରକାର ନିୟମ କରି, ଶାଳଗ୍ରାମ ଶିଳା ସମ୍ମୁଖରେ ବିଧିପୂର୍ବକ ଶ୍ରାଦ୍ଧ କରି, ବ୍ରାହ୍ମଣଙ୍କୁ ସତ୍କାର କରି, ଭୋଜନ ଦେବେ ଏବଂ ସେହି ପିଣ୍ଡକୁ ନେଇ ଗୋମାତାଙ୍କୁ ଭୋଜନ କରାଇବେ। ଏହାପରେ ଭଗବାନଙ୍କ ପ୍ରତିମାକୁ ଗଙ୍ଗାଜଳରେ ସ୍ନାନ କରାଇ, ଫୁଲ, ହଳଦୀ, କୁଙ୍କୁମ ଆଦି ଦେଇ ସଜ୍ଜିତ କରି, ଧୂପ, ଦୀପ, ଅକ୍ଷତ ଦେଇ ଆଳତି କରିବେ। ସାରାରାତି ଉଜାଗର ରହି ବିଷ୍ଣୁସହସ୍ରନାମ ପାଠ କରିବେ। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ ନୈବେଦ୍ୟରେ ତୁଳସୀପତ୍ର ପ୍ରଦାନ କରିବେ। ଏହିଦିନ ରସୁଣ, ପିଆଜ, ବାଇଗଣ, ମାଂସ, ମଦିରା, ପାନ, ଗୁଆ, ତମାଖୁ ଆଦିର ସେବନ ନିଷିଦ୍ଧ। ବ୍ରତ ସମାପ୍ତ ହେବା ପରେ ତାହାର ପୁଣ୍ୟଫଳ ପିତୃପୁରୁଷଙ୍କୁ ସମର୍ପଣ କଲେ ସେମାନଙ୍କର ମୋକ୍ଷପ୍ରାପ୍ତି ହେବ।

ଏକାଦଶୀ ବ୍ରତର ନିୟମ ଅନୁଯାୟୀ, ଏହି ଉପବାସ ଦଶମୀ ତିଥିରୁ ଆରମ୍ଭ ହୋଇଥାଏ । ତେବେ ବ୍ରତ କରୁଥିବା ବ୍ୟକ୍ତି, ଦଶମୀ ତିଥିରେ ସୂର୍ଯ୍ୟୋଦୟ ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଏକାଦଶୀ ସକାଳେ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ବ୍ରତର ସଂକଳ୍ପ ନେବେ। ତା’ପରେ ଭଗବାନ ଶାଲିଗ୍ରାମଙ୍କ ପୂଜା କରାଯିବା ଉଚିତ। ଦିନସାରା ଫଳାହାର କରି ବ୍ରତ ରଖାଯାଏ । ଏହା ପରେ ଦ୍ବାଦଶୀ ତିଥିରେ ବ୍ରାହ୍ମଣମାନଙ୍କୁ ଭୋଜନ କରାଇ ଦାନ ଧର୍ମ କରିବା ଉଚିତ । ଶେଷରେ ବ୍ରତ ରଖିଥିବା ବ୍ୟକ୍ତି ଖାଦ୍ୟ ଗ୍ରହଣ କରିବା ଉଚିତ ।

ଘରେ ସୁଖ ଏବଂ ଶାନ୍ତି ପାଇଁ ଇନ୍ଦିରା ଏକାଦଶୀ ଦିନ ସନ୍ଧ୍ୟାରେ ତୁଲସୀ ଆଗରେ ଗାଈ ଘିଅର ଏକ ଦୀପ ଜାଳନ୍ତୁ ଏବଂ ‘ॐ ବାସୁଦେବାୟ ନମଃ’ର ମନ୍ତ୍ର ଜପ କରନ୍ତୁ ଏବଂ ଏଗାର ଥର ପରିକ୍ରମା କରନ୍ତୁ। ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ଘରର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ।
ଏହି ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ହଳଦିଆ ଫୁଲ ଦ୍ୱାରା ତାଙ୍କୁ ସଜାନ୍ତୁ। ଧାର୍ମିକ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କର ହଳଦିଆ ରଙ୍ଗ ପ୍ରିୟ ଅଟେ , ଯେଉଁ କାରଣରୁ ତାଙ୍କର ପୂଜା ସାମଗ୍ରୀରେ ବ୍ୟବହୃତ ହେଉଥିବା ପ୍ରାୟତଃ ସବୁ ଜିନିଷ ହଳଦିଆ ରଙ୍ଗର ହୋଇଥାଏ। ଏହି କ୍ଷେତ୍ରରେ ହଳଦିଆ ଜିନିଷର ଦାନ କରିବା ମଧ୍ୟ ଶୁଭଦାୟକ ହୋଇଥାଏ।
ଇନ୍ଦିରା ଏକାଦଶୀରେ ଉପବାସ କରିବା ଉଚିତ ଏବଂ ଭଗବାନ ବିଷ୍ଣୁଙ୍କୁ କ୍ଷୀର ଭୋଗ ଅର୍ପଣ କରିବା ଉଚିତ। ମନେରଖନ୍ତୁ ଯେ ଏହା ତୁଳସୀ ବିନା ହେବା ଉଚିତ୍ ନୁହେଁ। ବିଶ୍ୱାସ କରାଯାଏ ଯେ ଏହି ଭୋଗର ପ୍ରସାଦ ଗ୍ରହଣ କରିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ଭାଇଚାରା ବୃଦ୍ଧି ପାଇଥାଏ। ଯେଉଁ ବ୍ୟକ୍ତି ଋଣ ଦ୍ୱାରା ଚିନ୍ତିତ ଅଛନ୍ତି , ସେଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ , ତାଙ୍କୁ ଏହି ଦିନ ଅଶ୍ୱତ୍ଥ ଗଛରେ ଶ୍ରଦ୍ଧା ଭାବନା ସହିତ ଜଳ ଅର୍ପଣ କରିବା ଉଚିତ।

ଏକାଦଶୀ_ମାହାତ୍ମ୍ୟ
ଆଶ୍ୱିନ କୃଷ୍ଣ ଇନ୍ଦିରା ଏକାଦଶୀ ବ୍ରତ ମାହାତ୍ମ୍ୟ

ଯୁଧିଷ୍ଠିର_ଉବାଚ
କହନ୍ତି ପଣ୍ଡୁଙ୍କ ନନ୍ଦନ । ଶୁଣନ୍ତୁ ଶ୍ରୀ ମଧୁସୁଦନ।।
ଆଶ୍ଵିନ କୃଷ୍ଣ ଏକାଦଶୀ । କି ନାମ ବୋଲି ତାକୁ ଭାଷି ।।
କି ଅବା ଅଛଇ ବିଶେଷ । କହିବା ପ୍ରଭୁ ପୀତବାସ ।।

ଶ୍ରୀକୃଷ୍ଣ_ଉବାଚ
କହନ୍ତି କୃଷ୍ଣ ନୃପ ଶୁଣ । ଇନ୍ଦିରା ନାମ ତାର ଜାଣ ।।
ସେ ମହାବ୍ରତର ପ୍ରତାପେ । ନାଶ ଯାଆନ୍ତି ମହାପାପେ ।।
ଯେ ଅଧୋଯୋନିଗତ ନର । ଉଦ୍ଧାର ହୁଅନ୍ତି ସତ୍ଵର ।।
ଶୁଣ ହେ ସାବଧାନ ତଥା । ଯେ ପାପ ହରଇ ସର୍ବଥା ।।
ଏକା ହିଁ ମାହୀଷ୍ମତୀ ଭାଗେ। ନୃପତି ପୂର୍ବେ ସତ୍ୟଯୁଗେ।।
ନାମରେ ଇନ୍ଦ୍ରସେନ ଜାଣ । ଯେ ରିପୁ କୁଳର ଶମନ ।।
ଧର୍ମରେ ପାଳିଲାକ ମହୀ । ପୁତ୍ର ପୌତ୍ରରେ ଯୁକ୍ତ ହୋଇ।।
ଯଶସ୍ବୀ ଧନ ଧାନ୍ୟବନ୍ତ । ଯେ ଦାନୀ ମାନୀ ବିଷ୍ଣୁ ଭକ୍ତ ।।
ମୁକ୍ତିର ଗୋବିନ୍ଦ ନାମକୁ । ଜପନ୍ତି ପାନ୍ତି ଆଧ୍ୟାତ୍ମ୍ୟକୁ ।।
ନେଲେ ସେ ଦାନ ପୁଣ୍ୟ କାଳ । ସର୍ବତ୍ର ଜୟ ଯାର କାଳ।।
ଏକ ଦିନରେ ସଭାଘରେ । ବସିଅଛନ୍ତି ସେ ସୁଖରେ।।
ଅଶ୍ୱରୁ ଓହ୍ଲାଇ ନାରଦ । ପ୍ରବେଶ ହୋଇଲେ ସଂସଦ ।।
ଦେଖି ଉଠିଲେ ହସ୍ତ ଯୋଡ଼ି । ବିଧିରେ ନମସ୍କାର କରି ।।
ଯୋଗ୍ୟ ଆସନେ ବସାଇଲେ । ପୂଜାର ବିଧି ପଚାରିଲେ।।
ରାଜାଙ୍କ ପୂଜା ଅର୍ଘ୍ୟ ଘେନି । ସୁଖେ ଆସନେ ବସି ମୁନି ।।
ହସି କହିଲେ ନୃପବର । ସପ୍ତାଙ୍ଗେ କୁଶଳ ତୁମର।।
ଧନରେ ଅଛି ଟିକି ମନ । ବିଷ୍ଣୁ ଭକ୍ତିରେ କରି ଧ୍ୟାନ ।।

