04/06/2025
ଆଜିର ଗପ "ମ୍ୟାଜିକ କ୍ୟାଣ୍ଡେଲ"
ରଚନା : ଅରବିନ୍ଦ ଦାସ।
ସ୍ତ୍ରୀ ଶ୍ରାବଣୀଙ୍କ ପଚାଶତମ ଜନ୍ମଦିନ ପାଇଁ, ତନ୍ମୟ ଘରେ କରିଥିଲେ ସ୍ପେଶାଲ ବାର୍ଥଡେ ପାର୍ଟିର ଆୟୋଜନ । ଅତି ଘନିଷ୍ଠ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲେ।
ପିଲାଦୁହିଙ୍କ ଭିତରୁ ଜଣେ ରାଜ୍ୟ ବାହାରେ ଚାକିରୀ ଓ ଅନ୍ୟଜଣେ ହଷ୍ଟେଲରେ ରହି ଏମ.ବି.ଏ କରୁଥିବାରୁ ମମିର ଜନ୍ମଦିନରେ ଉଭୟେ ଆସିପାରିନାହାନ୍ତି।
ସନ୍ଧ୍ୟାରେ ବନ୍ଧୁମାନଙ୍କ ଆସର ଜମି ଯାଇଥିଲା। ଉପହାର ଓ ଫୁଲ ନେଇ ଆସିଥିବା ବନ୍ଧୁ ବାନ୍ଧବୀମାନେ ଶ୍ରାବଣୀଙ୍କୁ ଶୁଭେଚ୍ଛା ଜଣାଉଥିଲେ।
କେକ କାଟିଲା ପୂର୍ବରୁ ରେକର୍ଡର ତାଳେ ତାଳେ ଉପସ୍ଥିତ ଅତିଥି ମାନେ ତାଳି ମାରି ହାପି ବାର୍ଥଡେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ। ତେବେ
କେକରେ ଲାଗିଥିବା କ୍ୟାଣ୍ଡେଲକୁ ଶ୍ରାବଣୀ ଯେତେ ଫୁଙ୍କିଲେ ବି ତାହା ଲିଭୁ ନଥିଲା, ବରଂ ପୁଣି ଜଳି ଉଠୁଥିଲା। ଚିଡିଯାଇ ଶ୍ରାବଣୀ , ତନ୍ମୟଙ୍କ ଉଦ୍ଦେଶ୍ୟରେ କହିଲେ,
-ମଲା ମୋର ଇୟେ କି କ୍ୟାଣ୍ଡେଲ, ଲିଭୁନି କାହିଁକି ?"
ଜଣେ ବାନ୍ଧବୀ ହସିଦେଇ କହିଲା,
-ତମ ବାବୁ ମ୍ୟାଜିକ କ୍ୟାଣ୍ଡେଲ ଆଣିଛନ୍ତି। ଆଗେ ଲିଭାଇ ସାର, ତା ପରେ କେକ କାଟିବୁ।"
ଫୁଙ୍କି ଫୁଙ୍କି ନୟାନ୍ତ ହୋଇ ଯାଇଥିଲେ ଶ୍ରାବଣୀ। ହେଲେ ସେ କ୍ୟାଣ୍ଡେଲ ଲିଭୁ ନଥିଲା। ଧପ କିନା ବନ୍ଦ ହୋଇ ପୁଣି ଜଳୁଥିଲା।
ସାଙ୍ଗମାନେ ହସୁଥିଲେ। ତନ୍ମୟ ର ଜଣେ ବନ୍ଧୁ କହିଲା,
-କଣ ଭାଉଜ, ମହମବତୀଟିଏ ଲିଭାଇ ପାରୁନାହାନ୍ତି? ଆଜି ପରା ଗୋଲଡେନ ବାର୍ଥଡେ।"
ଉତ୍ତରରେ ଶ୍ରାବଣୀ କହିଲା,
