09/04/2026
-:ଦଣ୍ଡନାଚ:-
ବର୍ତ୍ତମାନ ଓଡ଼ିଆ ଚୈତ୍ର ମାସ ଚାଲୁଅଛି । ଏହି ମାସରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେବାଦେବୀ ମାନଙ୍କର ପୂଜା ଅନୁଷ୍ଠିତ ହୁଏ। ସମସ୍ତ ପୂଜା ମଧ୍ୟରୁ ଦଣ୍ଡନୃତ୍ୟ ବା ଦଣ୍ଡନାଚ/ନାଟ ଅନ୍ୟତମ ।
"ଦଣ୍ଡନାଚ" ଓଡ଼ିଶାର ଏକ ଲୋକପ୍ରିୟ ଲୋକନାଟକ । ଏହା ଓଡ଼ିଶାର ମଧ୍ୟ-ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ମାନଙ୍କରେ ଅନୁଷ୍ଠିତ ହେଉଥିଲେ ହେଁ ମୁଖ୍ୟତଃ ବଲାଙ୍ଗୀର, ସୋନପୁର, ବଉଦ, ଆଠମଲ୍ଲିକ ଓ ସମ୍ବଲପୁର ଅଞ୍ଚଳରେ ବ୍ୟାପକ ଭାବରେ ‘ଦଣ୍ଡନାଟ’ର ଆୟୋଜନ ହୋଇଥାଏ ।
‘ଦଣ୍ଡ’ ଶବ୍ଦର ଅର୍ଥ ବାଡ଼ି । ନାଚ ଶବ୍ଦର ଅର୍ଥ ନୃତ୍ୟ । ଏଣୁ କେହି କେହି ଏହାକୁ ଦଣ୍ଡନୃତ୍ୟ ନାମରେ ନାମିତ କରିଥାନ୍ତି । ଦଣ୍ଡନାଚରେ ଦେବତାଙ୍କ ସନ୍ତୋଷ ବିଧାନ ନିମନ୍ତେ ଭକ୍ତମାନେ ମାନସିକ କରି ଶିବଙ୍କୁ ପୂଜା କରିଥାନ୍ତି । ଏଥିପାଇଁ କଠୋର ସାଧନା କରିବାକୁ ହୋଇଥାଏ । ଏହି କଠୋର ସାଧନା ହିଁ ଦଣ୍ଡନାଟ । ଭକ୍ତମାନେ ଅଭୀଷ୍ଟ ପୂରଣ ପାଇଁ କଠୋର ନୀତି ନିୟମର ଶୃଙ୍ଖଳା ଭିତରେ ଉପବାସ ରହି ପ୍ରଚଣ୍ଡ ଖରାରେ ବାଲିରେ ଗଡ଼ି, କଣ୍ଟାରେ ଶୋଇ, ଖଣ୍ଡା ଉପରେ ଡିଆଁ ମାରି, ନିଆଁ ଉପରେ ଓହଳି ମହାଦେବଙ୍କୁ ଆରାଧନା କରିଥାନ୍ତି । ଦଣ୍ଡ ପୂଜାରେ କଠୋର ଶୃଙ୍ଖଳା ଭିତରେ ଭକ୍ତମାନେ ରହିଥାନ୍ତି ।
ଦଣ୍ଡନାଟର ଆରାଧ୍ୟ ଦେବତା ଶିବ ଓ ଆରାଧ୍ୟା ଦେବୀ କାଳିକା । ଏଣୁ ତନ୍ତ୍ର ପୂଜାର ବ୍ୟବସ୍ଥା ମଧ୍ୟ ଶାସ୍ତ୍ରାନୁସାରେ ଦଣ୍ଡନାଟରେ ରହିଛି । ଦଣ୍ଡନାଟର ଦୁଇଟି ବେତକୁ ଗୌରୀ ବେତ ବୋଲି କୁହାଯାଇଥାଏ । ଏହା ହିଁ ଆରାଧ୍ୟା ଦେବୀ ।
