14/09/2025                                                                            
                                    
                                                                            
                                            ⚫❗⚫
ll *ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ଦ୍ଵିତୀୟା ଓଷା* ll 
               ଆଶ୍ଵିନ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଏହି ବ୍ରତକୁ ମହାଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି। ଏହି ଦିନ ଠାକୁରମାନଙ୍କର ସକାଳ ଧୂପ ସମାପ୍ତି ହେବାପରେ ଶ୍ରୀଦେବୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପଇ ସାତପାହାଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବସି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ ହୋଇ ସେଠାରେ ପଡିଥିବା ଏକ ଖଟ ଉପରେ ଅଧିଷ୍ଠିତ ଦେବା ପରେ ମହାଜନ ସେବକ ମା ଙ୍କ ମାଜଣା ପରେ କର୍ପୂର ଲାଗି ହୋଇଥାଏ। ଜନୈକ ପୂଜାପଣ୍ଡା ସେବକ ଶ୍ରୀଦେବୀଙ୍କୁ ଲକ୍ଷ୍ମୀବ୍ରତ କଥା ଶୁଣାଇଥାନ୍ତି। ପରେ ଭୋଗ ଓ ବନ୍ଦାପନା ହୋଇଥାଏ। ଭିତରେ ମଧ୍ୟାହ୍ନ ଧୂପ ଉଠିବା ପରେ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିଥାନ୍ତି। ଦୂତୀ ବାହନ ଓଷା ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୁତିଆ/ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ । ଜନନୀମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିଯତ ହୋଇଥାଏ । ଏହି ଦିନ ମା'ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି । କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି ।
ll ମୂଳାଷ୍ଟମୀ , ପୁଅଜିଉଁନ୍ତିଆ , ଦ୍ବିତୀବାହାନ ପୂଜା ଦ୍ଵିତୀୟା ଓଷା ll :- 
          ଦୂତୀ ବାହନ ଓଷା ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୁତିଆ/ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ । ଜନନୀମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିଯତ ହୋଇଥାଏ । ଏହି ଦିନ ମା'ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି । କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି ।
           ପିତା ମାତାଙ୍କ ମୃତ୍ୟୁ ପରେ ପୁଅ ପିଣ୍ଡଦାନ କରିବାର ସାମାଜିକ ଚଳଣି ଓଡ଼ିଶାରେ ପ୍ରଚଳିତ । ପୁତ୍ରଲାଭ କରିବା ଓ ତା'ର ମଙ୍ଗଳ କାମନା କରିବା ନିମନ୍ତେ ଏହି ଓଷା ପାଳନ କରାଯାଇଥାଏ ।ଆୟୁର୍ବେଦ ଅନୁସାରେ ଯୁଇର ବନ୍ଧ୍ୟା ନିରାକରଣ ଶକ୍ତି ଥିବାରୁ ଏହାର ବ୍ୟବହାର କରାଯାଏ । ଅପାମାର୍ଗ ବାତନାଶକ ହୋଇଥିବାରୁ ଏହାର ବ୍ୟବହାର ନାରୀମାନଙ୍କ ସନ୍ତାନଲାଭ ପାଇଁ ହିତକର ହୋଇଥାଏ । ଗଜାମୁଗ ଓ ଚଣାରେ ପୁଷ୍ଟିସାର ତାହା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର ।
     ଏହି ବ୍ରତର ଉପାସ୍ୟ ଦେବତା ଜିମୂତ ବାହନ । ଓଡ଼ିଆ କବି ପୁରୁଷୋତ୍ତମ ଦାସଙ୍କ ରଚିତ "ଦୂତୀଆ ଓଷା କଥା"ରେ ଜିମୂତବାହନ ସୂର୍ଯ୍ୟଙ୍କ ପୁଅ ବୋଲି ଅଭିହିତ କରାଯାଇଛି । କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି । ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି । ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ନାନାପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି । ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା'ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ । ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ । ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ଵୀପପରି ଜଣାପଡ଼ିବ । ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର । ତା'ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ ।