ରାଜୋବାଚ
ତୁମ୍ଭ ପ୍ରସାଦେ ମୁନିଶ୍ରେଷ୍ଠ । ସର୍ବତ୍ର କୁଶଳ ଗରିଷ୍ଠ ।।
ଯହିଁରେ ତୁହି ଦାନ ପୁଣ୍ୟ । ସେ ହେଲେ ସୁଫଳ ମୁଁ ଧନ୍ୟ ।।
ତୁମ୍ଭେ ସାକ୍ଷାତ ମୁନିଶ୍ବର । ପ୍ରବେଶ ହେଲେ ମୋର ପୁର ।।
ବିସ୍ପୃହ ତପସିଦ୍ଧ ତୁମ୍ଭେ । ଆଗମ ହେତୁ କି ସମ୍ଭବେ ।।
ତଥାପି ପର ଉପକାରେ । ତୁମ୍ଭେ ବୁଲୁଛ ଏ ସଂସାରେ ।।
ଏ ଘେନି ପଚାରୁଛି ମୁହିଁ । କହି ନିଷ୍ପାପ କରି ତୁହି ।।
ଆଗମ କାରଣ କହିବ । ଆମ୍ଭଙ୍କୁ ଦୁସ୍ତରୁ ତାରିବ ।।

ନାରଦ_ଉବାଚ
ବିସ୍ମୟପ୍ରଦ ମୋ ବଚନ । ଶୁଣ ହେ ରାଜା ଇନ୍ଦ୍ରସେନ ।।
ଏକଇ ଦିନ ଉତ୍ସୁକରେ । ବାହାର ହେଲି ଭ୍ରମଣରେ ।।
ମନ ଉତ୍ସାହେ ଏକଦିନେ । ଗଲି ମୁଁ ଯମଙ୍କ ସଦନେ।।
ଦେଖିଲି ସଭାକରି ଯମ । ବସି ଅଛନ୍ତି କିବା ସୋମ।।
କହୁଅଛନ୍ତି ଧର୍ମମାନ । ପ୍ରାୟସ ଯେ ଧର୍ମରାଜନ ।।
ଶୁଣୁଅଛନ୍ତି ତତ୍ଵବାଦ । ଋଷିମାନଙ୍କ ଯେ ସମ୍ବାଦ ।।
ଦେଖି ଝଟତି ଉଠି ଯମ । କରିଣ ମୋ ପାଦେ ପ୍ରଣାମ।।
ଦେଇ ଉଚିତ ପୀଠ ଆଣି । କଲେ କୁଶଳ ପ୍ରଶ୍ନବାଣୀ ।।
ଆଜ ସୁଯୋଗ ଯୋଗୀବର । ପ୍ରବେଶ ହେଲେ ମୋର ପୁର।।
ଶ୍ରୀଗୀତା ଭାଗବତ ଚିନ୍ତା । ଫଳ ଏ ଅନ୍ୟରେ ନୁହଁନ୍ତା।।
କାହିଁ ନାରଦ ଦେବରଷି । କାହିଁ ଏ ଯମପୁର ବାସୀ ।।
ଈଶ୍ଵର ଅନୁଗ୍ରହ ବିନା । ଏହା ନୁହଁଇ ଏକା ସିନା ।।
ଦେଖିଲି ଧର୍ମରାଜା ପାଖେ । ଅଛନ୍ତି ଧର୍ମଶୀଳ ଲୋକେ।।
ଯେ ପୁଣ୍ୟକରି ସତ୍ୟ ଭାଷେ । ସେହି ଯେ ଯମପାଶେ ବସେ।।
ଈଦୃଶ ଯମ ସ୍ଵଭାବତ । ହୋଇଅଛନ୍ତି ତୁମ୍ଭ ତାତ ।।
ବ୍ରତ କୈବଲ୍ୟ ଦୋଷ ହେତୁ। ଦେଖିଲି ମାହୀଷ୍ମତୀ କେତୁ।।
ସେ କହିଅଛନ୍ତି ସନ୍ଦେଶ। ଶୁଣ ହୋ ମାହୀଷ୍ମତୀ ଈଶ।।
ଯେ ଇନ୍ଦ୍ରସେନ ହୋଇ ଖ୍ୟାତ। ଅଛନ୍ତି ମାହୀଷ୍ମତୀ ନାଥ।।
ତାଙ୍କ ଆଗରେ କହ ଯାଇ। ତମ ପାଖରେ ଅଛି ମୁହିଁ।।
ପୂରୁବ ଜନ୍ମର ଦୁରିତ। କି ଅବା ହୋଇଲା ଉଦିତ।।
ଇନ୍ଦିରା ବ୍ରତ ପୁଣ୍ୟ ଦେଇ। ନିଅ ସ୍ୱର୍ଗକୁ ମୋତେ ତୁହି।।
ଏମନ୍ତ ତୁମ୍ଭ ପିତା ବାକ୍ୟେ। ଅଇଲି ଜାଣ ସତ୍ୟ ବାକ୍ୟେ।।
ପିତାଙ୍କ ସ୍ୱର୍ଗ କାମ ହୋଇ। କର ଇନ୍ଦିରା ବ୍ରତ ତୁହି।।