-ନର୍ମାଲ କ୍ୟାଣ୍ଡେଲ ନ ଆଣି, ଏସବୁ ଫାଲତୁ ଜିନିଷ କାହିଁକି ଇୟେ ଆଣନ୍ତି ଜେଜାଣି ?କ୍ୟାଣ୍ଡେଲ ଫୁଙ୍କିବାର ଏତେ ସଉକ ଯଦି ନିଜେ ଫୁଙ୍କ।"
ହଠାତ ଚିଡିଯାଇ ତନ୍ମୟ କହିଲା,
-ଆଉ କେତେବର୍ଷ ହେଲେ କ୍ୟାଣ୍ଡେଲ ଫୁଙ୍କିକି ଲିଭାଇ ପାରିବ ? ବୁଢ଼ୀ ହେଲଣି, ନିଜେ ଗୋଟେ ଲିଭି ଯାଇଥିବା କ୍ୟାଣ୍ଡେଲ ତୁମେ; ଅଥଚ ସାମାନ୍ୟ ଜ୍ଞାନର ଅଭାବ। ଏଭଳି ସାମାନ୍ୟ କାମଟେ ବି ତୁମ ଦ୍ୱାରା ହେବନି, ଅଥଚ ଦୋଷ ମୋ ଉପରେ ଲଦିବ ?ଚାଲି ନଜାଣି ବାଟ ର ଦୋଷ !ଇଉସଲେସ ସ୍ତ୍ରୀଲୋକ କେଉଁଠିକାର।"
ସମସ୍ତଙ୍କ ସାମ୍ନାରେ ସ୍ୱାମୀ ମୁହଁରୁ ଏଭଳି କଥା ଶୁଣିବ ବୋଲି ଆଶା କରି ନଥିଲା। ଲାଜ, ଅପମାନରେ ସେ ଜଡସଡ଼ ହୋଇ ଯାଉଥିଲା।ଇଚ୍ଛା ହେଉଥିଲା କେକ ଟା ତଳେ କଚାଡି ଦେଇ ସେ ଏଠାରୁ ପଳାଇବ ଓ କାନ୍ଦିବ। ନିଜକୁ କୌଣସି ପ୍ରକାର ସମ୍ଭାଳି ଶ୍ରାବଣୀ ସେଇ ମ୍ୟାଜିକ କ୍ୟାଣ୍ଡେଲ କୁ କେକ ଉପରୁ ତଳକୁ ଫୋପାଡ଼ି ଦେଇ କେକ କାଟି ତନ୍ମୟ ପାଟିରେ ଖଣ୍ଡେ କେକ ଦେଇ କହିଲା,
-ଇଉସଲେସ ସ୍ତ୍ରୀ ନହୋଇଥିଲେ ଆଜିଯାଏଁ କଣ ତୁମ ଭଳି ସ୍ୱାମୀ ସହ ଏକାଠି ଏତେଦିନ ରହିଥାନ୍ତି ?
ଏଭଳି ଅଭଦ୍ର ବ୍ୟବହାର ତୁମଠୁ ଆଶା କରୁ ନଥିଲି।
ବାର୍ଥଡେ ପାର୍ଟି ଆୟୋଜନ କରି ମୋ ଉପରେ ଦୟା କରିଥିବାରୁ ଧନ୍ୟବାଦ।"
କାନ୍ଦ କାନ୍ଦ ହୋଇ ସେ ରୁମରୁ ରୋଷେଇ ଘରକୁ ଚାଲିଗଲା ଶ୍ରାବଣୀ। ସମସ୍ତେ ଆବାକାବା ହୋଇ ପରସ୍ପର ମୁହଁକୁ ଅନାଉଥିଲେ। କିଛି ବାନ୍ଧବୀ ଶ୍ରାବଣୀକୁ ବୁଝାଇବାକୁ ରୋଷେଇ ଘରକୁ ଚାଲିଗଲା ବେଳେ ପରିସ୍ଥିତି କୁ ସମ୍ଭାଳି ବାକୁ ଯାଇ ତନ୍ମୟ ଅନ୍ୟ ମାନଙ୍କୁ ନିଜ ନିଜ ସ୍ଥାନରେ ବସିବାକୁ ଅନୁରୋଧ କରୁଥିଲା।