ଖୋଳାଯାଇ ଏକ ବିଲ ତିଆରି କରି ତହିଁରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ । ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଜିମୂତବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ । ଲେଉଟିଆ ଶାଗ ବ୍ୟତୀତ ଅନ୍ୟାନ୍ୟ ପନିପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖିରିପିଠା ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ସ୍ନାନ କରି ଗଙ୍ଗାମାତାଙ୍କୁ ପୂଜା କରି ରାତିରେ ଦୂତୀବାହନଙ୍କୁ ଫଳ ଭୋଗ ଦେଇ ଓଷାର ଉପାଖ୍ୟାନ ଶୁଣିଥା'ନ୍ତି । ଯଦି କେହି ଅପୁତ୍ରିକ ଥାଆନ୍ତି ତା'ହେଲେ ବାସ ଓ ଯୁଇ ଡାଳ ଆଣି ତାରି ପାଖରେ ପୋତି ରଖନ୍ତି । ବିଭିନ୍ନ ବର୍ଣ୍ଣର ମୁରୁଜ କରି ସୂର୍ଯ୍ୟ ଦେବତାଙ୍କର କାଳ୍ପନିକ ଚିତ୍ର ଆଙ୍କି, ଚିଲ ଏବଂ ଶିଆଳକୁ ଉତ୍ତରରେ ରଖି ପଶ୍ଚିମରେ ଦୂତୀବାହନଙ୍କୁ ସ୍ଥାପନ କରି ଥାଆନ୍ତି । ବ୍ରତ ଧାରଣ କରିଥିବା ନାରୀମାନେ ବାଲିରେ ଚିଲ ଏବଂ ଶିଆଳର ଚିତ୍ର ଆଙ୍କି ଅପାମାର୍ଗ କାଠିରେ ଦାନ୍ତ ଘସିଥାନ୍ତି । ସେଦିନ ସମସ୍ତେ ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଥିପାଇଁ ଯୋଗାଡ଼ କରିଥିବା ୨୧ପ୍ରକାର ଫଳ ଓ ପରିବାକୁ ଚାଙ୍ଗୁଡ଼ିରେ ଥୋଇ ତା' ଉପରେ ଗୋଟିଏ ନୂଆଲୁଗା ପକାଇ ଆସ୍ଥାନ ପାଖରେ ନେଇ ରଖାଯାଏ । ତା'ସହିତ କଉଡ଼ି, ଚଉରାଅଶୀଟା ଗୁଆ ସେହି କୋଠି ଭିତରେ ପକାଇବାକୁ ହୁଏ । ଏହି ପ୍ରକାର ବିଧିରେ ଓଷା ଶେଷକରି ଓଷା ଦ୍ରବ୍ୟକୁ ନିଜେ ନଖାଇ ରାତି ନ ପାହୁଣୁ ସ୍ନାନ କରି ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ବାଣ୍ଟି ଦିଆଯାଏ । ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ ଓଷା ଶେଷରେ ଓଷାରେ ବ୍ୟବହୃତ ପୂଜା ସାମଗ୍ରୀକୁ ଓଷାକାରିଣୀମାନେ ଗିଳିବା ବା ଚୋବାଇବାର ପରମ୍ପରା ରହିଛି । ତା'ସହିତ ଧୂପଦୀପ ଦେଇ ତାଙ୍କୁ ପୂଜା କରନ୍ତି । ପୂଜା ଶେଷକରି ସୂର୍ଯ୍ୟଦେବତାଙ୍କୁ ପ୍ରଣାମକରି ଏକମୁହାଁ ହୋଇ ଘରକୁ ଲେଉଟି ଆସନ୍ତି । ଓଷାର ପରଦିନ ସେମାନେ ନୂଆ ଲୁଗା ପିନ୍ଧି ଘରେ ପୂର୍ଣ୍ଣ କୁମ୍ଭ ବସାଇ ଗୋଟିଏ ସ୍ଥାନକୁ ଗୋବର ପାଣିରେ ଲିପି ପୋଛି ରନ୍ଧାବଢ଼ା କରିଥିବା ଜିନିଷକୁ ସେଇଠାରେ ଥୋଇ ଦିଅନ୍ତି । କୁମ୍ଭ ଆଗରେ ଦୀପ ଜାଳି ପୂଜା ସ୍ଥଳରେ ୧୦୮ ଚାଉଳ ଓ ୧୦୮ ଦୁବ ସହ ଏକ କଷି କାକୁଡ଼ିକୁ ଶାଳପତ୍ରରେ ବାନ୍ଧି ପୁଅମାନଙ୍କୁ ବନ୍ଦାଇଥାନ୍ତି । ତାକୁ ସେମାନେ ଦୂତୀବାହନଙ୍କୁ ନୈବେଦ୍ୟ ଦିଅନ୍ତି । ସେହି ସାମଗ୍ରୀକୁ ପୁଅମାନଙ୍କ ଆପାଦମସ୍ତକ ଛୁଆଁଇ ବ୍ରତ ବା "ଜିଉଁତିଆ"କୁ ସେମାନଙ୍କ ହାତରେ କବଚ ଭଳି ବାନ୍ଧି ଦେଇଥାନ୍ତି ଓ ବନ୍ଧୁବାନ୍ଧବ ପିଲା ସମସ୍ତଙ୍କୁ ପରସିଥାନ୍ତି।
ସନ୍ତାନବତୀ ମା' ସନ୍ତାନମାନଙ୍କର ଦୀର୍ଘଜୀବନ କାମନ କରି ଏ ପ୍ରକାର ଓଷା କରୁଥିବାରୁ ଏହି ଓଷା ପ୍ରତ୍ୟେକ ଓଡ଼ିଆ ନାରୀ ପ୍ରାଣରେ ଗଭୀର ରେଖାପାତ କରିଥାଏ । କୌଣସି ଲୋକ ବିପଦରୁ ରକ୍ଷା ପାଇଲେ ଲୋକମାନେ କହିଥା'ନ୍ତି, 'ସତରେ ମା' ତୋର ଦୂତୀଆ ପୂଜିଥିଲା । ତେଣୁ ରକ୍ଷା ପାଇଗଲୁ ।' ପୁତ୍ରବତୀ ମା' ପୁତ୍ରର ଚନ୍ଦ୍ର ରିଷ୍ଟ ଖଣ୍ଡନ ପାଇଁ ଦୂତୀଆ ଓଷା କରିଥାନ୍ତି । ତେଣୁ ଜନ୍ମ ସମୟରେ ଚନ୍ଦ୍ରର ପ୍ରଭାବକୁ ଲାଘବ କରିବା ପାଇଁ ଦ୍ଵୀତୀୟା ଚାନ୍ଦ ପୂଜା କରିବା ଯେପରି ଦରକାର ପଡ଼େ ସେହିପରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ଏ ପ୍ରକାର ବିଧି ବିଧାନର ଆୟୋଜନ କରାଯାଇଛି ।