ଉତ୍ପତ୍ତି :-
‘ତନ୍ତ୍ରଶାସ୍ତ୍ର’ ଦଣ୍ଡନାଟ ସହିତ ଜଡ଼ିତ ଥିବାରୁ ଅଷ୍ଟମ - ନବମ ଶତାବ୍ଦୀରୁ ଏହାର ଉତ୍ପତ୍ତି ହୋଇଛି ବୋଲି ଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ ଅଭିମତ ଦେଇଛନ୍ତି । ଦଣ୍ଡନାଟ ବୌଦ୍ଧମାନଙ୍କ ବଜ୍ରଯାନର ବୋଲି ଅସ୍ଵୀକାର କରିହେବ ନାହିଁ, କାରଣ ତନ୍ତ୍ର ସବୁ ମହାଯାନରେ ରହିଛି । ବଜ୍ରଯାନ ଏହି ମହାଯାନର ଏକ ଅଂଶ । ଦଣ୍ଡନାଟର ସୃଷ୍ଟି ତାଣ୍ଡବରୁ । ମହାଦେବଙ୍କ ନିର୍ଦ୍ଦେଶରୁ ହିଁ କଳିଯୁଗରେ ପୃଥିବୀରେ ଦଣ୍ଡନାଟର ଆୟୋଜନ ହୋଇଥିବା କଥା ଭିକାରୀ ଦାସଙ୍କ ରଚନାରୁ ଜଣାଯାଏ ।
ଜାତିପ୍ରଥା:-
ନିର୍ଦ୍ଦିଷ୍ଟ ସଂପ୍ରଦାୟର ବ୍ୟକ୍ତି ଦଣ୍ଡନାଟରେ ଅଂଶଗ୍ରହଣ କରିବେ ବୋଲି ନୀତିନିୟମ ନାହିଁ । ବିଶେଷତଃ ଦଣ୍ଡନାଟରେ ଅଭିନୟ କରୁଥିବା ଭକ୍ତମାନଙ୍କ ମଧ୍ୟରେ ଜାତିଭେଦ ନଥାଏ । ସମସ୍ତେ ଶିବଙ୍କ ଭକ୍ତ ହିସାବରେ ଦଣ୍ଡଯାତ୍ରାରେ ନିଜ ନିଜର ଭୂମିକାରେ ଅଭିନୟ କରିଥାନ୍ତି । ଘାସି/ହାଡ଼ି ସମ୍ପ୍ରଦାୟର ଲୋକ ଢୋଲ ବଢାଇବା କାର୍ଯ୍ୟ ସଂପାଦନ କରୁଥିଲେ ହେଁ ଅସ୍ପୃଶ୍ୟତାର ପ୍ରଶ୍ନ ସେଠାରେ ନଥାଏ । ଏଣୁ ସବୁ ସଂପ୍ରଦାୟର ବ୍ୟକ୍ତି ଦଣ୍ଡଯାତ୍ରାରେ ସାମିଲ ହୋଇ ଏକାକାର ହୋଇଥାନ୍ତି । ବିଶେଷତଃ ସବୁଗୋଷ୍ଠୀର ବ୍ୟକ୍ତିଙ୍କ ସମନ୍ବୟରେ ହିଁ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ । ଜାତି ବର୍ଣ୍ଣର ସଂକୀର୍ୟତା ଏଠାରେ ନଥାଏ । କୌଣସି ସାମାଜିକ ନିୟମର ଶୃଙ୍ଖଳ ନଥାଏ । ସମସ୍ତେ ଭକ୍ତ । ଦଣ୍ଡନାଟର ଠାକୁର ଶିବଙ୍କ ସନ୍ତାନ ।
ଦଣ୍ଡନାଚରେ ଭୋକ୍ତା:-