ରୋଷେଇ ଘର କୁ ପଶିଯାଇ ଶ୍ରାବଣୀ ୱାସ ବେସିନ ପାଖରେ ନିଜ ମୁହଁକୁ ଚଟକିନା ଧୋଇ ଟିକେ ନିଶ୍ବାସ ନେଲାବେଳେ ବାନ୍ଧବୀ ରୁପା ତା କାନ୍ଧରେ ହାତ ରଖି କହିଲା,
-ତୁ କଣ ଏମିତି ଛୋଟ ପିଲାଙ୍କ ଭଳି ହେଉଛୁ ? ଆଜି ଭଳି ଭଲ ଦିନଟାରେ କିଏ କାନ୍ଦେ ? ତନ୍ମୟ ବାବୁଙ୍କ ପାଟିରୁ ଏମିତି କଥା ପଦେ ବାହାରି ଯାଇଥିବ। ସବୁକଥା ଭୁଲି ଡ୍ରଇଂ ରୁମକୁ ଆସ।"
ମିସେସ ମହାନ୍ତି ବି ଶ୍ରାବଣୀ କୁ ବୁଝାଇ କହିଲେ,
-ସବୁ ଦୋଷ ଏଇ ମ୍ୟାଜିକ କ୍ୟାଣ୍ଡେଲ ର। ପୋଡାମୁହାଁ ନିଆଁ ଲଗା ଏଇ ଚାଇନିଜ କ୍ୟାଣ୍ଡେଲ ଗୁଡାକ ଏକଦମ ଧପ୍ପାବାଜ।ଆଲୋ, ମୁଁ ପରା ଥରେ ଫୁଙ୍କି ଫୁଙ୍କି ନୟାନ୍ତ ହୋଇ ଯାଇଥିଲି।ଛୁଆମାନେ ହସି ହସିକି ଗଡି ଯାଉଥିଲେ।"
ଗମ୍ଭୀର ସ୍ୱରରେ ଶ୍ରାବଣୀ କହିଲା,
-ଗୋଟେ କ୍ୟାଣ୍ଡେଲ ନ ଲିଭାଇ ପାରିବା କଣ ଏତେ ଦୋଷାବହ ?ଘର'ର ଏମିତି କେଉଁ କାମ ଅଛି ଯାହା ଆମେ କରି ପାରୁନା ?ସ୍ୱାମୀକୁ ସୁଖ ଦେବାକୁ ନିଜେ ଆମେ ଗୋଟେ ଗୋଟେ ମହମବତୀ ପାଲୁଟୁଛେ। ଅଥଚ କୁହାହେଉଛି, ମୁଁ କାଳେ ଗୋଟେ ଲିଭି ଯାଇଥିବା ମହମବତୀ। ଆଉ ତମେ ଅଗ୍ନି ଦେବତା ?"
ରୁପା ପୁଣିଥରେ ବୁଖାଇଲା ଭଳି କହିଲା,
-"ସାରାଜୀବନ ଆମେ ଅନ୍ୟକୁ ସାହାଯ୍ୟ କରିବାକୁ, ଆନନ୍ଦ ଦେବାକୁ, ଆଲୋକ ଦେଖାଇବା ପାଇଁ ମହମବତୀ ଭଳି ଜଳୁ; ଆଉ ନିଜ ଦୁଃଖକୁ କାହାକୁ ନଦେଖାଇ, ଅନ୍ତରରେ ଚାପିରଖି ବେଦନା'ର ଅନ୍ତର୍ନିହିତ ଶିଖାରେ ଜଳୁ। ଲୋକେ କ୍ୟାଣ୍ଡେଲକୁ ଫୁଙ୍କି ଲିଭାଇଲା ପରି ,ଅହରହ ପ୍ରତିଯୋଗିତା କଲା ଭଳି ପ୍ରତ୍ୟେକ କ୍ଷେତ୍ରରେ ନାରୀଶକ୍ତିକୁ ପରୀକ୍ଷା କରିବାକୁ, ଚ୍ୟାଲେଞ୍ଜ କଲାଭଳି, ଆମ ଭିତରେ ଥିବା ଶିଖାକୁ ନିର୍ବାପିତ କରିବାକୁ ଚେଷ୍ଟା କରନ୍ତି। ହେଲେ ଆମେ ହାରୁନା, ସମସ୍ତ ନିନ୍ଦା, ଅପବାଦ, ଆକ୍ରମଣକୁ ଭ୍ରୁକ୍ଷେପ ନକରି, ଆମ ଅସ୍ମିତା ଆମ ଭିତରେ ଥିବା ଶିଖାକୁ ଆହୁରି ତେଜୀୟାନ କରେ।"