“ପୁଅ ଜିଉଁତିଆ ଓଷା ମଣିଷର ଧର୍ମୀୟ ଅନୁଚିନ୍ତାକୁ ସୁଦୃଢ଼ କରିବା ସହିତ ମାତାପୁତ୍ରର ଅନାବିଳ ସ୍ନେହ ମମତାକୁ ଋଦ୍ଧିମନ୍ତ କରିଥାଏ । ଏହି ଓଷା ପଶ୍ଚିମ ଓଡ଼ିଶାରେ ସର୍ବତ୍ର ପାଳିତ ହୋଇଥାଏ ଏବଂ ଏହି ଦିନଠାରୁ ପାର୍ବଣ ଋତୁର ଶୁଭାରମ୍ଭ ହୋଇଥାଏ । ଚିରଶୁଦ୍ଧି, ଧର୍ମୋପାସନା ଓ ଭାଗବତପ୍ରାପ୍ତି ଦିଗରେ ଏହି ପୁଅ ଜିଉଁତିଆ ଓଷାର ଉପାଦେୟତା ଅପରିହାର୍ଯ୍ୟ ।
ll କିମ୍ବଦନ୍ତୀ ll  :- 
    ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀକୁ ମୂଳାଷ୍ଟମୀ କୁହାଯାଏ । ଏହିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୂତିଆ ଓଷା ପାଳିତ ହୁଏ । ଦୂତିବାହାନ ଏହି ଓଷାର ଦେବତା । ପ୍ରଚଳିତ ଓଷା କଥା ଅନୁସାରେ ସେ ସୂର୍ଯ୍ୟଙ୍କର ପୁତ୍ର ଏବଂ ଜଣେ ବିଧବା ବ୍ରାହ୍ମଣୀ ଗର୍ଭରୁ ଜନ୍ମ ହୋଇଥିଲେ । ଏହି ପ୍ରସଙ୍ଗରେ ଦୁଇଟି କଥା ରହିଛି ।
ll ପ୍ରଥମ ll 
           ଗରିବ ବ୍ରାହ୍ମଣୀଟିଏ ଥାଏ ବାଳୁତ କାଳରୁ ବିଧବା । ସାହା ଭରସା ହେବାକୁ ଦାସୀଟିଏ ରଖିଥାଏ। ସେମାନେ ଧାନକୁଟିଚଳନ୍ତି। ଆଶ୍ୱିନ ମାସ ପିତୃପକ୍ଷ ପଡ଼ିଲା । ରାଜା କୁଟୂତୁଣିମାନଙ୍କୁ ଡକାଇ ଧାନ ଦେଲେ ଏବଂ କୋଠ ଖନ୍ଦା କରି ଚାରିଦିନରେ ଚାଉଳ ଦେବାକୁ ବରାଦ ଦେଲେ । ମେଘ ଉଠାଇଲା । ଧାନ ଶୁଖାଇ ଚାଉଳ କରିଦେବା କଷ୍ଟ। ବ୍ରାହ୍ମଣୀଟି ସୂର୍ଯ୍ୟଦେବତାଙ୍କ ପାଖେ ଖରାକଲେ ଅଙ୍ଗଦାନ କରିବାକୁ ମାନସିକ କଲା। ସୂର୍ଯ୍ୟଦେବତା ତା’ଦାଣ୍ଡରେ ଖରାକଲେ । ନିର୍ଦ୍ଦିଷ୍ଟ ସମୟରେ ସେ ରାଜାଘରେ ଚାଉଳ ଦେଲା । କିନ୍ତୁ ସୂର୍ଯ୍ୟ ଦେବତା ନିର୍ଦ୍ଧାରିତ ରାତ୍ରିରେ ଅଙ୍ଗସଙ୍ଗ ପାଇଲେ ନାହିଁ । ବ୍ରାହ୍ମଣୀଟି ତା’ଦାସୀକୁ ତା’ସ୍ଥାନରେ ଶୁଆଇ ଦେଇ ଆତ୍ମଗୋପନ କଲା । ଦେବତା ଦାସୀ ଅଙ୍ଗ ସ୍ପର୍ଶ ନ କରି ନିରାଶ ହୋଇ ବାହୁଡିବା ବେଳେ ଲେଉଟିଆ ପଟାଳିରେ ପରିଶ୍ରା କରି ଦେଇଗଲେ । ସେ ସେତେବେଳେ କାମାର୍ତ୍ତ ଅବସ୍ଥାରେ ଥିଲେ । ସେଠି ଇଚ୍ଛାଶାଗ ଉଠିଲା ମନକୁ ମନ, ଗହଳିଆ ହୋଇ ଉଠିଥିବା ଲେଉଟିଆ ଶାଗ ଖାଇ ବ୍ରାହ୍ମଣୀ ଗର୍ଭବତୀ ହେଲା । ବିଧବାର ଗର୍ଭବାସ ଏକ ଗର୍ହିତ ଅପରାଧ । ସେ ସେଥିପାଇଁ ରାଜରୋଷ ଏବଂ ସାମାଜିକ ବାସନ୍ଦର ସମ୍ମୁଖୀନ ହେଲା । ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ତା’ର ପୁଅଟିଏ ହେଲା । ମିଥୁନ ଲଗ୍ନରେ ହୋଇଥିଲା । ତା’ର ନାମ ଦୂତିବାହାନ ରଖାଗଲା । ପୁଅ କ୍ରମେ ବଡ ହୋଇ ଚାହାଳୀରେ ପଢିଲା । ଦିନେ ତା’ର ଖଡି ଗୋଟାଳି ଗଡି ଯିବାରୁ ଜଣେ ସାଙ୍ଗକୁ ବଢାଇ ଦେବାକୁ ଅନୁରୋଧ କଲା। ସେ ପିଲାଟି ଦୋସାଧୁର ପୁଅ । ତାକୁ ଖଡି ଗୋଟାଳି ବଢାଇ ଦେବାକୁ କହୁଥିବା ରାଣ୍ଡୀ ବ୍ରାହ୍ମଣୀ ପୁଅକୁ ସେ ଅଣବାପୁଆ ବୋଲି କହି ଅପମାନିତ କଲା । ପୁଅ ଘରକୁ ଫେରି ତା’ର ଜନକ କିଏ ବୋଲି ଜାଣିବାକୁ ମାଆ ପାଖରେ ଦାବୀ କଲା । ମାଆ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ । ରାତି ପାହିଲା । ଅରୁଣ ରଥରେ ବସି ସପ୍ତାଶ୍ୱ ବାହନ ସୂର୍ଯ୍ୟ ଆକାଶରେ ଦେଖାଦେଲେ । ମାଆ ଚିହ୍ନାଇ ଦେଇ କହିଲେ – “ଇଏ ତୋ ବାପା ।” ପୁଅ ଦୂତିବାହାନ ସୂର୍ଯ୍ୟଙ୍କୁ ଦେଖି ନମସ୍କାର କଲା । ସୂର୍ଯ୍ୟ ହାତ ବଢାଇ କୋଳକୁ ଟେକି ନେଲେ । କୋଳରେ ବସାଇ ନାନା ଅଳଙ୍କାର ପିନ୍ଧାଇ ଦେଲେ । ଆକାଶରୁ ନାନା ଅଳଙ୍କାର ପାଟଶାଢୀ ଖସିଲା । ଏହି ବିଚିତ୍ର ଦୃଶ୍ୟଦେଖି ବହୁ ସଂଖ୍ୟାରେ ଲୋକ ଜମିଗଲେ । ଉପସ୍ଥିତ ନରନାରୀ ବିସ୍ମିତ ହେଲେ । ପୁଅ ସୂର୍ଯ୍ୟଦେବଙ୍କୁ ପଚାରିଲା-“ବାପା ! ମୋର ମାଆ କାହିଁକି ଅସତୀ ବୋଲି ନିନ୍ଦା ପାଉଛନ୍ତି ? ଆପଣ ଯଦି ମୋର ବାପା ତେବେ ମୁଁ ଅଣବାବୁଆ ବୋଲି ଅପମାନିତ ହେଉଛି” ? ସୂର୍ଯ୍ୟଦେବ ଆଶ୍ୱସନା ଦେଇ କହିଲେ- “ତୋ ମାଆ ସତୀ । କିଛିଦିନ ପରେ ତୁ ଓ ତୋ ମାଆ ପୃଥିବୀରେ ପୂଜା ପାଇବ ।”