ରାଜୋବାଚ
କରିଣ ଅନୁଗ୍ରହ ମୋତେ। କହନ୍ତୁ ଏ ବ୍ରତ କେମନ୍ତେ।।
କେଉଁ ବିଧିରେ ଏ ଇନ୍ଦିରା। ବାର ଏ କିବା ତିଥିବରା।।
ହେ ରାଜା ଇନ୍ଦ୍ର ଶୁଣ ତୁହି। ଏ ବ୍ରତ ଶୁଭ ବିଧି କହି।।
ଆଶ୍ୱିନ କୃଷ୍ଣ ଦଶମୀରେ। କରିବ ପ୍ରାତଃସ୍ନାନ ନରେ।।
ଶ୍ରଦ୍ଧା ରଖିବ ମାନସରେ। ଯେ ରୂପେ ପାପ ମାନସରେ।।
ମଧ୍ୟାହ୍ନ ସମୟକୁ ଜାଣି। ସ୍ନାନ କରିବ ନରେ ପୁଣି।।
କରିବ ଇଷ୍ଟ କର୍ମ ମାନ। ଭକ୍ତିରେ ହବିଷ୍ୟ ଭୋଜନ।।
ଛାଡ଼ିବ ଜାୟା ଶଯ୍ୟା ସଙ୍ଗ। ଶୟନ କରିବ ଭୂଭାଗ।।
ରହିବ କାମ କ୍ରୋଧ ଜିଣି। ନେବ ଦଶମୀ ନିଶି ପୁଣି।।
ବିମଳ ପ୍ରାତଃକାଳ ଦିଶି। ଜାଣିବ ହେଲା ଏକାଦଶୀ।।
ଦନ୍ତ ଧାବନ ପୂର୍ବ କରି ।ମୁଖରେ ପ୍ରକ୍ଷାଳନ ସାରି।।
ଉପବାସର ସେ ନିୟମ। ସୁମକ୍ତ ଭାବରେ ଘେନିଣ।।
ଆଜି ହୋଇବ ନିରାହାର। ସମସ୍ତ ଭୋଗ କରି ଦୂର।।
କାଲି ଭୁଞ୍ଜିବ ତହିଁ ଅନ୍ତେ। ଶରଣ ପୁଣ୍ଡରିକ ନେତ୍ରେ।।
ଏ ରୂପେ କରିଣ ନିୟମ। ମଧ୍ୟାହ୍ନେ ପୁଣ କରି ସ୍ନାନ।।
ବସାଇ ଆଗେ ଶାଳଗ୍ରାମ। କରିବ ଯେ ବିଧି ନିୟମ।।
ପିତୃ ମାତୃଙ୍କ ଶ୍ରଦ୍ଧା ପାଇ। କରିବ ଶ୍ରାଦ୍ଧ ଶ୍ରଦ୍ଧା ବହି।।
ଗୋଧୂମ ମାସ ଯବଧାନ। ଚଣକ ବ୍ରୀହି ତିଳ ଘେନ।।
ଏହିମାନଙ୍କେ ଶ୍ରାଦ୍ଧ କର। ଏ ପିତୃଲୋକ ଶ୍ରଦ୍ଧାକର।।
ନିତ୍ୟ ଏ ଉପବାସ ଜାଣ। ଶ୍ରଦ୍ଧାକୁ ନୈମିତ୍ତିକ ଗଣ।।
ଆଘ୍ରାଣ କରି ପିତୃ ଦତ୍ତ। କରିଣ ଉପବାସ ବ୍ରତ।।
ଏ ଶ୍ରାଦ୍ଧ କରି ପିତୃ ଦିନେ। ଯେବେ ନ ଭୁଞ୍ଜି ବିପ୍ରଜନେ।।
ଦେବତା ହବ୍ୟ ନ ଘେନନ୍ତି। କବ୍ୟକୁ ପିତାଏ ତେଜନ୍ତି।।
ଯେ ଅଛି ଶାସ୍ତ୍ରମାନଙ୍କରେ। ଆଘ୍ରାଣେ ଅଧ ଭୋଜନରେ।।
ଯେ ଏକାଦଶୀ ପର ନୋହେ। ଯେଣୁ ଏ ଦିନ ପାପରହେ।।
ରହନ୍ତି ଅନ୍ନ ଆଶ୍ରେ କରି। ଏଣୁ ଏ ଦିନେ ଅନ୍ନ ଛାଡ଼ି।।
ଆଘ୍ରାଣ କରି ପିତୃ ଅନ୍ନ। ସାର ଯେ ଶ୍ରାଦ୍ଧ ବିଧିମାନ।।
ବ୍ରାହ୍ମଣେ ଦେବ ସୁଭୋଜନ। ଦକ୍ଷିଣା ଦାନେ ତୋଷି ମନ।।
ସୁଗନ୍ଧ ଧୂପ ଦୀପ ବାସ। ଦେଇ ପୂଜିବ ହୃଷୀକେଶ।।
ରାତ୍ରରେ ଜାଗରଣ କରି। ଥିବ କେଶବ ଅନୁସରି।।
ଶର୍ବରୀ ଯାଇ ପ୍ରାତଃ କାଳେ। ପ୍ରବେଶ ଦ୍ୱାଦଶୀର ବେଳେ।।
ଯାଇଣ ସ୍ନାନ ବିଧି ସାରି। ଭକ୍ତିରେ ପୂଜ ନରହରି।।
ସାରିବ ମଧ୍ୟାହ୍ନିକ ବିଧି। ପୂଜା କରିବ କୃପାନିଧି।।
ହବିଷ୍ୟ ଅନ୍ନକୁ ଭୁଞ୍ଜିବ ।ଏ କାଳେ କଥା ନ କହିବ।।
ଯେ ମହାରାଜା ଏ ବିଧିରେ। କରିବ ବ୍ରତକୁ ଆଦରେ।।
ତୁମ୍ଭର ପିତୃ ଲୋକମାନେ। ବିଷ୍ଣୁ ଲୋକକୁ ଯିବେ ଏଣେ।।
କୃଷ୍ଣ କହିଲେ ଯୁଧିଷ୍ଠିର। ଏମନ୍ତ କହି ଋଷିବର।।
ଗଲେ ସେ ଅନ୍ତର୍ଦ୍ଧାନ ହୋଇ। ଇନ୍ଦ୍ରସେନକୁ ଚିନ୍ତା ଦେଇ।।
ଇନ୍ଦିରା ବ୍ରତ ନିକଟରେ। ଡିଣ୍ଡିମ ଦେଲେ କଟକରେ।।
ଆଜ ହବିଷ ସର୍ବେ କର। ଆଜ ଇନ୍ଦିରା ବ୍ରତ କର।।
ଶୁଣି ଏ ଡିଣ୍ଡିମର ଧ୍ୱନି। ବ୍ରତେ ସମସ୍ତେ ସାବଧାନି।।
ବ୍ରାହ୍ମଣମାନଙ୍କୁ ବିଚାରି। କଲେ ଯେ ବିଧାନ ପ୍ରଚାରି।।
ଆଶ୍ୱିନ କୃଷ୍ଣ ଏକାଦଶୀ। ଯାହାକୁ ଇନ୍ଦିରା ଆଭାଷି ।।
ଏ ବ୍ରତ କରିବ ସମସ୍ତେ। ଇନ୍ଦ୍ରସେନର ଆଜ୍ଞା ମତେ ।।
ପ୍ରାତଃ କାଳରୁ ସ୍ନାନ ସାରି। ସେ ମାହୀଷ୍ମତୀ ଦଣ୍ଡଧାରୀ ।।
ଦଶମୀ ବିଧି ଆଚରିଲେ। ଯେ ଅବା ଅନ୍ତପୁରେ ଥିଲେ ।।
ଜାୟା ଆତ୍ମଜ ଘେନି ରାଜା। ବିଷ୍ଣୁଙ୍କୁ ଅନ୍ନ କରି ପୂଜା ।।
ହବିଷ୍ୟ କରି ତଳେ ଶୋଇ। କଲେ ଦଶମୀ ବ୍ରତ ସେହି ।।
ଦଶମୀ ହେଲା ଅବଶେଷ। ଦିଶିଲା ଦିଶେ ରବି ତ୍ରାସ ।।
ନୃପତି ଅବକାଶ ହେଲେ। ସ୍ନାନ କରିଣ ବିଜେ କଲେ ।।
ସଂକଳ୍ପ ଏକାଦଶୀ କଲେ। ଯେ ରୂପେ ନାରଦ କହିଲେ ।।
ସ୍ନାନ ଶ୍ରବଣ ଉପବାସ। ଜାଗର ବିଷ୍ଣୁ ପୂଜା ରସ ।।
ଭାବି ନାରଦ ଉପଦେଶ।କଲେ ସେ ବ୍ରତଙ୍କର ଈଶ ।।
ଯଥା ବିଧିରେ କରି ବ୍ରତ। ଦ୍ୱାଦଶୀ ପ୍ରବେଶେ ନୃନାଥ ।।
ସ୍ନାନାଦି ସର୍ବେ କର୍ମ ସାରି। ହବିଷ୍ୟ କଲେ ଦଣ୍ଡଧାରୀ ।।
ବ୍ରତ କରିଣ ଇନ୍ଦ୍ରସେନ। ପିତାଙ୍କୁ କଲେ ସମର୍ପଣ ।।
ସ୍ୱର୍ଗରୁ ହେଲା ପୁଷ୍ପ ବୃଷ୍ଟି। ନୃପ ମନରେ ହେଲା ତୁଷ୍ଟି ।।
ପିତା ଆରୋହି ପକ୍ଷବର। ଗଲେ ସେ ବଇକୁଣ୍ଠ ପୁର ।।
ରାଜ୍ୟକୁ ଅକଣ୍ଟକ କରି। ବହୁତ କାଳ ଭୋଗ କରି ।।
ରାଜ୍ୟେ ପୁତ୍ରକୁ ରାଜା କରି। ଗଲେ ସେ ଆପେ ସ୍ୱର୍ଗପୁରୀ ।।
ମାହାତ୍ମ୍ୟ ଇନ୍ଦିରା ବ୍ରତର। କହିଲି ଆଗରେ ତୁମ୍ଭର ।।
ଯାହାକୁ ପଢି଼ ଅବା ଶୁଣି। ପାପରୁ ମୁକ୍ତ ହୁଏ ପ୍ରାଣୀ ।।

ଇତି ଶ୍ରୀ ବ୍ରହ୍ମବୈବର୍ତ୍ତ ପୁରାଣେ ଆଶ୍ୱିନ କୃଷ୍ଣ
ଇନ୍ଦ୍ରିରୈକାଦଶୀ ମାହାତ୍ମ୍ୟେ ନାମ ଏକବିଂଶୋଧ୍ୟାୟଃ।।

🔴ପବିତ୍ର  #ବିଶ୍ଵକର୍ମା_ପୂଜା ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🔴 ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ଵକ...
16/09/2025

🔴ପବିତ୍ର #ବିଶ୍ଵକର୍ମା_ପୂଜା ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🔴

ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ଵକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ । ଆଦି କାଳରେ ବିଶ୍ଵକର୍ମା ତାଙ୍କର ବିଶିଷ୍ଟ ଶିଳ୍ପ ଜ୍ଞାନ ଏବଂ ବିଜ୍ଞାନ ଗୁଣ ଯୋଗୁଁ ଦେବତା ଓ ମାନବ ଦ୍ଵାରା ପୂଜିତ । ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା ।