ଦଣ୍ଡ ନାଟରେ ତେରଟି ଭୋକ୍ତା ଥାଆନ୍ତି । ଏମାନଙ୍କ ମଧ୍ୟରୁ ଜଣେ ପାଟଭୋକ୍ତା । ଏହି ପାଟଭୋକ୍ତା ଏକୋଇଶ ଦିନ ପର୍ଯ୍ୟନ୍ତ ଅନ୍ନ ଭକ୍ଷଣ କରେନାହିଁ । ମୁଠାଏ ଦିମୁଠା ମୁଗସିଝା କିମ୍ବା ଲିଆପଣା ସେବନ କରି ଏକୋଇଶ ଦିନ କାଷ୍ଠା ଭିତରେ ରହିଥାଏ । ଅନ୍ୟାନ୍ୟ ଭୋକ୍ତାମାନେ ମଧ୍ୟ ସେହିପରି ଗୋଟିଏ ଓଳି ଅନ୍ନ କିମ୍ବା ମୁଗସିଝା ପଣା ପିଇ କାଷ୍ଠା ବ୍ରତରେ ଦିନ ଯାପନ କରନ୍ତି ।
ଏମାନେ ଗୋଟିଏ ଗ୍ରାମରୁ ଆଉ ଏକ ଗ୍ରାମକୁ ଯାତ୍ରା କରିବାର ବିଧାନ ରହିଛି । ଯାଉଥିବାବେଳେ କେହି ଗୋବର ପାଣି ଲିପି ଦେଲେ ସେମାନେ ସେଠାରେ ଦଣ୍ଡନାଟ କରିବା ପାଇଁ ନିମନ୍ତ୍ରଣ କରାଯାଉଛି ବୋଲି ବୁଝିବେ ଏବଂ ସେଠାରେ ରହିବେ । ପୁତ୍ରଲାଭ, ବ୍ୟାଧରୁ ମୁକ୍ତି ଭଳି କାମନା କରି ଭକ୍ତ ଦଣ୍ଡଯାତ୍ରା କରାଇଥାଏ । ଏତଦ୍ୱାରା ଦଣ୍ଡୁଆମାନେ ଭକ୍ତ ଘର ଆଗରେ ଚୈତ୍ର ମାସର ଦ୍ବିପ୍ରହର ପ୍ରଚଣ୍ଡ ଖରାରେ ବାଲିରେ ଗଡ଼ାଗଡ଼ି ହୋଇ ନୃତ୍ୟଗୀତ ପ୍ରଦର୍ଶନ କରିଥାନ୍ତି । ଗୃହସ୍ଥଙ୍କ ଇଚ୍ଛା ପୂରଣ ପାଇଁ ଶିବଙ୍କୁ ଗୁହାରି କରି ଭୋକ୍ତାମାନେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ ପରେ ସ୍ନାନ କାର୍ଯ୍ୟ ସମାପନ କରନ୍ତି, ଏହା ପାଣିଦଣ୍ଡ ଭାଙ୍ଗିବା କୁହାଯାଏ ।
ସନ୍ଧ୍ୟା ସମୟରେ ନିକଟସ୍ଥ ଶିବ ମନ୍ଦିର କିମ୍ବା କାମନା ଘରେ ଯେଉଁ ଦୀପ ଜଳୁଥାଏ, ସେଥୁରୁ ପାଟ ଦଣ୍ଡୁଆ ଓ ପାଣି ଦଣ୍ଡୁଆ ହାତରେ ଧରିଥିବା ଦୁଇଟି ଲେଖାଏଁ ଦୀପ ଦଣ୍ଡକୁ ପ୍ରଜ୍ବଳିତ କରନ୍ତି । ଏଇ ଦୀପ ଦଣ୍ଡରୁ ହିଁ ଦଣ୍ଡନାଟର ନାମକରଣ କରାଯାଇଛି ।