ll ଦ୍ଵିତୀୟ ll
      ଗୋଟିଏ ଚିଲ ଏବଂ ଗୋଟିଏ ଶୃଗାଳ ଏହି ଓଷା ପାଳନ କରିଥିଲେ । କେତେକ ସ୍ତ୍ରୀଲୋକ ଓଷାକୋଠି ପାଖରେ ବସି ଓଷା ପୂଜୁଥିବାରୁ ଦେଖି ସେମାନେ ଏଥିପ୍ରତି ମନ ବଳାଇଲେ । ଓଷେଇତି ଓଷା ଶେଷରେ ଯେଉଁ ପୂଜା ଜିନିଷ ଫୋପାଡ଼ି ଦେଇଥିଲେ ତାହା ସେମାନେ ସଂଗ୍ରହ କଲେ । ସେମାନେ ଛାଡ଼ି ଯାଇଥିବା ହଳଦୀ ଲଗାଇ ସ୍ନାନ କଲେ । ଚିଲଟି ନିଷ୍ଠାର ସହିତ କାଷ୍ଠାରେ ଓଷା କଲା । କିନ୍ତୁ ଶୃଗାଳଟି ଭୋକ ସମ୍ଭାଳି ପାରିଲାନାହିଁ । ରାତି ଭିତରେ କୋରଡ଼ ଭିତରେ ପଶି ମାଂସ ଖାଇଦେଲା । ଚିଲ କିଛି ଜାଣିନପାରି ଶିଆଳକୁ ପଚାରିଲା- ‘ ଭଉଣୀ ତୁ ଏତେବେଳେ କ’ଣ କଡ଼ମଡ଼ କରି ଚୋବାଉଛୁ? ଶିଆଳ କହିଲା- କ’ଣ ଅଛି ଯେ ଚୋବାଇବି ? ଥଣ୍ଡାରେ ମୋ ଦାନ୍ତ କଡ଼ମଡ଼ ଶବ୍ଦ ହେଉଛି ।’ ପର ଜନ୍ମରେ ଓଷା ପ୍ରଭାବରୁ ଏହି ଚିଲ ଓ ଶୃଗାଳ ମଣିଷ ଜନ୍ମ ପାଇଲେ । ଉତ୍ତମ କୁଳରେ ଦୁଇ ଭଉଣି ହୋଇ ଜନ୍ମ ହେଲେ । ଶିଆଳ ବଡ ଭଉଣୀ ହେଲା, ଚିଲ ସାନ ଭଉଣୀ ଜନ୍ମ ହେଲା । ବଡ ଭଉଣୀ ମନ୍ତ୍ରୀ ଓ ସାନ ଭଉଣୀ ସାଧବକୁ ବିବାହ କଲେ । ପୂର୍ବ ଜନ୍ମରେ ବ୍ରତ ଖଣ୍ଡିତ କରିଥିବାରୁ ମନ୍ତ୍ରୀ ପତ୍ନୀ ପିଲାଛୁଆ ନହେବାରୁ କଷ୍ଟ ଓ ଦୁଃଖ ଅନୁଭବ କଲା । କିନ୍ତୁ ସାଧବାଣୀ ପୁତ୍ରବତୀ ହୋଇ ସୁଖରେ କାଳ କଟାଇଲା । ଫଳରେ ବଡ଼ ଭଉଣୀ ସାନ ଭଉଣୀକୁ ଇର୍ଷା କଲା । ସାନ ଭଉଣୀ (ସାଧବ ପତ୍ନୀ)ର ସନ୍ତାନମାନେ ମାଉସୀ ଘରକୁ ଖେଳିବାକୁ ଯାଆନ୍ତି । ବଡ଼ ଭଉଣୀ ତଥା ମନ୍ତ୍ରୀ ପତ୍ନୀ ଶୀଳାବତୀ ସେମାନଙ୍କୁ ବିଭିନ୍ନ ଭାବରେ ହତ୍ୟା କରି ସାଧବ ସ୍ତ୍ରୀ ପାଖକୁ ହାଣ୍ଡି, ଚାଙ୍ଗୁଡ଼ି ଇତ୍ୟାଦିରେ ପ୍ରତିଥର ମୃତ ପୁତ୍ରଙ୍କର ଶରୀର ପଠାଏ ଏବଂ ଦୂତୀବାହାନଙ୍କ ମହିମାରୁ ପୁଅମାନେ ଭଲରେ ଥାଆନ୍ତି । ପଠା ହୋଇଥିବା ମାୟା ପୁତ୍ରମାନଙ୍କର ଶରୀର ନଡ଼ିଆ, ଆଖୁ, ଅଦା, ଚଣା ଇତ୍ୟାଦି ଖାଦ୍ୟ ପଦାର୍ଥ ପାଲଟନ୍ତି । ସରଳ ସାଧବ ସ୍ତ୍ରୀ ଏକଥା ଜାଣିପାରେ ନାହିଁ । ପୁଅମାନେ ଠିକ୍ ସମୟରେ ବାହୁଡ଼ନ୍ତି ଏବଂ ମାଉସୀ ପଠାଇଥିବା ଖାଦ୍ୟ ଖାଇ ଖୁସି ହୁଅନ୍ତି । ବାରମ୍ବାର ମାରିବା ପରେ ପୁଅମାନେ ନ ମରିବାରୁ ଶୀଳାବତୀ ଆତଙ୍କିତ ହେଲା । ଏହି ଅବସରରେ ମନ୍ତ୍ରୀ ଏକଥା ଜାଣି ତାକୁ ଭର୍ତ୍ସନା କଲେ । ଶୀଳାବତୀକୁ ନେଇ ସାଧବାଣୀ ପାଖରେ କ୍ଷମା ମାଗିଲେ । କିନ୍ତୁ ଦୂତିବାହାନ ସାଧବାଣିକୁ ପୂର୍ବରୁ ସ୍ୱପ୍ନରେ ସବୁକଥା କହିଦେଇଥିଲେ । ସେ ଭଉଣୀ ଉପରେ ରାଗିଥିଲେ ମଧ୍ୟ ଦୂତୀବାହାନଙ୍କ ଓଷା କରିଥିବାରୁ ସବୁ ପ୍ରକାରେ ସାହାଯ୍ୟ କଲା । ସେମାନେ ଓଷା ପୂଜିବା ସମୟରେ ଦୂତୀବାହାନ ସାତବର୍ଷର ପିଲା ବେଶରେ ଧନୁରେ ଜୁଈର କାଠିଶର ଜୋଖି ଶୀଳାବତୀକୁ କାଣ୍ଡ ବିନ୍ଧିଲେ ଓ ତା’ର ମଡ଼ିଛି ଦୋଷ ଭଗ୍ନ ହୋଇ ସେ ପୁତ୍ରବତୀ ହେଲା ।
      ll ଦୁତିବାହନ ଓଷା କଥା ll 
(ଦୁତିଆ ଓଷା ବା ପୁଅ ଜିଉନ୍ତିଆ ଓଷା) 
      *ପ୍ରଥମ ଛାନ୍ଦ*
ଜୟ ଜୟ ତୁ ଧର୍ମ ନିରଞ୍ଜନ ।
 ଜୟ ଜୟ ଧର୍ମ ଦୁତିବାହନ ।।
 ଯାହା ନାମ ଗୋଟି ସଂସାରେ ସାର ।
 ଶୁଣିଲେ ନାନା ଦୋଷୁ ହୋଇ ପାର ।।
 ଦୁତୀୟା ଓଷାର ମହିମା ଯେତେ ।
 କଥା ପ୍ରସଙ୍ଗରେ କହୁଛି ଗୀତେ ।।
 ବାଞ୍ଝି  ମଡ଼ିଛି ଅବିବାହୀ ନାରୀ ।
 କାଳପୁରୁଷ ପେଟହରା ସ୍ତିରୀ I।
କୁଳନାଶକୁ କାକ ବାଝା ମିଳେ । 
ଚନ୍ଦ୍ରଗ୍ରହଣ ଫଳ ବନ୍ଧା ଠୁଳେ II 
 କୁଳଟା ସ୍ତରୀ ଯେ ଅକର୍ମା ନାରୀ ।
  ଏ ଓଷା କଲେ ଏତେ ଦୋଷୁ ତରି ।।
  ଅତି ଦୁର୍ଗତିରେ ଦୁତୀୟା ଓଷା । 
 ପାରିଲା ଲୋକ କରଇ ସହସା ।।
 ଆନ ଓଷାରେ ନାହିଁ ଏତେ କାଷ୍ଠା ।
  ଫଳ ମିଳେ ଯେହୁ କରଇ ନିଷ୍ଠା।।