ସୃଷ୍ଟି ରଚନା
ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା। ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ପୁରାଣରୁ ଜଣାଯାଏ ବିଶ୍ଵକର୍ମା ରୂପକ ବ୍ରହ୍ମା ପ୍ରାଣୀ ଜଗତ ସୃଷ୍ଟି ପାଇଁ ୮୪ ଲକ୍ଷ ଯୋନି ଉତ୍ପନ୍ନ କରିଥିଲେ । ବ୍ରହ୍ମା ଶ୍ରୀବିଷ୍ଣୁଙ୍କୁ ଜଗତରେ ଉତ୍ପନ୍ନ କରି ସମସ୍ତ ପ୍ରାଣୀକୁ ରକ୍ଷା ଓ ଭରଷପୋଷଣ ଦାୟିତ୍ଵ ଦେଲେ ।
ପ୍ରଜାଙ୍କୁ ଠିକ୍ ଓ ସୂଚାରୁ ରୂପେ ପାଳନ ଓ ହୁକୁମ ଦେବା ପାଇଁ ତାଙ୍କୁ ଅତ୍ୟନ୍ତ ଶକ୍ତିଶାଳୀ ତିବ୍ରଗାମୀ ସୁଦର୍ଶନ ଚକ୍ର ପ୍ରଦାନ କଲେ । ସଂସାରର ପ୍ରଳୟ ପାଇଁ ଅତ୍ୟନ୍ତ ଦୟାଳୁ ବାବା ଭୋଳାନାଥ ଶ୍ରୀ ଶଙ୍କରଙ୍କୁ ଦାୟିତ୍ଵ ଦେଲେ । ଭଗବାନ ଶଙ୍କରଙ୍କୁ ଡମ୍ବରୁ, କମଣ୍ଡଳ, ତ୍ରିଶୂଳ ଆଦି ପ୍ରଦାନ କଲେ । ତାଙ୍କ କପାଳରେ ପ୍ରଳୟକାରୀ ତୃତୀୟ ନେତ୍ର ପ୍ରଦାନ କଲେ ଓ ତାଙ୍କୁ ପ୍ରଳୟ ଶକ୍ତି ପ୍ରଦାନ କରି ଶକ୍ତିଶାଳୀ କରିଥିଲେ ।
ଯଥାନୁସାରେ ପ୍ରତ୍ୟେକ ଦେବତାଙ୍କ ପାଇଁ ଦେବୀ ରାଗ – ରାଗିନୀ ବୀଣାବାଦିନୀ ସରସ୍ଵତୀ, ମା’ ଲକ୍ଷ୍ମୀ, ମା’ ଗୌରୀ ବା ପାର୍ବତୀଙ୍କୁ ଦେଇ ଦେବତାମାନଙ୍କୁ ସୁଶୋଭିତ କରିଥିଲେ ।
ବିଶ୍ଵକର୍ମାଙ୍କ ପାଞ୍ଚ ଅବତାର
ଆମ ଧର୍ମଶାସ୍ତ୍ରୋ ତଥା ଗ୍ରନ୍ଥୋରେ ବିଶ୍ଵକର୍ମାଙ୍କ ପାଞ୍ଚ ସ୍ୱରୂପ ଅବା ଅବତାରର ବର୍ଣ୍ଣନା ରହିଛି ।
ବିରାଟ ବିଶ୍ଵକର୍ମା : ସୃଷ୍ଟି ରଚେତା
ଧର୍ମବଂଶୀ ବିଶ୍ଵକର୍ମା : ମହାନ ଶିଳ୍ପ ବିଜ୍ଞାନ ବିଧାତା ପ୍ରଭାତ ପୁତ୍ର
ଅଗ୍ନିବଂଶୀ ବିଶ୍ଵକର୍ମା : ଆଦି ବିଜ୍ଞାନ ବିଧାତା ବସୁ ପୁତ୍ର
ସୁଧନ୍ଵା ବିଶ୍ଵକର୍ମା : ମହାନ ଶିଳ୍ପଚାର୍ଯ୍ୟ ବିଜ୍ଞାନ ଜନ୍ମଦାତା ଋଷି ଅଥବୀଙ୍କ ପୁତ୍ର
ଭୁଗୃବଂଶୀ ବିଶ୍ଵକର୍ମା : ଉତ୍କୃଷ୍ଠ ଶିଳ୍ପ ବିଜ୍ଞାନଚାର୍ଯ୍ୟ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର
ପଞ୍ଚମୁଖ ବିଶ୍ଵକର୍ମା
କନ୍ଦପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ଵକର୍ମୀଙ୍କର ପଞ୍ଚମୁଖ । ତାଙ୍କର ପାଞ୍ଚ ମୁଖ ଯାହା ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଋଷିଙ୍କ ମନ୍ତ୍ର ଦ୍ଵାରା ଉତ୍ପନ୍ନ ହୋଇଛି । ତାଙ୍କର ନାମ ହେଉଛି ମନୁ, ମୟ, ତ୍ଵଷ୍ଟା, ଶିଳ୍ପୀ ଓ ଦେବଜ୍ଞ । ଏମାନଙ୍କୁ ମଧ୍ୟ ପାଞ୍ଚପୁତ୍ର କୁହାଯାଏ ।
ଋଷି ମନୁ ବିଶ୍ଵକର୍ମା – ଏହାଙ୍କୁ ସାନଗ ଗୋତ୍ରର ବୋଲି କୁହାଯାଏ । ଲୁହାର କାମର କାରିଗରୀ ଅଟନ୍ତି । ଏମାନଙ୍କ ବଂଶଜ ଲୋହକାର ରୂପେ ଜଣାପଡ଼ିଥିଲେ ।
ସନାତନ ଋଷି ମୟ – ଏମାନଙ୍କୁ ସନାତନ ଗୋତ୍ରର କୁହାଯାଏ । ଏମାନେ ବଢେଇ କାମର କାରିଗରୀ ସୃଷ୍ଟି କରିଥିଲେ । ଏମାନଙ୍କ ବଂଶଜଙ୍କୁ କାଷ୍ଠକାର ରୂପେ ମନାଯାଏ ।
ଅହଭୁନ ଋଷି ତ୍ଵଷ୍ଠା – ଏମାନଙ୍କ ଅନ୍ୟ ନାମ ତ୍ଵଷ୍ଠା । ଏମାନଙ୍କ ଗୋତ୍ର ଅହଂଭନ । ଏମାନଙ୍କ ବଂଶଜଙ୍କୁ ତାମ୍ରକ ରୂପେ ମନାଯାଏ। ଏମାନେ ତମ୍ବାର କାରିଗରୀ ଭାବେ ଜଣାଶୁଣା ହେଲେ ।
ପ୍ରୟତ୍ର ଋଷି ଶିଳ୍ପୀ – ଏମାନଙ୍କ ଅନ୍ୟ ନାମ ଶିଳ୍ପୀ, ଯାହାର ଗୋତ୍ର ପ୍ରୟତ୍ର । ଏମାନଙ୍କ ବଂଶଜ ଶିଳ୍ପକଳାର ଅଧିଷ୍ଠାତା ଅଟନ୍ତି । ଏମାନଙ୍କ ବଂଶଜଙ୍କୁ ମୂର୍ତ୍ତିକାର ବୋଲି ମନାଯାଏ ।
ଦେବଜ୍ଞ ଋଷି – ଏମାନଙ୍କ ଗୋତ୍ର ସୁର୍ପଣ । ଏମାନଙ୍କ ବଂଶଜଙ୍କୁ ସ୍ଵର୍ଣ୍ଣକାର ବୋଲି ମନାଯାଏ । ସ୍ଵର୍ଣ୍ଣ ଧାତୁରେ ଏମାନେ କାମ କରନ୍ତି ।
ପଞ୍ଚପୁତ୍ର
ପରମେଶ୍ଵର ବିଶ୍ଵକର୍ମାଙ୍କ ପାଞ୍ଚପୁତ୍ର ମନୁ, ମୟ, ତ୍ଵଷ୍ଠା, ଶିଳ୍ପୀ ଓ ଦେବଜ୍ଞ । ସଂସାରର ହିତ ପାଇଁ ଏମାନେ ଅସ୍ତ୍ରଶସ୍ତ୍ର ନର୍ମାଣ କରିଥିଲେ । ଲୋକହିତ ପାଇଁ ଅନେକ ପଦାର୍ଥ ତିଆରି କରିଥିଲେ ଯଥା : - ଘର, ମନ୍ଦିର, ଭବନ, ମୂର୍ତ୍ତି ଓ ଅଳଙ୍କାରମାନ ଆଦି ତିଆରି କରିଥିଲେ । ଏମାନଙ୍କ ପଦାର୍ଥ ଲୋକହିତକାରୀ । ଏଥିପାଇଁ ଏହି ପାଞ୍ଚ ଏବଂ ବନ୍ଦନୀୟ ବ୍ରାହ୍ମଣ ଯଜ୍ଞ କର୍ମ କରିଥାନ୍ତି । ଏମାନଙ୍କ ବିନା କୌଣସି ଯଜ୍ଞ ହୋଇପାରିବ ନାହିଁ ।
ମନୁ ଋଷି ଭଗବାନ ବିଶ୍ଵକର୍ମାଙ୍କ ସବୁଠାରୁ ବଡ ପୁତ୍ର । ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସହିତ ହୋଇଥିଲା । ସେ ମାନବ ସୃଷ୍ଟିର ନିର୍ମାଣ କରିଥିଲେ । ଏମାନଙ୍କ କୁଳରେ ଅଗ୍ନିଗର୍ଭ, ସର୍ବତୋମୁଖ, ବ୍ରହ୍ମ ଆଦି ଋଷି ଉତ୍ପନ୍ନ ହୋଇଥିଲେ ।
ଭଗବାନ ବିଶ୍ଵକର୍ମୀଙ୍କ ଅନ୍ୟ ପୁତ୍ର ମୟ ମହର୍ଷି । ତାଙ୍କର ବିବାହ ପରାସର ଋଷିଙ୍କ କନ୍ୟା ସୌସ୍ୟା ସହିତ ହୋଇଥିଲା । ସେ ଇନ୍ଦ୍ରଜାଳ ସୃଷ୍ଟିର ରଚନା କରିଥିଲେ । ତାଙ୍କର ବଂଶରେ ବିଷ୍ଣୁବର୍ଧନ, ସୂର୍ଯ୍ୟତନ୍ତ୍ରୀ, ତଖପାନ, ଓଜ, ମହୋଜ ମହର୍ଷି ଉତ୍ପନ୍ନ ହୋଇଥିଲେ ।
ଭଗବାନ ବିଶ୍ଵକର୍ମୀଙ୍କ ତୃତୀୟ ପୁତ୍ର ମହର୍ଷି ତ୍ଵଷ୍ଠା । ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଏମାନଙ୍କ ବଂଶରେ ତ୍ଵଷ୍ଠା, ତନ୍ତୁ, ବର୍ଧନ, ହିରଣ୍ୟଗର୍ଭ ଋଷି ଉତ୍ପନ୍ନ ହୋଇଥିଲେ । ଏମାନେ ଦେବତାଙ୍କ ପୂଜିତ ଋଷି ଥିଲେ ।
ଭଗବାନ ବିଶ୍ଵକର୍ମୀଙ୍କ ଚତୁର୍ଥ ପୁତ୍ର ମହୋର୍ଷି ଶିଳ୍ପୀ । ତାଙ୍କର ବିବାହ ଭୁଗଗୃ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା। ଏମାନଙ୍କର ବଂଶରେ ବୁଦ୍ଧି, ଧ୍ରୁନ, ହରିତାବଶ୍ଵ, ମେଧବାହ ନାଳ, ବସ୍ତୋଷ୍ୟତି, ଶବମୃତ୍ୟୁ ଆଦି ଋଷି ଥିଲେ। ଏମାନେ କଳା ବର୍ଣ୍ଣନା କରିଥିଲେ ।
ଭଗବାନ ବିଶ୍ଵକର୍ମୀଙ୍କ ପଞ୍ଚମପୁତ୍ର ମହର୍ଷି ଦେବଜ୍ଞ । ସେ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କୁ ବିବାହ କରିଥିଲେ । ଏମାନଙ୍କ ବଂଶରେ ସହଶାସ୍ତୁ, ହିରଣ୍ୟ, ସୂର୍ଯ୍ୟଗୋବିନ୍ଦ, ଲୋକବାନ୍ଧବ, ଅର୍କଷଳି ଇତ୍ୟାଦି ଋଷି ଜନ୍ମ ନେଇଥିଲେ । ଭଗବାନ ବିଶ୍ଵକର୍ମୀଙ୍କ ପଞ୍ଚମପୁତ୍ର ଓ ବଧୂ ମାଧ୍ୟମରେ ଜଗତରେ ବିଭିନ୍ନ କଳା କୌଶଳ ବିସ୍ତାର କରାଯାଇଥିଲା । ଆଜି ଯାହାବି ମଣିଷ ଜିନିଷ ବ୍ୟବହାର କରୁଛି, ତିଆରି କରୁଛି ଓ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ କରୁଛି, ତାହା ସେହି ଭଗବାନ ବିଶ୍ଵକର୍ମୀଙ୍କ କୃପା ।
ଭଗବାନ ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମାଣ
ଜଗନ୍ନାଥ
ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ବାଙ୍କି ମୂହାଣରୁ ସଂଗ୍ରହ କରାଯାଇଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ବଢେଇ ଖୋଜୁଥିଲେ । ଏହି ସମୟରେ ଜଣେ ବୁଢା ବଢେଇ ଆସି ପହଞ୍ଚି ଥିଲେ । ସେ ଯେ ମୂର୍ତ୍ତି ନିର୍ମାଣ କରିପାରିବେ ରାଜା ରାଣୀ ଏ ବିଶ୍ଵାସ କରିପାରିଲେ ନାହିଁ । ପରିଶେଷରେ ବୁଢା ବଢେଇକୁ ନିର୍ମାଣର ଦାୟିତ୍ଵ ଦିଆଗଲା । ବୁଢା ବଢେଇ ସର୍ତ୍ତ ରଖିଲେ ୨୧ ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ଵାର ଫିଟିବ ନାହିଁ । ସେ ଉପବାସ କରି ମୂର୍ତ୍ତିନିର୍ମାଣ କରିବେ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ଵାର ବନ୍ଦ ରଖିଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍ ଠକ୍ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । ହଠାତ୍ ଆଉ ଶବ୍ଦ ନ ଶୁଭିଭାରୁ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ। ସେ ଭାବିଲେ ବୁଢା ବଢେଇ ମୃତ୍ୟୁ ବରଣ କରିଛନ୍ତି । ଗୁଣ୍ଡିଚାରାଣୀଙ୍କ ଅନୁରୋଧରୁ ଦ୍ଵାରଉନ୍ମୁକ୍ତ କରାଗଲା । ଦେଖାଗଲା ଯେ ବୁଢା ବଢେଇ ନାହାନ୍ତି – ଅଛି କେବଳ ଦରଗଢା ଜଗନ୍ନାଥ ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡିବାରୁ ଶୂନ୍ୟବାଣୀ ହେଲା ଯେ – “ମୋର ଯେଉଁ ରୂପ ଆବିର୍ଭାବ ହେବାର ଇଚ୍ଛା ସେହି ରୂପରେ ହିଁ ଆବିର୍ଭୂତ ହୋଇଛି । ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢା ବଢେଇ ସ୍ଵୟଂ ସ୍ଵର୍ଗ କାରିଗର ବିଶ୍ଵକର୍ମା ।ଲକ୍ଷ୍ମୀଙ୍କ ଗୃହ
ଲକ୍ଷ୍ମୀ ପୁରାଣରୁ ମଧ୍ୟ ଜଣାଯାଏ ଯେ ବିଶ୍ଵକର୍ମୀଙ୍କ ପୁର ହେଉଛି ବୈକୁଣ୍ଠପୁର । ଶ୍ରୀୟାଚଣ୍ଡାଳୁଣୀ ଘରକୁ ଜଗତ ଜନନୀ ମା’ ଠାକୁରାଣୀ ଯାଇଥିଲେ ବୋଲି ବଳଭଦ୍ରଙ୍କ ପ୍ରରୋଚନାରେ ଯେତେବେଳେ ଜଗନ୍ନାଥ ତାଙ୍କୁ ମନ୍ଦିରରୁ ବାହାର କରିଦେଲେ ସେତେବେଳେ ମାଆ ଲକ୍ଷ୍ମୀ ବାପ ଘରକୁ ନଯାଇ ବିଶ୍ଵକର୍ମାଙ୍କୁ ସ୍ମରଣ କରି ନିବେଦନ କରିଥିଲେ ଗୋଟିଏ ଘର ନିର୍ମାଣ ପାଇଁ । ଏହି ବିଶ୍ଵକର୍ମା ବୈକୁଣ୍ଠରୁ ଅବତରଣ କରି ମା’ଙ୍କ ପାଇଁ ବୈକୁଣ୍ଠ ସମାନ ନଗର ନିର୍ମାଣ କରିଥିଲେ।ସୁଦାମା
ଭାଗବତରୁ ଜଣାଯାଏ ଯେ ସେତେବେଳେ ଭକ୍ତ ସୁଦାମା ଖୁବ ଭଜା ହାତରେ ଧରି ଦ୍ଵାରକାର ରାଜା କୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ । ସେତେବେଳେ କୃଷ୍ଣ ଆନନ୍ଦରେ କୁଣ୍ଢାଇ ପାକାଇଥିଲେ । ସୁଦାମା ନିଜର ମନକଥା କୃଷ୍ଣଙ୍କ ପାଖରେ ପ୍ରକାଶ କରିନଥିଲେ ମଧ୍ୟ ଅନ୍ତର୍ଯ୍ୟମୀଙ୍କୁ କେଉଁ କଥା ଅଗୋଚର ସଙ୍ଗେ ସଙ୍ଗେ ଦେବ ଦେବ କୃଷ୍ଣ ବିଶ୍ଵକର୍ମୀଙ୍କୁ ଆଜ୍ଞା ଦେଇଥିଲେ ସୁଦାମାର ପ୍ରାସାଦ ନିର୍ମାଣ କରି ଧନ ଧାନ୍ୟ ଗୋପଲକ୍ଷ୍ମୀରେ ଭରରୂପ କରିବା ଲାଗି । ଦ୍ଵାରକା ଭୁବନରେ ଥିବା କୃଷ୍ଣଙ୍କର ପୁର ମଧ୍ୟ ଏହି ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମିତ ବୋଲି ଭାଗବତକୁ ଜଣାଯାଏ ।ଦେବାଦେବୀଙ୍କ ବ୍ୟବାହାର୍ଯ୍ୟ ବସ୍ତୁ
ଭଗବାନ ବିଶ୍ଵକର୍ମା ଇନ୍ଦ୍ରପୁରୀ, ଯମପୁରୀ, ବରୁଣପୁରୀ, କୁବେରପୁରୀ, ପାଣ୍ଡବପୁରୀ, ସୁଦାମାପୁରୀ, ଶିବମଣ୍ଡଳପୁରୀ ଆଦି ନିର୍ମାଣ କରିଥିଲେ । ପୁଷ୍ପକ ବିମାନ ନିର୍ମାଣ ତଥା ସମସ୍ତ ଦେବୀଙ୍କ ଭବନ ଏବଂ ସେମାନଙ୍କ ଦୈନିକ ଉପଯୋଗୀ ବସ୍ତୁ ବିଶ୍ଵକର୍ମୀଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲେ । କର୍ଣ୍ଣଙ୍କ କୁଣ୍ଡଳ, ବିଷ୍ଣୁ ଭଗବାନଙ୍କ ସୁଦର୍ଶନ ଚକ୍ର, ଶଙ୍କର ଭଗବାନଙ୍କ ତ୍ରିଶୂଳ ଓ ଯମରାଜଙ୍କ କାଳଦଣ୍ଡ ଇତ୍ୟାଦି ନିର୍ମାଣ କରିଥିଲେ ଭଗବାନ ବିଶ୍ଵକର୍ମା ।ସୂର୍ଯ୍ୟ କିରଣ ସୃଷ୍ଟି
ଜୀବଜଗତକୁ ତିଷ୍ଠି ରଖିବାରେ ସହାୟକ ହେଉଥିବା ସୂର୍ଯ୍ୟ କିରଣ ମଧ୍ୟ ଭଗବାନ ବିଶ୍ଵକର୍ମୀଙ୍କ ଦ୍ଵାରା ସୃଷ୍ଟି ହୋଇଥିଲା । ରାଜବଲ୍ଲଭ ବାସ୍ତୁଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି । ଏହି ବର୍ଣ୍ଣନା ଅନ୍ୟ ଗ୍ରନ୍ଥରେ ମଧ୍ୟ ଦେଖିବାକୁ ମିଳେ । ବିଶ୍ଵକର୍ମୀଙ୍କୁ କମ୍ବାସୁତ୍ର, ପୁସ୍ତକ ଓ ଜ୍ଞାନସୂତ୍ର ଧାରକ । ହଂସ ଉପରେ ଆରୁଢ, ସର୍ବଦୃଷ୍ଟିଧାରକ, ଶୁଭ ମୁକୁଟ ଓ ବୁଦ୍ଧକାୟ ବୋଲି କୁହାଯାଏ ।
ବିଶ୍ଵର ସର୍ବପ୍ରଥମ ଟେକ୍ନିକ୍ ଗ୍ରନ୍ଥ ବିଶ୍ଵକର୍ମୀୟ ଗ୍ରନ୍ଥ ବୋଲି ମନାଯାଏ । ବିଭିନ୍ନ ଗ୍ରନ୍ଥ ମଧ୍ୟରେ ବିଶ୍ଵକର୍ମୀୟ ଗ୍ରନ୍ଥ ବହୁତ ପ୍ରାଚୀନ ମନାଯାଏ । ଏହି ଗ୍ରନ୍ଥରେ ବାସ୍ତୁବିଦ୍ୟା, ରଥର ବାହନ, ମାନବ ଓ ଦେବବାସ୍ତୁ ବିଦ୍ୟା ଗଣିତର ସୂତ୍ର ଏକା ସାଙ୍ଗରେ ରହିଛି । ଏହା ସମସ୍ତ ପ୍ରାମାଣିକ ଓ ପ୍ରାସଙ୍ଗିକ ।
ପୂଜାବିଧି
ଆଶ୍ଵିନ ମାସରେ ବିଶ୍ଵକର୍ମୀଙ୍କ ପୂଜା ପାଳିତ ହୁଏ । ଯେପରି ଧନର ଅଧିଶ୍ଵର ଗଣେଶ, ବିଦ୍ୟାର ଅଧିଶ୍ଵରୀ ସରସ୍ଵତୀ ଠିକ୍ ସେହିପରି ଶିଳ୍ପକାଳ, ଯାନ୍ତ୍ରୀକ ବିଦ୍ୟାର ଅଧିକାରୀ ବିଶ୍ଵକର୍ମୀ ବୋଲି ବିଶ୍ଵାସ କରାଯାଏ । ଅତୀତରେ ଏ ମୂର୍ତ୍ତିପୂଜାର ପ୍ରଚଳନ ନଥିଲା, ତେଣୁ ଘଟପୂଜା ହେଉଥିଲା । ତାଛଡା କେତେକ ସ୍ଥାନରେ ଶାଳଗ୍ରାମକୁ ପୂଜା ମଧ୍ୟ କରାଯାଉଥିଲା । ଏହି ଦିନଟି ଠିକ୍ ସରସ୍ଵତୀ ଓ ଗଣେଶ ପୂଜା ପରି କରାଯାଏ । ପ୍ରତ୍ୟେକ ନିଜ ନିଜର ଅୟୁଧନମାନ ପୂଜାରେ ବସାଇ ଏହି ଦିନଟି ଉପବାସ ରହିବେ। ନୂତନ ବସ୍ତ୍ର ପରିଧାନ ମଧ୍ୟ କରିପାରିବେ । ମୂର୍ତ୍ତି ପୂଜା କଳକାରଖାନା ଶିଳ୍ପାୟତନଗୁଡିକରେ କରିବେ । ଅନେକ ସ୍ଥାନରେ ଏହିଦିନ ଯାତ୍ରା, ପାଲା, ଦାଶକାଠିଆ ଆଦି କରାଯାଇଥାଏ । ଭଗବାନଙ୍କର ଚତୁର୍ଭୁଜ ମୂର୍ତ୍ତି ପୂଜା ପାଇଥାଏ । ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ କେଉଁ କେଉଁ ସ୍ଥାନରେ ମାର୍ତ୍ତୁଲ ବା ନିକିତି । ଦକ୍ଷିଣ ଉପର ହାତରେ ଚନ୍ଦ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଠାଣି ଦୃଷ୍ଟିଗୋଚର ହୁଏ । ବିଶ୍ଵକର୍ମୀଙ୍କ ବର୍ଣ୍ଣ ଗୌରବର୍ଣ୍ଣ । ଭଗବାନ ବିଶ୍ଵକର୍ମୀଙ୍କ ବାହନ କେତେକ ସ୍ଥଳରେ ହାତୀ ପୁଣି ପୁଣି କେତେକ ସ୍ଥାନରେ ହଂସ । ଦୁଇ ଚକ୍ଷୁ, ପରିଧାନ ସାଧାରଣ ଲୁଗା, ଚଦର ଓ ବକ୍ଷରେ ପଇତା ଓ ମାଳା । ଏ ପୂଜା ପଦ୍ଧତି ଠିକ୍ ଅନ୍ୟ ପୂଜାପଦ୍ଧତି ପରି ।
🍀🌻☘️🌻☘️🌻☘️🌻
🌹ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।*
*🌹ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।*

*ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।*

*🌹ଅବତାର ଓ ପଞ୍ଚମୁଖସମ୍ପାଦନ କରନ୍ତୁ*

*🌺ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା ।*
*🌺 ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।*

*👉ବଂଶାବଳୀସମ୍ପାଦନ କରନ୍ତୁ*

ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ । ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା । ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ବିଦିତ । ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ । ‘ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ’ (ବାମନ ପୁରାଣ - ୬୫ /୧୦୨) । ତ୍ୱଷ୍ଟା - ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷକରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବିବର୍ଣ୍ଣିତ । ପୁନଶ୍ଚ ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗବେଶ୍ୟା ହିଁ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ । ‘ଅମର କୋଷ’ ବର୍ଣ୍ଣନା ଅନୁସାରେ ସ୍ୱର୍ଗ ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଅନ୍ୟତମ ଥିଲେ ।

ଘୃତାଚୀ ମେନକା ରମ୍ଭା ଉର୍ବଶୀ ଚ ତିଳୋତମା
ସୁକେଶୀ ମଞ୍ଜୁଘୋଷାଦ୍ୟା କଥ୍ୟନ୍ତେଦ୍ଧସ୍ପରସୋ ବୁଧୈଃ ।

ବ୍ରହ୍ମବୈବର୍ତ୍ତ ପୁରାଣମତେ ଏକଦା ଘୃତାଚୀ ବେଶଭୂଷା ହୋଇ କାମଦେବଙ୍କ ନିକଟକୁ ରମଣାର୍ଥେ ପୁଷ୍କର ତୀର୍ଥକୁ ଗମନ କରୁଥିଲେ । ସେହି ସମୟରେ ଦେବଶିଳ୍ପୀ ବିଶ୍ୱକର୍ମା ସ୍ୱର୍ଗଲୋକରୁ ପ୍ରତ୍ୟାବର୍ତ୍ତନ କରୁଥିବା ଅବସ୍ଥାରେ ଘୃତାଚୀଙ୍କୁ ଭେଟିଥିଲେ । ଘୃତାଚୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବିଶ୍ୱକର୍ମା ଆସକ୍ତ ମାନସିକତାରେ ଉପନୀତ ହୋଇଥିଲେ । ଘୃତାଚୀ କିନ୍ତୁ କାମଦେବଙ୍କ ସହ ରମଣ ଉଦ୍ଦେଶ୍ୟରେ ଗମନ କରୁଥିଲେ । ଏଣୁ ସେ ବିଶ୍ୱକର୍ମାଙ୍କୁ ପ୍ରବୃତ୍ତିରୁ ନିବୃତ୍ତି ହେବାକୁ ପରାମର୍ଶ ଦେଲେ । କହିଲେ “ହେ ଦେବଶିଳ୍ପୀ, ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟାମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତା ହିଁ ପତି ସ୍ୱରୂପ । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ । ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ ଅଟ । ଏଣୁ ଗୁରୁପତ୍ନୀ ହରଣ କରିବା ଅବିଧେୟ । ଆସନ୍ତାକାଲି ତୁମେ ମୋର ପତି ହେବ ନିଶ୍ଚୟ ।” ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ଭାବେ ଜନ୍ମହେବାକୁ ଅଭିଶାପ ଦେଲେ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ ବିଷୟରେ ପ୍ରଶ୍ନକଲେ । କିନ୍ତୁ ବ୍ରହ୍ମା ଘୃତାଚୀର ଭିନ୍ନ ବୃତ୍ତି ସତ୍ତ୍ୱେ ସ୍ୱର୍ଗରେ ପତିବ୍ରତା ସତୀର ମାନ୍ୟତା ଦେବାରୁ ତାହାର ଅଭିଶାପ ନିଷ୍ଫଳ ନୁହେଁ ବୋଲି ବିଶ୍ୱକର୍ମାଙ୍କୁ ଅବଗତ କରିଥିଲେ । ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବ୍ରାହ୍ମଣ କୂଳରେ ଜନ୍ମ ନେଇଥିଲେ ଓ ତାଙ୍କର ଜାତିସ୍ମର ଥିବାରୁ ସେ ସବୁକଥା ଜାଣିପାରୁଥିଲେ । ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ସ୍ନାନ କରୁକରୁ ଏକ ଅନିନ୍ଦ୍ୟ ରୂପବତୀ କନ୍ୟାକୁ ଦେଖିଲେ ଓ ଅନୁଭବ କରି ଜାଣିପାରିଲେ ଯେ, ସେ ଘୃତାଚୀ ବୋଲି । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ । ତାଙ୍କଠାରୁ ନଅଟି ସନ୍ତାନ ଉତ୍ପତ୍ତି ହୋଇଥିଲେ । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର । ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଥିଲେ । କନ୍ୟା ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କ ଠାରୁ ଶିଲେଇ ଶିଳ୍ପ ଶିକ୍ଷାଦାନ ପାଇଥିଲେ ।