କାମନା ଘରେ ରୁଦ୍ର, କାଳୀ ଓ ଜଳପୂର୍ଣ୍ଣ କଳସୀ ଥାଏ । କାମନା ଘରେ ଜଳୁଥିବା ଦୀପର ନିଆଁ ଅଗିବଥୁ କାଠରୁ ଉତ୍ପନ୍ନ । ପାଟଦଣ୍ଡୁଆ ଓ ପାଣି ଦଣ୍ଡୁଆ ଏଇ ପ୍ରଜ୍ୱଳିତ ଦୀପରୁ ହିଁ ନିଜ ହସ୍ତରେ ଥିବା ଦଣ୍ଡମାନଙ୍କରେ ଅଗ୍ନି ସଂଯୋଗ କରିଥାନ୍ତି । ଏହାକୁ ଦଣ୍ଡନାଟ ଭାଷାରେ ‘ଦଣ୍ଡ ଜିଆଁଇବା’ କହନ୍ତି । ଦୀର୍ଘ ଏକୋଇଶ ଦିନ ବ୍ୟାପୀ ଦଣ୍ଡରୁ ଅଗ୍ନି ପ୍ରଜ୍ଜଳିତ ହେଉଥାଏ । ଦଣ୍ଡଯାତ୍ରାର ପରିସମାପ୍ତିର ଶେଷଦିନ ଅଦ୍ଧରାତ୍ରିରେ ଗୋଟିଏ ଗାତ ଖୋଳି ସେ ଦଣ୍ଡକୁ ପୋତି ଦିଆଯାଏ । ପରବର୍ତ୍ତୀ ବର୍ଷ ଚୈତ୍ର ମାସରେ ଦଣ୍ଡଯାତ୍ରା କାଳରେ ସେଇ ପୋତା ଯାଇଥିବା ଦଣ୍ଡ ବାହାର କରି ସେଥ୍ରେ ଅଗ୍ନି ସଂଯୋଗ କରାଯାଇଥାଏ । ଦଣ୍ଡରୁ ଜ୍ୟୋତି ଉତ୍ପନ୍ନ ହେଲା ପରେ ସନ୍ଧ୍ୟା ସମୟରେ କାମନା ଘରୁ ଭକ୍ତର ଘର ସାମନାକୁ କିମ୍ବା ଖୋଲା ସ୍ଥାନକୁ ଆସନ୍ତି । ଆସିଲାବେଳେ ଦଣ୍ଡୁଆମାନେ ‘ଋଷିପୁତ୍ରେ’ ଭବାନୀ କି ଭଜେ କରୁଥାନ୍ତି । ଦଣ୍ଡନାଟ ହେବା ସ୍ଥାନରେ ଗୌରୀ ବେତ ସ୍ଥାପନା କରାଯାଏ । ଏହା ରୂଦ୍ର ଓ ଭବାନୀଙ୍କ ପ୍ରତୀକ ।
ଦଣ୍ଡନାଚର ଚରିତ୍ର:-
ଦଣ୍ଡନାଟର ଚରିତ୍ରମାନଙ୍କ ମଧ୍ୟରୁ ଘାସି ଘାସିଆଣୀ, ଯୋଗୀ-ଯୋଗିଆଣୀ, ଚଢ଼େଇଆ-ଚଢ଼େଇଆଣୀ, ପତ୍ରସଉରା-ପତ୍ର ସତ୍ତରାଣୀ, ଶବର- ଶବରୁଣୀ, ବାଇଧନ, ପ୍ରଭା, ବୀଣାକାର-ବୀଣାକାରିଣୀ, ଶିବ-ପାର୍ବତୀ, କନ୍ଧ-କନ୍ଧୁଣୀ ଓ ଛୋଟାମାଳି ପ୍ରଭୃତି ଚରିତ୍ର ଅଭିନୟ ପ୍ରଦର୍ଶନ କରିଥାନ୍ତି । ସର୍ବପ୍ରଥମେ ଘାସି, ଘାସିଆଣୀ ଆସତି ଦାଣ୍ଡ ସଫା କରିବା ପାଇଁ । ଏମାନଙ୍କ କଣ୍ଠରେ ଲୋକଗୀତ ହିଁ ଦର୍ଶକ ପ୍ରାଣରେ ଆମୋଦ ଦେଇଥାଏ ।