 ନିଷ୍ଠାରେ ଯେ ଜନ ଓଷା କରିବ । 
 ଧନ ଜନ ଗୋପ ଲକ୍ଷ୍ମୀ ଲଭିବ ।।
ଦୁତୀୟା ଓଷାର ଫଳ ବିଶେଷ । 
 ଗୀତେ କହିଲେ ପୁରୁଷୋତ୍ତମ ଦାସ ।।
      *ଦ୍ବିତୀୟ ଛାନ୍ଦ*
ଆଶ୍ଵିନ କୃଷ୍ଣ ସପ୍ତମୀ ଦିନ । 
 ଏକବାର କରି ଓଷା ବିଧାନ ।।
 ନାନା ବ୍ୟଞ୍ଜନ କରିଣ ସମ୍ପୂର୍ଣ । 
କ୍ଷିରୀ, ପିଠା ଆଦି ଘୃତାନ୍ନ ଅନ୍ନ  ।। 
 ଏକା ଲେଉଟିଆ ଶାଗକୁ ଛାଡ଼ି ।
 ସର୍ବପରିବା ଯେ ଯାହାକୁ ଲୋଡ଼ି ।। 
 ଏମାନ ସଂଯୋଗ କରି ଥୋଇବ ।
  ସୁଗନ୍ଧ ଘେନି ସ୍ନାହାନକୁ ଯିବ ।।
 ଦେଖିଣ ଉତ୍ତମ ନଦୀ ପୋଖରୀ । 
 ତୋଠ ଓଳିଆଇ ନିର୍ମଳ କରି ।।
 ବାଲିରେ ଚିଲ ଶିଆଳ ଗଢ଼ିବ । 
ଦୁହିଁଙ୍କି ଦୁଇ ଦାନ୍ତକାଠି ଦେବ ।।
  ଅପମାରଙ୍ଗର ସେ ଦାନ୍ତ କାଠି। 
ଆଉ କାଠିମାନ ବିଧି  ନୁହେଁଟି ।।
 ନାଡ଼ିଲଗା ଜହ୍ନି କାକୁଡ଼ି ମାନ ।
  ତାହା ଉପରେ କରିବ ମଣ୍ଡନ ।।
 ନାନା ଗନ୍ଧ ପୁଷ୍ପେ  ତାଙ୍କୁ ପୂଜିବ । 
 ବହୁତ ପ୍ରକାରେ ସ୍ତୁତି କରିବ ।।
  ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି ।
  ମନର ବାଞ୍ଚା ମନରେ ସୁମରି ।। 
 ପଛକୁ ଲେଉଟି ଚାହିଁବ ନାହିଁ । 
 ଘରକୁ ଆସିବ ମଉନ ହୋଇ ।। 
ବସନ ଯେ ଥିବ ଯେମନ୍ତ ଦ୍ରବ୍ୟ । 
 ନୂଆବସନ ତ ଅତି ଦୁର୍ଲଭ ।। 
 ହୃଷ୍ଟମନେ ସବୁ ଯତନ କରି ।
  କ୍ଷୀରି, ପିଠା ଆଦି ସମ୍ଭାର ଭରି ।।
 ସକଳ ଦ୍ରବ୍ୟ ରାନ୍ଧିଥିବ ଯାହା । 
 ସ୍ଥାନ ଲିପି ପୋଛି ବାଢ଼ିବ ତାହା ।।
  ଦୁତିବାହାନଙ୍କୁ ନୈବେଦ୍ୟ ଦେବ । 
 ତଦନ୍ତେ ଚିଲଶିଆଳି ପୂଜିବ ।।
 ବନ୍ଧୁବାନ୍ଧବଙ୍କୁ ଡାକି ଭୁଞ୍ଜିବ । 
 ପୁତ୍ର ଗୃହସ୍ଥଙ୍କୁ ସମାନ ଦେବ ।।
 ରାତ୍ରିରେ ଏକ ପ୍ରକାର କରିବ । 
 ନିଶାରେ ଦୁତିବାହନ ପୂଜିବ ।।
 ଏଇ ରୂପେ ଏକବାରକୁ କରି । 
 ରାତ୍ରିପାହିଲେ ଯେ ଓଷା ଆଚରି ।। 
ଦ୍ବିତୀୟ ଛାନ୍ଦ କଥା ହେଲା ଶେଷ । 
 ଗୀତେ ଭଣିଲେ ପୁରୁଷୋତ୍ତମ ଦାସ ।। 
      *ତୃତୀୟ ଛାନ୍ଦ*
 ଅଷ୍ଟମୀ ଦିନ ପ୍ରଭାତରୁ ଉଠି ।
  ଚିଲ ଶିଆଳଙ୍କୁ ଯାଇଣ ଭେଟି ।।
  ବିଧିବିଧାନେ ସ୍ନାହାନ ସାରିବ । 
 ସେ ଦିନଯାକ ଯେ ନିର୍ଜଳା ହେବ ।।
  ସନ୍ଧ୍ୟା କାଳରେ ପବିତ୍ର ସ୍ଥାନରେ ।
  କୋଠି ସଜାଡ଼ି ଆନନ୍ଦ ମନରେ ।।
  ଜାଣିବା ଲୋକ କୋଠି ସଜାଡ଼ିବ ।
  ନ ଜାଣିବା ଲୋକ ଦଣ୍ଡ ପାଇବ ।।
  ଚାରି କୋଣିଆ କରିଣ ଖୋଳିବ । 
 ମଝି ଦୀପଦଣ୍ଡୀ ପରି କରିବ ।।
 ଦୈର୍ଘ୍ୟ ପ୍ରାୟ ଦୁଇହାତେ ପ୍ରମାଣ ।
  ଏଥିରୁ କେବେ ନ କରିବ ଆନ ।।
  କଣି ପୋତିଣ କୁଞ୍ଜ ସଜାଡ଼ିବ । 
 ତୁଳସୀ ବୃକ୍ଷକୁ ମଧ୍ୟେ  ରୋପିବ ।।
  ଉପରେ ଚାନ୍ଦୁଆ ଗୋଟିଏ ବାନ୍ଧି । 
 କଇଁଫୁଲ ମଣ୍ଡି ପୂରାଇ ସନ୍ଧି ।।
 କୋଠି ମଧ୍ୟରେ କଦଳୀ ଲଗାଇ । 
 ଦୁତିବାହାନ ବ୍ରତ  ତାକୁ କହି ।।
 ବାଞ୍ଝି  ମଡ଼ିଛି ପୁତ୍ର ଦୋଷ ପାଇଁ । 
 ଦକ୍ଷିଣେ ସ୍ଥାପିବ ଦି’ ଡାଳ ନେଇ ।।
  ବାସ ଯୁଈଡାଳ ଆଣି ସତ୍ବର ।
  ଯତନେ ରୋପିବ ତହିଁ ପାଶର ।।
 ନାନାଦି ବର୍ଣ୍ଣରେ ମୁରୁଜ କରି । 
 ସୂର୍ଯ୍ୟ ଦେବଙ୍କୁ ଲେଖିବ ସୁମରି ।। 
 ଚିଲ ଶିଆଳକୁ ରଖି ଉତ୍ତର । 
 ପଶ୍ଚିମରେ ଦୁତିବାହାନ ପୁର ।।
  ସକଳେ ପିନ୍ଧିଣ ଶୁକ୍ଳ ବସନ । 
 ସିନ୍ଦୂର କଜ୍ଜଳମାନ ଘେନିଣ ।। 
 ଉତ୍ତମ ରୂପେ ସୁବେଶ ହୋଇବ । 
 କୋଠି ସମୀପରେ ଯାଇଁ ବସିବ ।।
  ଘୃତ ଦୀପ ଗୋଟି ଜାଳି ଜାଗର । 
 ସମ୍ପାଦି ରଖିବ ପୂଜା ସମ୍ଭାର ।।
  ନିଆଁ ଲୁହା ଯହିଁ ଲାଗିବ ନାହିଁ । 
 ପୂଜା ଦ୍ରବ୍ୟମାନ ଥିବ ଭିଆଇ ।।
  ଆଖୁ କନ୍ଦମୂଳ ନଡ଼ିଆ ମୁଗ । 
 ପାଚିଲା କଦଳୀ ସୋଲ୍ଲା ନାରଙ୍ଗ ।।
  ବଡ଼ଚଣା ମୂଳା ଝାନ କାକୁଡ଼ି । 
 ମକା କରମଙ୍ଗା ନିଅର କୋଳି ।।
  ଉଆଉ ଜାୟୀଳ ଲେମ୍ବୁ କମଳା । 
 କେରନ୍ଦାକୋଳି ଯେ ପଦ୍ମ ପୁଷ୍ପରା ।।
  ଜହ୍ନି କଖାରୁ ଆଦି କରି ଯେତେ । 
 ଏକୋଇଶଦ୍ରବ୍ୟ ଏହି ସଂଯୁକ୍ତ ।।