ପୁନଶ୍ଚ ଉକ୍ତ ପୁରାଣରେ ଉଲ୍ଲେଖ ଅନୁସାରେ ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣର ସୁନା ଚୋରୀ କରିବାରୁ ସ୍ୱର୍ଣ୍ଣକାର ପତିତ ରୂପେ ବିବେଚିତ ହେଲେ । ସେହିପରି ଯଜ୍ଞ ସମୟରେ ସୂତ୍ରଧର କାଠ ଯୋଗାଣରେ ବିଳମ୍ବ କରି ମଧ୍ୟ ପତିତ ହୋଇଥିଲେ । (ବୈଦିକ ଜାଗଯଜ୍ଞରେ ବଢ଼େଇଙ୍କ ବାରିସୀ ହଣା କାଠର ବ୍ୟବହାର ଏବେବି ପ୍ରଚଳନ ରହିଛି ) । ଚିତ୍ରକାର ଏକ ଶୂଦ୍ର ବେଶ୍ୟା ସହ ଆଶକ୍ତ ହୋଇ ଅଟ୍ଟାଳିକାର (ରାଜମିସ୍ତ୍ରୀ) ରୂପେ ଆର୍ବିଭୂତ ହୋଇଥିଲେ । ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି । ‘ବାମନ ପୁରାଣ’ ଉଲ୍ଲେଖ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଅଭିଶପ୍ତ ହୋଇ ଦାନବ ରୂପ ଧାରଣ କରିଥିଲେ । ଋଷି ଋତୁଧ୍ୱଜଙ୍କ ଠାରୁ ବର ଲାଭକରି ଘୃତାଚୀଙ୍କ ସହ ସଂପର୍କ ରଖି 'ନଳ'ଙ୍କୁ ଜନ୍ମକରି ଶାପମୁକ୍ତ ହୋଇଥିଲେ-

ତସ୍ମିନ୍ ଗୋଦାବରୀ ତୀର୍ଥେ ପ୍ରସୂତା ତନୟଂ ନଳମ୍
ଜାତୋଦ୍ଧପତ୍ୟ କପିତ୍ୱାତ୍ ଚ ବିଶ୍ୱକର୍ମଣ୍ୟପ୍ୟପ୍ୟୁତ୍ୱାତ୍ । (ବାମନ ପୁରାଣ - ୬୫ / ୧୫୪)

ବାନର ସେନାପତି ନଳ, ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ନଳ ପଥରମାନଙ୍କୁ ସ୍ପର୍ଶ କରିବାପରେ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ । ବିଶ୍ୱକର୍ମାଙ୍କର ଏକପୁତ୍ରୀ ଚିତ୍ରଙ୍ଗଦା ରାଜା ସୁରଥଙ୍କୁ ବିବାହ କରିଥିଲେ । ପୌରାଣିକ କଥା ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ବା ତ୍ୱଷ୍ଟାଙ୍କୁ ଅଗ୍ନିଦେବତା ଭାବେ ସ୍ୱୀକାର କରାଯାଇଥାଏ । ଯାହାଙ୍କର ତ୍ରିଶିରା ନାମକ ପୁତ୍ର ତଥା ସଂଜ୍ଞା ନାମକ କନ୍ୟା ଥିଲେ । ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କ ସହ ସେ ବିବାହ ସଂପନ୍ନ କରାଇଥିଲେ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜରାଶିକୁ ସଂଜ୍ଞା ସହି ନପାରିବାରୁ ତ୍ୱଷ୍ଟା ବିଶ୍ୱକର୍ମା ୧୦୮ ସୂର୍ଯ୍ୟସ୍ତୋତ୍ର ପାଠକରି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିଥିବା କଥା ନରସିଂହ ପୁରାଣରେ ବର୍ଣ୍ଣିତ ହୋଇଛି ।

ତେନୈବମୁକ୍ତୋ ଦିନ କୃତ୍ ତଥେତି
ତ୍ୱଷ୍ଟାରମୁକ୍ତା ବିବରାମ ଭାସ୍କରଃ
ସଂଜ୍ଞାଂ ବିଶଙ୍କାଂ ରବିମଣ୍ଡଳ ସ୍ଥିତାଂ
କୃତ୍ୱା ଜଗମଥ ରବିଂ ପ୍ରସାଦ୍ୟ । (ନରସିଂହ ପୁରାଣ -୧୯ / ୨୨)

ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରାଇବା ଫଳରେ ତାଙ୍କ ଉଗ୍ର ତେଜରାଶିକୁ ବିଶ୍ୱକର୍ମା ତାଞ୍ଛି ପକାଇଥିଲେ । ଫଳରେ ସେହି ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ଚକ୍ର ଓ ଶିବଙ୍କ ତ୍ରିଶୂଳ ତଥା ଅନ୍ୟ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଭୃତି ନିର୍ମିତ ହୋଇଥିଲା । ଏହା ମହାକବି କାଳିଦାସଙ୍କ ‘ରଘୁବଂଶମ୍’ ମହାକାବ୍ୟରେ ମଧ୍ୟ ପ୍ରତିଫଳିତ-

ଆରୋପ୍ୟ ଚକ୍ର ଭ୍ରମିମୁଷ୍ଟ ତେଜୋସ୍ତଷ୍ଟେବ
ଯତ୍ନୋଲିଖିତୋ ବିଭାତି । (ରଘୁ - ୬ / ୩୨)

ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଦପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କଦ୍ୱାରା ବିନିର୍ମିତ ।[୩]

ବିଶ୍ୱକର୍ମାଙ୍କର କନ୍ୟା ସଂଜ୍ଞା ଓ ପୁତ୍ର ନଳ ନାମକ ବାନର।ସଂଜ୍ଞା ବିଶ୍ୱକର୍ମାଙ୍କ କନ୍ୟା । ସୂର୍ଯ୍ୟଦେବ ଏହାଙ୍କ ପାଣି ଗ୍ରହଣ କରିଥିଲେ । ସଂଜ୍ଞାଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସରେ ବୈବସ୍ୱତ ମନୁ, ଯମ, ଯମୁନା ଓ ଅଶ୍ୱିନୀ-କୁମାର ଦ୍ୱୟ ଜନ୍ମ ଗ୍ରହଣ କରିଥିଲେ ।ବାନର ସେନାପତି ନଳ, ଘୃତାଚୀ ଅପ୍ସରୀର ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ଏ ପଥରମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ ।
Odia Adhyatmika Katha

🔴ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ଓ ବିଶ୍ୱକର୍ମାସମ୍ପାଦନ କରନ୍ତୁ👇

👉କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟି ଗଲା । ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସମସ୍ତେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା । କିଛିଦିନ ଗତ ହେବା ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲା । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣ ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇର ସର୍ତ୍ତ ରଖିଲା ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍‌ ଠକ୍‌ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । କିଛିଦିନପରେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଯିବା ପରେ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ । ଦ୍ୱାର ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି, ଅଛି କେବଳ ଦରଗଢ଼ା ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲାଯେ- “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା” ।

ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି, ଓଡ଼ିଶାରେ ସାଧାରଣତଃ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଏ ।

ବିଶ୍ୱକର୍ମସ୍ତୋତ୍ରମ୍ 🔹🔹➖➖🔹🔹➖➖➖🔹🔹

🔴ବିଶ୍ୱକର୍ମା ଧ୍ୟାନମ୍ 🔴

ନ ଭୂମିର୍ନ ଜଲଞ୍ଚୈବ ନ ତେଜୋ ନ ଚ ବାୟବଃ
ନାକାଶଂ ଚ ନ ଚିତ୍ତଞ୍ଚ ନ ବୁଦ୍ଧୀନ୍ଦ୍ରିୟଗୋଚରାଃ
ନ ଚ ବ୍ରହ୍ମା ନ ବିଷ୍ଣୁଶ୍ଚ ନ ରୁଦ୍ରଶ୍ଚ ତାରକାଃ
ସର୍ୱଶୂନ୍ୟା ନିରାଲମ୍ବା ସ୍ୱୟମ୍ଭୂତା ବିରାଟସତ୍
ସଦାପରାତ୍ମା ବିଶ୍ୱାତ୍ମା ବିଶ୍ୱକର୍ମା ସଦାଶିବଃ ॥

ଶ୍ରିତମଧ୍ୟତମଧ୍ୟସ୍ତଂ ବ୍ରହ୍ମାଦିସୁରସେବିତମ୍ ।
ଲୋକାଧ୍ୟକ୍ଷଂ ଭଜେଽହଂ ତ୍ୱାଂ ବିଶ୍ୱକର୍ମାଣମବ୍ୟଯମ୍ ॥

ପ୍ରାକାଦିଦିଙ୍ମୁଖୋତ୍ପନ୍ନୋ ସନକଶ୍ଚ ସନାତନଃ ।
ଅଭୁବନସ୍ୟ ପ୍ରତ୍ନସ୍ୟ ସୁପର୍ଣସ୍ୟ ନମାମ୍ୟହମ୍ ॥

ଅଖିଲଭୁବନବୀଜକାରଣମ୍ ।
ପ୍ରଣବତତ୍ତ୍ୱଂ ପ୍ରଣବମୟଂ ନମାମି ॥

ପଞ୍ଚବକ୍ତ୍ରଂ ଜଟାଧରଂ ପଞ୍ଚଦଶବିଲୋଚନମ୍ ।
ସଦ୍ୟୋଜାତାନନଂ ଶ୍ୱେତଂ ଚ ବାମଦେବନ୍ତୁ କୃଷ୍ଣକମ୍ ॥

ଅଘୋରଂ ରକ୍ତବର୍ଣଂ ଚ ତତ୍ପୁରୁଷଂ ହରିତପ୍ରଭମ୍ ।
ଈଶାନଂ ପୀତବର୍ଣଂ ଚ ଶରୀରଂ ହେମବର୍ଣକମ୍ ॥

ଦଶବାହୁଂ ମହାକାୟଂ କର୍ଣକୁଣ୍ଡଲଶୋଭିତମ୍ ।
ପୀତାମ୍ବରଂ ପୁଷ୍ପମାଲଂ ନାଗୟଜ୍ଞୋପବୀତିନମ୍ ॥

ରୁଦ୍ରାକ୍ଷମାଲାସଂୟୁକ୍ତଂ ବ୍ୟାଘ୍ରଚର୍ମୋତ୍ତରୀୟକମ୍ ।
ପିନାକମକ୍ଷମାଲାଞ୍ଚ ନାଗଶୂଲବରାମ୍ବୁଜମ୍ ॥