ମହିଳା କ୍ଳବର ସେକ୍ରେଟାରୀ ମିସେସ ମିନତି ପଟ୍ଟନାୟକ ପାଖକୁ ଆସି କହିଲେ,
-ଆମେ ନାରୀମାନେ, ସ୍ୱାମୀ ଓ ପରିବାର ପାଇଁ ଯେତେ କଲେବି ଲୋକେ ଖୁଣ ବାହାର କରନ୍ତି।ଆମ ମନ କଥା କିଏ ବୁଝେ ?ନାରୀର ବି ବୟସ, ମନ ଅଛି ଓ ସମୟ ସହ ତା ଦେହ ବଦଳେ, ଘରକାମ, ମାନସିକ ଚାପ, ଥକାପଣ ବି ଅନେକ ପ୍ରଭାବ ପକାଏ। ସ୍ବାମୀଟିଏ ନିଜ ଦେହସୁଖ ପାଇଁ ସବୁବେଳେ ସ୍ୱାର୍ଥପର। ଅଥଚ ଅନେକ ସମୟରେ ସ୍ତ୍ରୀଟିକୁ କାଠଗଣ୍ଡି ର ଅପବାଦ ସହିବାକୁ ପଡେ। ସ୍ତ୍ରୀ ଟିଏ ଗୋଟେ ମେସିନ ନୁହେଁ।ଆମେ ନାରୀମାନଙ୍କୁ ସମସ୍ତେ ଗୋଟେ ଗୋଟେ ମ୍ୟାଜିକ କ୍ୟାଣ୍ଡେଲ ବୋଲି ଭାବନ୍ତି।"
ମିସେସ ମହାନ୍ତି କହିଲେ,
-ଆଲୋକ ପାଇଁ ଆମେ ମହମବତୀଟିଏ ଜାଳୁ।
ହଜାରେ ମହମବତୀ ଗୋଟିଏ ଜ୍ୱଳନ୍ତ ମହମବତୀ ରୁ ଜଳାଯାଇ ପାରେ ଓ ସ୍ୱଳ୍ପଆୟୁ ଵାଲା ମହମବତୀ ର ଜୀବନ କାଳ ବଢ଼ାଇବା ପାଇଁ ତାହା ହିଁ ଯଥେଷ୍ଟ।ତେଣୁ ଆମେ ସମସ୍ତେ ଖୁସି ହେବା ଉଚିତ ଯେ ଆମ ପରିବାରକୁ ଆମେ ହିଁ ଆଲୋକିତ କରୁ। ଏସବୁ ଆଲୋଚନା ପରେ, ଆସ ସମସ୍ତେ ଡ୍ରଇଂ ରୁମକୁ ଯାଇ କେକ କାଟି ଖାଇବା। ତେଣେ କ୍ୟାଟରିଂଵାଲା ଖାଇବା ଆଣି ଦେଲାଣି ବୋଲି ମୋ ମିଷ୍ଟ୍ରର ମେସେଜ କଲେଣି।"
ଡ୍ରଇଂ ରୁମରେ ତନ୍ମୟ ର କିଛି ବନ୍ଧୁ ପାଖକୁ ଆସି ଶ୍ରାବଣୀ କୁ ବୁଝାଇ ପ୍ୟାଚଅପ କରି ଡ୍ରଇଂ ରୁମକୁ ନେଇ ଆସିବାକୁ କହୁଥିଲେ।
ଦୀର୍ଘନିଶ୍ବାସ ଛାଡି ତନ୍ମୟ କହିଲା,