  ଚାଙ୍ଗୁଡ଼ା ଗୋଟିକେ ସକଳ ଭରି । 
 ନୂଆ ବସନକୁ ପାହାଡ଼ାକରି ।।
 ପୂଜା ଘେନାଇ ମିଳି କୋଠି ପାଶେ ।
  ବସିବେ ସକଳେ ମନ ହରଷେ ।। 
 ଭଣ୍ଡାର ଘରରେ ଚାଙ୍ଗୁଡ଼ାମାନ । 
 ସଜାଡ଼ି ରଖିବ ସବୁ ଯତନ ।।
  ଯେଉଁମାନଙ୍କର ପାହାଡ଼ା ଥିବ । 
 କୋଠି ଚାରିପାଶେ ବେଢ଼ାଇ ଦେବ ।।
  କଉଡ଼ି ଏକୋଇଶ ଗଣ୍ଡା ଗୁଆ । 
 ଆଗ କୋଠିରେ ପକାଇବ ତାହା ।।
 ଏଥୁ ଉଣା କଲେ ଫଳନପାଇ । 
 ଖଣ୍ଡନ କଲେ ଧର୍ମ ଖଣ୍ଡ ହୋଇ ।। 
 ଦୁତିବାହାନ ନୁହନ୍ତି ସନ୍ତୋଷ । 
 ପ୍ରସ୍ତାବେ କହେ ପୁରୁଷୋତ୍ତମ ଦାସ ।।
       *ଚତୁର୍ଥ ଛାନ୍ଦ*
ଏଥୁଅନନ୍ତରେ ସାନନ୍ଦ ନାରୀ ।
 କଥା ଶୁଣିବ ଏକ ମନ କରି ।।
 କୌଣସି ଆଡ଼କୁ ମନ ନ ଦେବ । 
କଥା ଶେଷରେ ହୁଳହୁଳି ଦେବ ।।
 ଏଥିଉତ୍ତାରୁ ଶୁଣ ସେହି କଥା ।
 ଦୁତିବାହାନଙ୍କ ଯେତେକ ବ୍ୟବସ୍ଥା  ।।
ସୂର୍ଯ୍ୟମଣ୍ଡଳ ବୋଲି ନଗ୍ର ଏକ   ।
 ସେ ନଗ୍ରେବସତି ଅନେକ ଲୋକ ।।
 ଅଷ୍ଟପାଟକଙ୍କ ଆଦି ପରଜା ।
 ସୁରକ୍ଷିତ ବୋଲି ସେ ରାଜ୍ୟ ରାଜା ।।
ନାନା ଅଇଶ୍ଵର୍ଯ୍ୟ ବଢ଼ଇ ଧନ ।
  କାହାରି ବଢ଼ଇ ନାହିଁ ସନ୍ତାନ ।।
ସେ ନଗ୍ରେ ଦୁଲ୍ଲଭା ନାମେ ବ୍ରାହ୍ମଣୀ । 
 ବାଳୁତ ବିଧବା ଅଟେ ସେ ପୁଣି ।। 
 ରୂପ ଗୁଣରେ ସୁଲକ୍ଷଣା ଶୋଭା । 
 କି ଅବା ପାର୍ବତୀରତି କି ରମ୍ବା ।।
 ସୂର୍ଯ୍ୟଦେବତାଙ୍କୁ  ମନେ ବଡ଼ ଭକତି । 
ସୂର୍ଯ୍ୟ ଜପ, ସ୍ତୁତି କରଇ ନିତି ।। 
 ଅକର୍ମି ନଥାଇ ସୁକର୍ମି ଥାଇ । 
 ଉଚିତ ଦୁଃଖ ଯେ ତାହା ପାଳଇ ।। 
 ସପତ୍ନୀ ନାମେ ଯେ ତାର ପୋଇଲି । 
 କୁଟା କରନ୍ତି ରାଣ୍ଡ ଲୋକ ବୋଲି ।।
 ଏମନ୍ତେ ତହିଁ କିଛି ଦିନ ଗଲା । 
 ଆଶ୍ୱିନ ମାସ ପିତୃ ପକ୍ଷ ହେଲା ।। 
 ଶ୍ରାଦ୍ଧ କରିବାକୁ ସବୁରି ମନ । 
 ସୁରଜିତ ରାଜା କହେ ବଚନ ।। 
 ମନ୍ତ୍ରୀକି ଚାହିଁ ରାଜା ଆଜ୍ଞା ଦେଲେ । 
 ଆମ୍ଭେ ଯେ ଶ୍ରାଦ୍ଧ କରିବା ବୋଇଲେ ।।
  ଧାନକୁଟା ଦେବ କୁଟତୁଣିକି । 
 କୁଟା ଧାନହିଁ ଦେଲେ ବ୍ରାହ୍ମଣୀକି ।। 
 ରାଜ ନଅର କୋଠ ଖନ୍ଦା ହେବ । 
ଚାରିଦିନେ ସବୁ ଚାଉଳ ଦେବ ।।
  ଖରାକୁ ସିନା ସବୁରି ଭରସା । 
 ଦଇବରେ କଲା ଘୋର ବରଷା II 
 କେହି ନ କୁଟିଲେ କୁଟାର ଧାନ । 
 ବ୍ରାହ୍ମଣୀର ହେଲା ଅଧୈର୍ଯ୍ୟ ମନ ।।
  କୁଟାଚାଉଳ ରାଜା ଘରେ ତ୍ବରା ।
 କେମନ୍ତ ମୁଁ ଦେବି ନହେଲା ଖରା ।।
  ଚାଉଳ ନ ଦେଲେ ଦଣ୍ଡିବ ନେଇ । 
 ସତ୍ୟ ମନାସିଲା ସୂର୍ଯ୍ୟଙ୍କୁ ଚାହିଁ ।।
 ମୋ ପତି ଦେବ ଧର୍ମ ନିରଞ୍ଜନ । 
 ଶୁଖାଇ ଦିଅ ମୋ ଉଷୁନା ଧାନ ।।
  ସତ୍ୟ ସତ୍ୟ ଯହୁଁ କଲା ବ୍ରାହ୍ମଣୀ ।
  ଆକାଶେ ଚଳି ଯାନ୍ତେ ଦିନମଣି ।।
  କିରଣ ତେଜେ ଶୁଖାଇଲା ଧାନ । 
 ସତ୍ୟ କରିଛି ଦେବ ନିରଞ୍ଜନ ।।
  ଶୁଖିଲା ଧାନକୁ କୁଟିଲା ନେଇ ।
  ଆଉ ମାନେଛନ୍ତି ସବୁ ଉସେଇଁ ।। 
 ବ୍ରାହ୍ମଣୀ ସତ୍ୟ ଶୁଣିଛନ୍ତି ସୂର୍ଯ୍ୟ । 
 କାମ ଆରତେ ନ ରହଇ ଧୈର୍ଯ୍ୟ ।।
 ବୁଡ଼ିଲାବେଳ ଯେ ହୋଇଲା ରାତି । 
 ବ୍ରାହ୍ମଣୀ ଘରକୁ ସୂର୍ଯ୍ୟ ଚଳନ୍ତି ।।
 ଏମନ୍ତକୃତ୍ୟ ସେ ବ୍ରାହ୍ମଣୀ କଲା ।
  ସତ୍ୟ କରି ପୁଣି ନିସତ୍ୟ ହେଲା ।।
  ସତ୍ୟ କରିଛି ଆସିବେ ଅବଧି ।
  ମନେ ବିଚାରିଲା କପଟ ବୁଦ୍ଧି ।।
 ସପନୀ ନାମେଣ ତାହାର ଦାସୀ ।
  ସୁବେଶ ତାକୁ କରାଇଲା ବସି ।। 
 ନାନା ଅଳଙ୍କାର ଭୂଷଣ କରି । 
 ପାଟ ଉପରାଣ ପାଟେ ପହୁରି ।। 
 ଯେଉଁ ଖଟେ ଶୋଇଥାଏ ବ୍ରାହ୍ମଣୀ । 
 ତହିରେ ତାକୁ ଶୁଖାଇଲା ଆଣି ।।
 ପୋଇଲିଶୁଅଇ ଯେବଣ ଘରେ । 
 ବ୍ରାହ୍ମଣୀ ଯାଇ ଶୋଇଲା ତହିଁରେ  ।।
  ଆଗତ କରି ଦାସୀକି ବୋଲଇ । 
 ପୁରୁଷ ଅଇଲେ ଡରିବୁ ନାହିଁ ।। 
 ତୁକାରକରି ନବୋଲିବୁ ତାଙ୍କୁ । 
 ମାଗିଲା ମାତ୍ରକେ ଦେବୁ ଦେହକୁ ।।
କିଛି ନବୋଲି ତୁନି ହୋଇଥିବୁ । 
 ଯାହା କହିବେ ମନରେ ରଖିବୁ ।।
 ନିଶା ନିର୍ଜନରେ ଶୋଇଲେ ଯାଇ ।
  ବିଜେକଲେ ଛାୟା ଦେବୀର ସାଇଁ ।। 
 ଦିନକର ନାଥ କାମେ ଆରତ । 