ବୀଣାଂ ଡମରୁକଂ ବାଣଂ ଶଙ୍ଖଚକ୍ରଧରଂ ତଥା ।
କୋଟିସୂର୍ୟପ୍ରତୀକାଶଂ ସର୍ୱଜୀବଦୟାପରମ୍ ॥

ବିଶ୍ୱେଶଂ ବିଶ୍ୱକର୍ମାଣଂ ବିଶ୍ୱନିର୍ମାଣକାରିଣମ୍ ।
ଋଷିଭିଃ ସନକାଦ୍ୟୈଶ୍ଚ ସଂୟୁକ୍ତଂ ପ୍ରଣମାମ୍ୟହମ୍ ॥

ଇତି ବିଶ୍ୱକର୍ମସ୍ତୋତ୍ରଂ ସମ୍ପୂର୍ଣମ୍ ॥

🔴ଶ୍ରୀବିଶ୍ୱକର୍ମାଷ୍ଟକମ୍
➖➖➖➖➖➖➖

ଆଦିରୂପ ନମସ୍ତୁଭ୍ୟଂ ନମସ୍ତୁଭ୍ୟଂ ପିତାମହ ।
ବିରାଟାଖ୍ୟ ନମସ୍ତୁଭ୍ୟଂ ବିଶ୍ୱକର୍ମନ୍ନମୋନମଃ ॥ ୧॥

ଆକୃତିକଲ୍ପନାନାଥସ୍ତ୍ରିନେତ୍ରୀ ଜ୍ଞାନନାୟକଃ ।
ସର୍ୱସିଦ୍ଧିପ୍ରଦାତା ତ୍ୱଂ ବିଶ୍ୱକର୍ମନ୍ନମୋନମଃ ॥ ୨॥

ପୁସ୍ତକଂ ଜ୍ଞାନସୂତ୍ରଂ ଚ କମ୍ବୀ ସୂତ୍ରଂ କମଣ୍ଡଲୁମ୍ ।
ଧୃତ୍ୱା ସଂମୋହନଂ ଦେବ ବିଶ୍ୱକର୍ମନ୍ନମୋନମଃ ॥ ୩॥

ବିଶ୍ୱାତ୍ମା ଭୂତରୂପେଣ ନାନାକଷ୍ଟସଂହାରକ ।
ତାରକାନାଦିସଂହାରାଦ୍ୱିଶ୍ୱକର୍ମନ୍ନମୋନମଃ ॥ ୪॥

ବ୍ରହ୍ମାଣ୍ଡାଖିଲଦେବାନାଂ ସ୍ଥାନଂ ସ୍ୱର୍ଭୂତଲଂ ତଲମ୍ ।
ଲୀଲୟା ରଚିତଂ ଯେନ ବିଶ୍ୱରୂପାୟ ତେ ନମଃ ॥ ୫॥

ବିଶ୍ୱବ୍ୟାପିନ୍ନମସ୍ତୁଭ୍ୟଂ ତ୍ର୍ୟମ୍ବକଂ ହଂସବାହନମ୍ ।
ସର୍ୱକ୍ଷେତ୍ରନିବାସାଖ୍ୟଂ ବିଶ୍ୱକର୍ମନ୍ନମୋନମଃ ॥ ୬॥

ନିରାଭାସାୟ ନିତ୍ୟାୟ ସତ୍ୟଜ୍ଞାନାନ୍ତରାତ୍ମନେ ।
ବିଶୁଦ୍ଧାୟ ବିଦୂରାୟ ବିଶ୍ୱକର୍ମନ୍ନମୋନମଃ ॥ ୭॥

ନମୋ ବେଦାନ୍ତବେଦ୍ୟାୟ ବେଦମୂଲନିବାସିନେ ।
ନମୋ ବିବିକ୍ତଚେଷ୍ଟାୟ ବିଶ୍ୱକର୍ମନ୍ନମୋନମଃ ॥ ୮॥

ଯୋ ନରଃ ପଠତେ ନିତ୍ୟଂ ବିଶ୍ୱକର୍ମାଷ୍ଟକମିଦମ୍ ।
ଧନଂ ଧର୍ମଂ ଚ ପୁତ୍ରଶ୍ଚ ଲଭେଦାନ୍ତେ ପରାଂ ଗତିମ୍ ॥ ୯॥

ଇତି ବିଶ୍ୱକର୍ମାଷ୍ଟକଂ ସମ୍ପୂର୍ଣମ୍ ।।
💥


ଶାରଦୀୟ ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜାର ତୃତୀୟ ଦିବସରେ ଓଡ଼ିଶାର ବିଭିନ୍ନ ଦେବୀପୀଠରୁ ମାଙ୍କ ଦିବ୍ୟ ଦୁର୍ଲ୍ଲଭ ଦର୍ଶନ!! #ଷୋଡ଼ଶଦିବସପୂଜା  #ଶ...
16/09/2025

ଶାରଦୀୟ ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜାର ତୃତୀୟ ଦିବସରେ ଓଡ଼ିଶାର ବିଭିନ୍ନ ଦେବୀପୀଠରୁ ମାଙ୍କ ଦିବ୍ୟ ଦୁର୍ଲ୍ଲଭ ଦର୍ଶନ!!
#ଷୋଡ଼ଶଦିବସପୂଜା #ଶାରଦୀୟଦୂର୍ଗତ୍ସବ୨୦୨୫

Jay Jagannath 🙏
16/09/2025

Jay Jagannath 🙏

16/09/2025

ଆଜି ପବିତ୍ର ମଙ୍ଗଳବାରରେ ପୁରୀ ଶ୍ରୀ ମନ୍ଦିରର ଦକ୍ଷିଣ ଦ୍ୱାର ସ୍ଥିତ ସବୁଠୁ ବଡ଼ ମହାବୀର ହନୁମାନଙ୍କ ଦିବ୍ୟ ସଂଧ୍ୟା ଆଳତୀ ଦର୍ଶନ!!
Today's Evening Alati Divine Darshan of Lord Hanuman Ji at Puri Jagannath Dham 🙌

16/09/2025

Today's Sandhya Alati Divine Darshan of Shree Jagannath Mahaprabhu, Jay Jagannath 🙏
ଆଜି ସଂଧ୍ୟାରେ ମହାପ୍ରଭୁଙ୍କ ପବିତ୍ର ଆଳତି ଦର୍ଶନ କରନ୍ତୁ🙌






16/09/2025

ସକାଳ ଧୂପ ପୂଜା ଅନ୍ତେ ଆଳତି 🙏
Jay Maa Mangala 🙏

ଅଧା ଗଢା ଦିଅଁ ଦେଖ ଲୋ କିଏ ଆଖିରେ ଡାକୁଚି ଆସ ସଭିଁଏ।।କିଏ ଡାକେ ତାକୁ କଳା ମୋହନକରି ଦେ ରେ ମୋର ମଥା ଚନ୍ଦନକିଏ ଡାକେ ତାକୁ ନନ୍ଦ ନନ୍ଦନ ଆହା...
16/09/2025

ଅଧା ଗଢା ଦିଅଁ ଦେଖ ଲୋ କିଏ
ଆଖିରେ ଡାକୁଚି ଆସ ସଭିଁଏ।।
କିଏ ଡାକେ ତାକୁ କଳା ମୋହନ
କରି ଦେ ରେ ମୋର ମଥା ଚନ୍ଦନ
କିଏ ଡାକେ ତାକୁ ନନ୍ଦ ନନ୍ଦନ
ଆହା କି ସୁନ୍ଦର୍ କାଳିଆ ମନ।।
କିଏ ବୋଲେ ତାକୁ କଳା ରାଙ୍ଗିଆ
ରଙ୍ଗ ତାର ଲାଗେ ଭାରି ବଢିଆ ।।
ଅନଥାର ନାଥ ତୁମେ ଗୋସେଇଁ
ସଦା ହାତ ଥାଉ ମୋହରି ପାଇଁ ।।
ଜୟ ଶ୍ରୀ ଜଗନ୍ନାଥ 🌷🙏🏻
ଲେଖିକା....priti

16/09/2025

ନିଜେ ବିଶ୍ୱକର୍ମା ହୋଇ ନିଜକୁ ଗଢ଼ିଲେ ମହାପ୍ରଭୁ!!
ବିଶ୍ଵକର୍ମା ପୂଜା _ Vishwakarmapuja
ବ୍ୟାଖ୍ୟା: ପଣ୍ଡିତ ହିମାଂଶୁ ଶେଖର ମିଶ୍ର
Odia Adhyatmika Katha


Address

Puri

Website

Alerts

Be the first to know and let us send you an email when Odia Adhyatmika Katha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Adhyatmika Katha:

Share

Category