-ଏତେ ଛୋଟ ଛୋଟ କଥାକୁ ଏମିତି ଭାବେ କାହିଁକି ସ୍ତ୍ରୀମାନେ ଏତେବଡ଼ ଇସୁ କରି ସ୍ୱାମୀକୁ ଦୋଷୀ ବୋଲି ପ୍ରମାଣିତ କରିବାକୁ ଚାହାନ୍ତି ? କ୍ୟାଣ୍ଡେଲ ତମେ ନ ଫୁଙ୍କି ପାରିଲେ ଦୋଷ ଆମର ?ଆଉ ଯଦି ଭୁଲ ବଶତଃ କିଛି ସ୍ୱାମୀ ପାଟିରୁ ବାହାରି ଗଲା, ତେବେ ଘଣ୍ଟା କଣ୍ଟା ସେଇଠି ଅଟକି ଯିବ ? ସ୍ୱାମୀକୁ ସେମାନେ ଅପାରଗ, କୋଢ଼ିଆ କହିବେ ସେଥିରେ କିଛି ଭୁଲ ନାହିଁ। ଆମେ ଟିକେ ମୋବାଇଲ ଧରିଲେ ପାଟି ଶୁଭିବ ଯେ ଘର କଥା ନବୁଝି ଖାଲି ମୋବାଇଲରେ ମାତୁଛ, ଅଥଚ ସେମାନେ ଇଂଷ୍ଟା, ହ୍ଵାଟ୍ସଆପ, ଫେସବୁକରେ ଘଣ୍ଟା ଘଣ୍ଟା ବ୍ୟସ୍ତ ରହି ଗପସପ ,ଫଟ ଅପଲୋଡ଼ କଲେ ସେଥିପାଇଁ ତମେ ମୁହଁ ଖୋଲି ପାରିବନାହିଁ।"
ଅନ୍ୟଜଣେ ବନ୍ଧୁ ସମବେଦନା ଜଣାଇ କହିଲା,
-ଆଜିକାଲି ଏହା ସବୁ ଘର ଘର କି କାହାଣୀ। ସ୍ତ୍ରୀ ମାନଙ୍କ ପାଖରେ ପୂର୍ବଭଳି ଧୈର୍ଯ୍ୟ ଶକ୍ତି ନାହିଁ।ସେମାନେ ଆଉ ସ୍ୱାମୀ ଉପରେ ନିର୍ଭରଶୀଳ ନୁହଁନ୍ତି ବୋଲି ମୁହେଁ ମୁହେଁ ଜବାବ ଦେଉଛନ୍ତି। ନିୟମ କାନୁନ ବି ସ୍ତ୍ରୀଙ୍କ ସପକ୍ଷରେ।ଆମେ କିଛି କାମ ନକରି ହୁକୁମ ଝାଡୁ ବୋଲି ଅଭିଯୋଗ କରନ୍ତି ସ୍ତ୍ରୀ। ହେଲେ ଅଫିସ କାମସହିତ, ବଜାର, ସଉଦା, ମାର୍କେଟ,
ପିଲାଙ୍କ ପାଠ ପଢା, ହୋମୱାର୍କ, ଡାକ୍ତରଖାନା ଡ୍ୟୁଟି ଓ ଅନ୍ୟାନ୍ୟ ବାହାର କାମ କରି କରି ମହମବତୀ ଭଳି ଆମେ ଜଳି ଜଳି ସରୁଛେ। ଏନଜୟ ମେଣ୍ଟ କଣ ତାହା ବି ଆମେ ଜାଣୁନୁ। ଘର ଅଫିସ ଘର, ବାସ ଏଇଆମ ଜୀବନ।"
ଲେଡିଜ ଗ୍ରୁପ ଡ୍ରଇଂ ରୁମକୁ ଆସିବାର ଦେଖି ସମସ୍ତେ ଚୁପ ହୋଇଗଲେ।
ଶ୍ରାବଣୀ ଓ ତନ୍ମୟ ପରସ୍ପର ମୁହଁ ଚାହାଁ ଚାହିଁ ହେଉଥିଲେ।
ତନ୍ମୟ ର ବସ ସୌଭାଗ୍ୟ ପଟ୍ଟନାୟକ ବାବୁ ତନ୍ମୟ କାନ୍ଧରେ ହାତ ରଖି କହିଲେ,