‘ସୂତ୍ରଧର’ ବା ‘ମଉସା’ ଚରିତ୍ର ଦଣ୍ଡନାଟର ଅନ୍ୟତମ ଆକର୍ଷଣ । ଏ ଚରିତ୍ରଟି ଅଭିନୟ ପ୍ରଦର୍ଶନ କାରୀ ଚରିତ୍ରଙ୍କ ମଧ୍ୟରେ ସଂଯୋଗର ସେତୁ ରୂପେ ଦର୍ଶକ ନିକଟରେ ପରିଚିତ ହୁଏ । ମା କାଳୀ ‘ପ୍ରଭା’ ରୂପରେ ଆବିର୍ଭୂତା ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଅଭିଷ୍ଟ ପୂରଣ କରନ୍ତି । ଏ ସମୟରେ ଝୁଣା ଖେଳ ହୋଇଥାଏ । ରାତିରେ ହେଉଥିବା ଦଣ୍ଡ ମୁଖ୍ୟତଃ ଷୋହଳ ସୁଆଙ୍ଗ ବିଶିଷ୍ଟ । ‘ବାଇଧନ’ ଚରିତ୍ରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଚରିତ୍ର ପ୍ରାୟ ନାରୀ ଓ ପୁରୁଷ ଯୁଗ୍ମ ସୁଆଙ୍ଗରେ ଅଭିନୟ କରିଥାନ୍ତି । ‘ବୀଣାକାର’ ଓ ‘ବାଇଧନ’ ଚରିତ୍ର ମଧ୍ୟରେ ବିଶେଷ ତାରତମ୍ୟ ନାହିଁ; ତେବେ ବୀଣାକାର ହସ୍ତରେ ‘ବୀଣାବାଡ଼ି’ ବା ଧନୁ ଧାରଣ କରିଥାଏ । ସେଥ୍ରେ ସାତୋଟି ଘଣ୍ଟି ଲାଗିଥାଏ । ‘ବାଇଧନ' ହସ୍ତରେ ଚାମର ଥାଏ । ‘ପୁରୀ’ ଓ ଗଞ୍ଜାମ ଜିଲାର ଦଣ୍ଡନାଟରେ ‘ବାଇଧନ’ ଚରିତ୍ର ଦେଖିବାକୁ ମିଳୁନଥିବା ବେଳେ ଅନ୍ୟ ଅଞ୍ଚଳରେ ଦେଖାଯାଏ ।
ଦଣ୍ଡନାଟରେ ପତ୍ର ସଉରାର ନୃତ୍ୟ କଷ୍ଟସାଧ୍ୟ ଓ ଟମତ୍କାର ପୂର୍ଣ୍ଣ । ପ୍ରଳୟର ତାଣ୍ଡବ ସତେ ଯେପରି ଏ ନୃତ୍ୟରେ ହିଁ ପ୍ରକାଶିତ ହୋଇଥାଏ । ଅପୂର୍ବ ଅଙ୍ଗଭଙ୍ଗୀରେ ନୃତ୍ୟକରି ପତ୍ରସଉରା ଗୌରୀ ବେତକୁ ନମସ୍କାର କରୁଥିବା ଦୃଶ୍ୟ ଉପଭୋଗ୍ୟ ହୋଇଥାଏ । ତାର ପଦ ବିକ୍ଷେପ, ଚଞ୍ଚଳ ନୃତ୍ୟଭଙ୍ଗୀ, ଆପାଦ ମସ୍ତକର ସଂଚାଳନ, ଚିତ୍ରହୋଇ, ଦଣ୍ଡବତ ହୋଇ ଚାରିଆଡ଼କୁ ପାଦ ପ୍ରସାରଣ କରି ନୃତ୍ୟ ପ୍ରଦର୍ଶନ ବେଳେ ଗୀତ ମଧ୍ୟ ଗାନ କରିଥାଏ ।
ଡୋଳା ଖେଳାଇ ଅଳପେ ହସ ଲେ ଚଂପାଗୋରୀ । ପତ୍ରସଉରା ପ୍ରଳୟ ନୃତ୍ୟ ପ୍ରଦର୍ଶନ ପରେ ବୀଣାକାରର ନୃତ୍ୟ ଶାନ୍ତଭାବ ସୃଷ୍ଟି କରେ । ହସ୍ତରେ ବୀଣା ବାଡ଼ି ଧରି ଅତି ସହଜ ସରଳ ପଦକ୍ଷେପରେ ବୀଣାକାର ନୃତ୍ୟ ପ୍ରଦର୍ଶନ କରିଥାଏ । ଏଣୁ ଦଣ୍ଡନାଟର ପ୍ରତ୍ୟେକ ଚରିତ୍ର ନୃତ୍ୟାଶ୍ରୟୀ ।