 ଏତେକ ବ୍ରାହ୍ମଣୀ କରିଛି ସତ୍ୟ।।
  ନାନା ରସବନ୍ଧ କରିବେ କେଳି । 
 ବିଚାରି ବ୍ରାହ୍ମଣୀ ମନ୍ଦିରେ ମିଳି ।।
 ଦେଖିଲେ ସେଠାରେ ବ୍ରାହ୍ମଣୀ ନାହିଁ ।
  ପୋଇଲି ଶୋଇଛି ସୁବେଶ ହୋଇ ।।
  ସେ ଅନ୍ତର୍ଯ୍ୟାମୀଙ୍କି ଉବାର ନାହିଁ ।
 ଦାସୀବୋଲି କରି ଚିହ୍ନିଲେ ତହିଁ ।।
  ଏତେ ବିଚାରି ବାହୁଡ଼ିଲେ ବେଗ । 
ଆମେ କି ଛୁଇଁବା ଦାସୀର ଅଙ୍ଗ ।।
  ମଦନ ଉଚ୍ଛନ୍ନ ହେଉଛି ଅଙ୍ଗ ।
  ଯେଣୁ ହୋଇନାହିଁ କାମିନୀ ସଙ୍ଗ ।।
 ସେହି ବ୍ରାହ୍ମଣୀ ଅଗଣା ଭିତରେ । 
 ପ୍ରସାବ କଲେ ଲେଉଟିଆ ମୂଳେ ।।
 ଯେତେକ ବୀର୍ଯ୍ୟ ଉତ୍ସଗରେ ଥିଲା । 
 ପ୍ରସାବ ସଙ୍ଗତେ ଗଛପଡ଼ିଲା ।।
  ନିରାଶେ ପ୍ରଭୁ ଚଳିଲେ ଭୂବନ ।
  ଶ୍ରୀ ପୁରୁଷୋତ୍ତମ କହେ ବଚନ ।।
      *ପଞ୍ଚମ ଛାନ୍ଦ*
  ଏଥୁଅନ୍ତେ କଥା ଶୁଣ ସୁଜନ । 
 ପୁଣି ନିଶିପାହି ହୋଇଲା ଦିନ ।।
ବ୍ରାହ୍ମଣୀ ଉଠି ଦାସୀଙ୍କୁ ପୁଛିଲା ।
  କହଲୋ ରାତ୍ରରେ କେ ଆସିଥିଲା ।।
 ଦାସୀ ବୋଇଲା ମୁଁ ଜାଣଇ ନାହିଁ ।
  ଦେଖିଲି ଘରେ ଖରା ଥିଲା ହୋଇ ।।
  ଶୁଣିଣ ବ୍ରାହ୍ମଣୀ ହେଲା ମଉନ । 
ପାଞ୍ଚିଲା ମୁହିଁ ହେଲି ସତ୍ୟ ଭଗ୍ନ ।।
  ଦାସୀ କି ଫେଡ଼ି କିଛି ନ କହିଲା ।
  ନେଉଟିଆ ଗଛେ ବୀର୍ଯ୍ୟ ରହିଲା ।।
  ଏମନ୍ତେ ଗଲା ଯେ କିଛି ଦିବସ ।
  ବ୍ରାହ୍ମଣୀ ହୋଇଲା ପାକ ସରଶ I।
  ପଞ୍ଚମ ଦିନେ ଶୁଦ୍ଧ ସ୍ନାନ କଲା ।
  ପୋଇଲୀ କି ତାର ରାଇ ବୋଇଲା ।।
  ଆହେ ସପତଣୀ ଶୁଣ ତୁ ବେଗ ।
  ଅନାବନାକରି କରଲୋ ଶାଗ ।।
 ଏକଥା କେହିତ ଜାଣନ୍ତି ନାହିଁ।
 ସେହି ଲେଉଟିଆ ତୋଳିଲା ଯାଇ ।।
 ଯତନ କରି ଖରଡ଼ିଲା ପୁଣି   ।
 ଆନନ୍ଦେ ଖାଇଲା ତାହା ବ୍ରାହ୍ମଣୀ ।।
  ଅକ୍ଷୟ ବୀର୍ଯ୍ୟତ କ୍ଷୟ ନୋହିଲା ।
  ରାଣ୍ଡୀ ବ୍ରାହ୍ମଣୀ ଗର୍ଭବାସ ହେଲା ।।
  ଦିନକୁଦିନ ତ ପେଟ ଦିଶିଲା । 
 ଭୂଟଭାଟ କଥା ଦାଣ୍ଡ ପଡ଼ିଲା ।।
 ରାଜାଙ୍କ ଛାମୁରେ ପଡ଼ିଲା ଯାଇ । 
 ଧରାଇ ନେଲେ ଲୋକ ବରଗାଇ ।।
 ରାଜା ଆଜ୍ଞା ଦେଲେ ଶୁଣ ବ୍ରାହ୍ମଣୀ ।
  ଏତେ ଅନୀତିକଲୁ କାହିଁ ପୁଣି ।।
  ରାଜା ବଚନେ ବ୍ରାହ୍ମଣୀ କହଇ । 
 ଶୁଣିମା ଦେବ ସାବଧାନ ହୋଇ ।।
ଆଶ୍ୱିନମାସ ପିତୃପକ୍ଷ ହେଲା । 
 ଶ୍ରୀନବରୁ ଧାନକୁଟା ପଡ଼ିଲା  ।। 
 ସମସ୍ତ ଘରେ ଧାନ ଦେଲେ ନେଇ ।
  ମୋ ଘରେ ଧାନ ଅଜାଡ଼ିଲେ ଯାଇ ।। 
 ଧାନ ଦେଇ କରି ସେବକ ଗଲେ । 
 ଚାରିଦିନକୁ କଣ୍ଟ ସେହୁ କଲେ ।।
 ଏମନ୍ତ ତହୁଁ ସେ ବରଷା ହେଲା । 
 ଧାନ ଉଆଁଇଲି ଖରା ନକଲା ।।
 ଚାଉଳ କେମନ୍ତ ରାଜାଙ୍କୁ ଦେବି । 
 ନଦେଲେତ ମୁହିଁ ଦଣ୍ଡ ପାଇବି ।।
 ଏମନ୍ତ ମୋର ଚିତ୍ତେ ଚିନ୍ତା କଲି । 
 ସୂର୍ଯ୍ୟଦେବତାଙ୍କୁ ମନେ ସୁରିଲି  ।। 
 ମୁହିଁ ବୋଇଲି ଦେବତାଙ୍କୁ ବର । 
 ମୋ ଦୁଆରେ ଆସି ଖରାକର ।।
 ଖରା କଲେ ମୁହିଁ ଚାଉଳ ଦେବି ।
 ତୁମ୍ଭଙ୍କୁ ମୋର ଅଙ୍ଗ ସମର୍ପିବି ।।
 ମୋହ ମନ ଦିନକର ଜାଣିଲେ । 
 ସେଦିନ ମୋର ଦ୍ଵାରେ ଖରାକଲେ ।।
 ଧାନକୁଟିକରି ଚାଉଳ ଦେଲି ।
  ରାଜାଙ୍କଠାରେ ନିର୍ଦ୍ଦୋଷୀ  ହୋଇଲି ।।
  ଏମନ୍ତ ତହୁଁ ସେହି ରଜନୀରେ । 
 ଦିନକର ନାଥ ବିଜୟ କଲେ ।।
  ମୋର ମନରେ ଯେ କପଟ କଲି । 
 ତାହାଙ୍କୁ ମୁହିଁ ଅନ୍ତର ହୋଇଲି ।।
 ପୋଇଲୀକି ଯେ ସୁବେଶ କରାଇ । 
 ଆପଣା ଖଟେ ଶୁଆଇଲି ନେଇ ।।
 ତାହା ଜାଣିଲେ ପ୍ରଭୁ ଦିନକର । 
 କପଟ ଦେଖି ବାହୁଡ଼ିଲେ ଖର ।। 
 ଏମନ୍ତ ତହୁଁ କିଛିଦିନ ଗଲା । 
 ମୋହର ଶୁଦ୍ଧ ସ୍ନାହାନ ହୋଇଲା ।।
 ଶାଗ ଖାଇବାକୁ ବଳିଲା ମନ ।
  ଲେଉଟିଆ ଶାଗ କରି ରନ୍ଧନ ।।
 ଏତେ ମାତ୍ରଦେବ ମୁହଁ ଖାଇଲି ।
  ଖାଇବା ମାତ୍ରେ ଗର୍ଭବାସ ହେଲି ।।
  ଏତକ ଯହୁଁ ସେ ରାଜା ଶୁଣିଲେ ।
  ରାଣ୍ଡୀ ବ୍ରାହ୍ମଣୀକି ମେଲାଣି ଦେଲେ ।।
  ତାହାର ପ୍ରତି ଦିନକର ନାଥ । 
 ଦଣ୍ଡିବାକୁ କେହି ନୁହେଁ ସମର୍ଥ ।।
 ଯାହା ଗର୍ଭେ ଅଛି ଦୁତିବାହାନ । 