-ବୁଝିଲ ତନ୍ମୟ, ଜୀବନକୁ ଆଲୋକିତ କରିବାରେ ଦୁଇଟି ଉପାୟ ହେଉଛି, ନିଜେ ମହମବତୀଟିଏ ହୋଇ ଜଳି ଆଲୋକ ଦିଅ ଅଥବା ଦର୍ପଣ ହୋଇ ସେଇ ଆଲୋକକୁ ପ୍ରତିଫଳିତ କରାଅ। ସ୍ତ୍ରୀ ଟିଏ ସାରା ଜୀବନ ନିଜେ ଜଳି ନିଜ ପରିବାରକୁ ବାଟ ଦେଖାଏ, ତେଣୁ ସ୍ୱାମୀ ହିସାବରେ ବନ୍ଧୁ ହିସାବରେ ଆମକୁ ନିହାତି ଭାବେ ଦର୍ପଣ ଟିଏ ହୋଇ ତାଙ୍କ ସାଥିରେ ରହିବା ନିହାତି ଦରକାର।"
ଏଥର ସୌଭାଗ୍ୟ ବାବୁ ଶ୍ରାବଣୀ କୁ ପାଖକୁ ଡାକି ତା ହାତରେ ତନ୍ମୟ ହାତକୁ ରଖି, ମୃଦୁହସି କହିଲେ,
-ବିବାହିତ ଜୀବନ ବି କ୍ୟାଣ୍ଡେଲ ଭଳି।
କ୍ୟାଣ୍ଡେଲ ଟିଏ ଜାଳିଲେ ତାହା କେବଳ ଆଲୋକ ନୁହେଁ ବରଂ ଛାୟା ବି ସୃଷ୍ଟି କରେ। ଠିକ ସେମିତି
ବିବାହିତ ଜୀବନରେ ବିଶ୍ୱାସ ଓ ସନ୍ଦେହ ଉଭୟେ ସମାନ୍ତରଳ ଭାବେ ଗତି କରନ୍ତି। ତେଣୁ ଏହା ଆମ ଉପରେ ନିର୍ଭର କରେ କି ଆମେ ସନ୍ଦେହ ରୂପକ ଛାଇକୁ ପ୍ରଶ୍ରୟ ଦେଇ ଦାମ୍ପତ୍ୟ ଜୀବନରେ ଦୂରତା ସୃଷ୍ଟି କରିବା ଅଥବା ଆଲୋକରୂପୀ ବିଶ୍ବାସକୁ ପାଥେୟ କରି ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା। କାରଣ କ୍ୟାଣ୍ଡେଲ ଆପେ ଆପେ ଜଳେନା, ସେଥିରେ ଅଗ୍ନି ସଂଚାର କରି ଆମକୁ ଜଳାଇବାକୁ ହୁଏ। ପବନରେ ଯେମିତି ତାହା ନଲିଭିଯାଏ ସେଥିପାଇଁ ଅନ୍ୟଜଣଙ୍କ ସହାୟତା ବି ଦରକାର ହୁଏ। ବିବାହିତ ଜୀବନରେ ମ୍ୟାଜିକ କ୍ୟାଣ୍ଡେଲର ଦାୟିତ୍ୱ ଉଭୟ ଦମ୍ପତ୍ତିଙ୍କର।"
ଚଟକିନା ତନ୍ମୟ, ଅନୁତାପ ଭରା ସ୍ୱରରେ କହିଲା,
-ଆଇ ଆମ ସରି ଶ୍ରାବଣୀ।ଏ ଅଧମ ବୁଢା ସ୍ୱାମୀକୁ କ୍ଷମା କରିଦିଅ।"
ଏଥର ତଳେ ଆଣ୍ଠେଇ ପଡ଼ି ନିଜ ପକେଟରେ ରଖିଥିବା ଗୋଟେ ସୁନା ବ୍ରେସଲେଟ ଶ୍ରାବଣୀ ହାତରେ ଦେଇ କହିଲା,
-ହାପି ବାର୍ଥଡେ ମାଇଁ ଡିଅରେଷ୍ଟ ୱାଇଫ।"
ସମସ୍ତେ ତାଳି ମାରି ପୁଣିଥରେ ଗୀତ ବୋଲୁଥିଲେ "ହାପି ବାର୍ଥଡେ ଟୁ ୟୁ ଶ୍ରାବଣୀ.......