ଦଣ୍ଡନାଚରେ ସୌନ୍ଦର୍ଯ୍ୟବୋଧ:-
ଦଣ୍ଡନାଟର ପରିବେଷଣ ଶୈଳୀ ଗ୍ରାମ୍ୟ ହେଲେ ମଧ୍ୟ ଏହାର ଏକ ରୂଦ୍ର ସୌନ୍ଦର୍ଯ୍ୟ ରହିଛି । ଏହା ଗ୍ରାମୀଣ ଜନତାର ରୁଚିବୋଧକୁ ସ୍ପର୍ଶ କରେ । ଅଶିକ୍ଷିତ ଲୋକ ଗୋଷ୍ଠୀ ନିକଟରେ ସୂକ୍ଷ୍ମ କଳାଚେତନା ଖୋଜିବା ନିରର୍ଥକ । ଏମାନଙ୍କ ଘଟଣାବିହୀନ ଗତାନୁଗତିକ ଜୀବନରେ ସୁପ୍ତ ଚେତନାକୁ ଉଚ୍ଚକିତ କରି ତୋଳିବା ଲାଗି ବର୍ଣ୍ଣାଢ଼୍ୟ ଉଦାତ୍ତ କଳାର ଆବଶ୍ୟକତା ଅନୁଭବ୍ୟ। ଏହାହିଁ ଦଣ୍ଡନାଚର ଅନ୍ତଃସୋନ୍ଦର୍ୟ୍ଯ।
ଦଣ୍ଡନାଟର ବାଦ୍ୟ:-
ଦଣ୍ଡନାଟରେ ଢୋଲିଆର ଭୂମିକା ଗୁରୁତ୍ବପୂର୍ଣ । ପ୍ରାୟ ଦୁଇଜଣ ଢୋଲିଆ ଢୋଲ ବାଦ୍ୟ ବାଦନ କରିଥାନ୍ତି । ଏମାନେ ସୁଆଙ୍ଗ ଅନୁସାରେ ଢୋଲ ବଢାଇ ଚରିତ୍ରମାନଙ୍କୁ ମଞ୍ଚକୁ ଆବାହନ କରିଥାନ୍ତି । ପ୍ରଭା (କାଳିକା) ଆଗମନ ସମୟରେ ଢୋଲ ବାଦ୍ୟ ଦର୍ଶକ ମନରେ ଭୟ ସଂଚାର କରିଥାଏ । ଏତଦ୍ଭିନ୍ନ ମାଦଳ, ପଖୋଜ, ଗିନି, ନାଗରା, ଝୁମ୍କା ଇତ୍ୟାଦି ବାଦ୍ୟର ବ୍ୟବହାର ଦଣ୍ଡନାଟରେ ହୋଇଥାଏ ।
ଦଣ୍ଡନାଚର ସଂଳାପ:-
ଦଣ୍ଡନାଟର ‘ସଂଳାପ’ ସଂକ୍ଷିପ୍ତ ଓ ଗୀତିଧର୍ମୀ । କ୍ୱଚିତ ଗଦ୍ୟଯୁକ୍ତ ‘ସଂଳାପ’ ବ୍ୟବହୃତ ହୋଇଥାଏ । ଏହା ଉଦାର ସଂଳାପ । ମଉସା (ସୂଦ୍ରଧର) ସହିତ କଥୋପକଥନରେ ବିଶେଷ ଭାବରେ ସଂଳାପ ପ୍ରୟୋଗ ହୋଇଥାଏ । ଗୀତିଧର୍ମୀ ସଂଳାପ ଚରିତ୍ର ମୁଖରୁ ଗୀତ ଆକାରରେ ବାହାରେ । ପାଳିଆମାନେ ତାକୁ ଦୋହରାନ୍ତି । ଗୀତର ରାଗିଣୀ ଅନୁସାରେ ବାଦ୍ୟ ବାଜେ । ଚରିତ୍ର କେବଳ ଏ ସମୟରେ ନୃତ୍ୟ କରୁଥାଏ ।