 ମହାତେଜ ମୂର୍ତ୍ତି ସୂର୍ଯ୍ୟର ବର୍ଣ୍ଣ  ।।
  ରୂପଦେଖିକରି ଦଣ୍ଡିଲେ ନାହିଁ ।
  ଗ୍ରାମରୁ ଦେଲେ ବାହାର କରାଇ ।।
  ବିଧବା ବ୍ରାହ୍ମଣୀ କାତର ହୋଇ । 
   ଶ୍ରୀପୁରୁଷୋତ୍ତମ ଦାସ ଭଣଇ  ।।
       *ଷଷ୍ଠ ଛାନ୍ଦ*
ଏଥୁ ଅନନ୍ତରେ ଜନେ ଶୁଣିମା ।
  ବିଧବା ବ୍ରାହ୍ମଣୀ ଗୁଣଗାରିମା ।।
 ଗ୍ରାମ ବାହାରେ କଲା ଏକଘର । 
 ଅସତୀ ଦୋଚାରୀ ବୋଲନ୍ତି ନର ।।
  ଦଶମାସ ଯହୁଁ ହେଲା ସମ୍ପୂର୍ଣ୍ଣ ।
  ଆଶ୍ଵିନ କୃଷ୍ଣ ଅଷ୍ଟମୀର ଦିନ ।।
  ଆଦ୍ରାନକ୍ଷତ୍ର ଯେ ରାଶି ମିଥୁନ ।
  ଉଦୟେ ଜନମ ଦୁତିବାହାନ ।। 
 ରୂପଗୁଣ କିସ ଉପମା ଦେବା । 
କାମଦେବ ପ୍ରାୟ ଦିଶଇ ଶୋଭା ।।
  ଦିନକୁ ଦିନ ବଢ଼ଇ କୁମର । 
 ଶୁକ୍ଳ ପକ୍ଷରେ ଯେହ୍ନ ଶଶଧର ।।
  ଦିନକୁ ଦିନ ବୟସ ବିଶେଷ । 
 କହୁ କହୁ ହେଲା ପାଞ୍ଚ ବରଷ ।। 
 ରାଜ ଜେମାଦେଈ ମନ୍ତ୍ରୀ କୁମର । 
 ସାଧବ ପୁଅ କଟୁଆଳ ବାଳ ।। 
 ପଢ଼ନ୍ତି ଯେ ଚାଟଶାଳୀରେ ଯାଇ । 
 ଖଡ଼ି ଧରାଇଲେ ପୁତ୍ରକୁ ତହିଁ ।।
 ପଢୁପଢୁ ଗଲା କିଛି ଦିବସ । 
 ନାନାଦି ବିଦ୍ୟାରେ ହେଲା ଅଭ୍ୟାସ ।।
 ଏକ ଦିନକରେ ବସନ୍ତେ ପଢ଼ି ।
  କୁମାର ହସ୍ତୁ ଖସିଗଲା ଖଡ଼ି।। 
 ଦୋସାଧୁ କୁମର ଥାଇ ବୋଇଲା । 
 ଅଣବାବୁଆର ଖଡ଼ି ଗଡ଼ିଲା ।।
  ଅସତୀ କୁମର ଜାରଜାତକା ।
  ଏଡ଼େ ଗରବରେ ବ୍ରାହ୍ମଣ ଟୋକା ।।
 ତାହା ଶୁଣି ଦୁତିବାହନ ରୋଷ । 
 କାନ୍ଦି କାନ୍ଦି ଘରଠାରେ ପ୍ରବେଶ ।।
  କିଛି ନକହିଲା ମାତାଙ୍କଠାରେ । 
 ମୁହଁ ମାଡ଼ି କରି ଶୋଇଲା ଘରେ ।।
  ମାତା ଯେ ବୋଇଲେ ଦୁତିବାହାନ । 
 କାହିଁକି ରୁଷିଲୁ ରଙ୍କୁଣୀଧନ ।।
 ଭାଜିଥିବ ଯେବେ ଗଢ଼ାଇ ଦେବି । 
 ଯାହା ବୋଲିବୁ ତା ଖୋଜିଆଣିବି ।।
  ନୋହିଲେ କାସଙ୍ଗେ କରିଛୁ କଳି । 
 ରାଜାଙ୍କୁ କହି ଅଣାଇବି ଧରି ।।
  ଦୁତିବାହନ କରି ମହାକୋପ । 
 ବୋଇଲା ପୁଣି ନାହିଁ ମୋର ବାପ ।।
  ତୁ ଯେବେ ସତୀ ତୋ ପୁଅ ମୁହିଁ ।
 ଧିକଜୀବନ ଧରିବି କିମ୍ପାଇଁ ।।
  ବାହାନ ବୋଇଲା କହୁଛୁ ମିଛ ।
 ବାପା କେ ତାକୁ ଦେଖାଅ ପ୍ରତ୍ୟକ୍ଷ ।।
  ବ୍ରାହ୍ମଣୀ ବୋଇଲା ପାହୁ ଏ ରାତି । 
 ସକାଳେ ଦେଖିବୁ ଯେ ମୋର ପତି ।।
 ଦୁତିବାହନ ଯେ ଶୋଇଲା ଯାଇ । 
 ଶ୍ରୀପୁରୁଷୋତ୍ତମ ଦାସ ଗୀତେ ଭଣଇ।।
            *ସପ୍ତମ ଛାନ୍ଦ*
ଏଥୁଅନ୍ତେ କଥା ଶୁଣ ସୁଜନ ।
 ଦୁତିବାହନଙ୍କ ମହିମାମାନ ।।
ସେଦିନ ନିଶି ପ୍ରଭାତ ହୋଇଲେ ।
  ପୂର୍ବଦିଗେ ସୂର୍ଯ୍ୟଉଦୟ ହେଲେ ।।
 ମାତା ବୋଇଲେରେ କୁଳନନ୍ଦନ । 
 ପିତାତୋର ଏହି କରି ଦର୍ଶନ ।।
 ବିଜୟ ସୂର୍ଯ୍ୟ ଏକଚକ୍ର ରଥ । 
 ପୁତ୍ରକୁ ଦେଖି ବଢ଼ାଇଲେ ହସ୍ତ ।। 
ତାହାଙ୍କ ବଚନେ ଦୁତିବାହନ । 
 ପିତାଙ୍କୁ ଚାହିଁ କରନ୍ତି ପ୍ରଣାମ ।।
  ଦିନକର ନାଥ ଅତି ସ୍ନେହରେ । 
ପୁତ୍ରକୁ ନେଇ ବସାଇ କୋଳରେ।।
ରତନମଣି କଣ୍ଠରେ ବାନ୍ଧିଲେ ।
  ଅମୂଲ୍ୟ କୁଣ୍ଡଳ କର୍ଣ୍ଣେ ଖଞ୍ଜିଲେ ।।
 ଚୁମ୍ବନ ଦେଇଣ ଅତି ସ୍ନେହରେ । 
 କଙ୍କଣ ବଳୟଭରି ଭୂଜରେ ।। 
 ପୁତ୍ରକୁ କୋଳେଧରି ମହାସୁଖ ।
  ବୋଇଲେ କିମ୍ପାଇଁ ତୋ ମନଦୁଃଖ ।।
 ପିତା ବାଣୀ ଶୁଣି ଦୁତିବାହନ । 
 ବୋଇଲେ ମୁଁ ଯେବେ ତୁମ୍ଭ ନନ୍ଦନ ।।
  ଏଡ଼େ ଲୋକକୁ ଯେ କରିଛି ପତି । 
 ସେ କିମ୍ପା ସଂସାରେ ହେଲା ଅସତୀ ।।
 ସସ୍ନେହ ବଚନେ ଦେବ ତପନ । 
 କହିଲେ ମୋଧନ ଦୁତିବାହନ ।। 
 ଆନନ୍ଦ ହୋଇଣ ଏବେ ତୁ ଯା ।
 ତୋ ମାତା ସଂସାରେ ପାଇବ ପୂଜା ।।
 ସାଧବୀ ଭାଜନ ହୋଇବ ନାରୀ । 
 ସକଳ ପୂଜିବେ ପାଦ ତୋହରି ।।
ବାନଝା ମଡ଼ିଛି ଯେଉଁ ନାରୀ ହେବେ । 
 ତୋତେ ସେବା କରି ବର ପାଇବେ ।।
  ଜଗତେ ବିସ୍ତାର ହୋଇବ କୀର୍ତ୍ତି ।
  ତୋ ମାତା ହୋଇବ ପରମ ସତୀ ।। 
 ଏବେ ତୁ ଯାଅ ଯା ମୋହର ସୁତ । 
 ଏ ପୁଣ୍ୟ ଓଷା ଜଗତେ ବିଖ୍ୟାତ ।।
 ଜଗତ ଜନ ଜାଣିବେ ଯେମନ୍ତ । 
 ଆମ୍ଭେ ଅଳଙ୍କାର ଦେବା ତେମନ