ଦଣ୍ଡନାଚର ମଞ୍ଚ:-
ଦଣ୍ଡନାଚ ସାଧାରଣତଃ ଗାଁ ଦାଣ୍ଡରେ, ଖୋଲା ପଡ଼ିଆରେ ମୁକ୍ତାକାଶ ତଳେ ଅଭିନୀତ ହୁଏ । ଏଥିପାଇଁ ସ୍ୱତନ୍ତ୍ର ମଞ୍ଚର ଆବଶ୍ୟକତା ପଡ଼େନାହିଁ । ଅଭିନୟସ୍ଥଳକୁ ଘେରି ଦର୍ଶକମାନେ ବସନ୍ତି । ରଙ୍ଗପୀଠ ସହିତ ଦର୍ଶକମଣ୍ଡଳୀକୁ ପାରମ୍ପାରିକ ରୀତିରେ ‘ସମାଜ’ କୁହାଯାଏ । ଦଣ୍ଡନାଟର ପ୍ରତ୍ୟେକ ଚରିତ୍ର ଆତ୍ମ ପରିଚୟ ଦେଇ ମଞ୍ଚ ପ୍ରବେଶ କରିଥାନ୍ତି ।
ଦଣ୍ଡନାଚ ପୁନର୍ଜନ୍ମର ପ୍ରତୀକ:-
ଦଣ୍ଡନାଟରେ ‘କାମନାଘଟ’ ଥାଏ । ଏହି ଘଟକୁ ଦଣ୍ଡୁଆମାନେ ଘଟପୂଜା ଦିନ ମଝିପୋଖରୀର ପାଣିରେ ଭର୍ତ୍ତି କରି ପୂଜା କରନ୍ତି । ଏହାକୁ 'ଘଟଭରା' କହନ୍ତି । ଦଣ୍ଡଯାତ୍ରାର ପରିସମାପ୍ତି ‘ମେରୁଦିନ’ ରାତିରେ ପ୍ରାଣିଭର ଘଟକୁ ମାଟିତଳେ ସମାଧୁ ଦିଆଯାଏ ପୁଣି ପରବର୍ଷ ଚୈତ୍ର ମାସ ଦଣ୍ଡଯାତ୍ରା ସମୟରେ ଉଠାଯାଏ । ପାଣି ହେଉଛି ପ୍ରାଣ । ଏହାକୁ ମାଟିତଳେ ସମାଧ୍ ଦେବା ଓ ପରବର୍ଷ ଉଠାଇବା ହେଉଛି ମୃତ୍ୟୁ ଓ ପୁନର୍ଜନ୍ମ । ଜୀବନ ଶାଶ୍ୱତ । ମୃତ୍ୟୁ ଜୀବନର ଶେଷ କଥା ନୁହେଁ । ମଣିଷ ବହୁବାର ଜନ୍ମେ ଓ ମରେ । ‘ଘଟଉଠା’ ଏହାର ପ୍ରତୀକ ।
ଉପସଂହାର:-
ସଂପ୍ରତି ସୁଆଙ୍ଗ ଓ ଯାତ୍ରା ପରି ପାରମ୍ପାରିକ ଲୋକନାଟ୍ୟମାନ ସ୍ୱକୀୟ ବୈଶିଷ୍ଟ୍ୟକୁ କ୍ରମେ ବିସର୍ଜନ ଦେଇ ଏଟର ଓ ସିନେମା ଅଭିମୁଖୀ ହେବାକୁ ଚେଷ୍ଟିତ । ଦଣ୍ଡନାଚ ସାମୟିକ ପ୍ରଭାବକୁ ଅସ୍ଵୀକାର କରି ନିଜସ୍ୱ ରୀତି ଓ ବୈଶିଷ୍ଟ୍ୟକୁ ଅକ୍ଷୁଣ୍ଣ ରଖିପାରିଛି । ଓଡ଼ିଆ ଯେଉଁ ସ୍ୱାତନ୍ତ୍ର୍ୟ ଓ ସ୍ୱାଭିମାନ ନେଇ ବଞ୍ଚି ରହିଛି ଓ ବଞ୍ଚିବାକୁ ପ୍ରୟାସ କରିଛି; ତାହା ପ୍ରକୃତପକ୍ଷେ ଦଣ୍ଡନାଚରେ ହିଁ ଉପଲବ୍ଧ ।