
22/08/2025
ଶୁକ୍ରବାର ଅପରାହ୍ନରେ ଭୁବନେଶ୍ବରସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶା ପରିସରରେ କୋଣାର୍କର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟଙ୍ଗ ଇଣ୍ଡିଆ ପକ୍ଷରୁ ଗୋଷ୍ଠୀ ବେତାର କେନ୍ଦ୍ର 'ଲୋକାଲ ରେଡ଼ିଓ' ୮୮.୮ ଏଫ୍.ଏମ.ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟଙ୍ଗ ଇଣ୍ଡିଆ ପକ୍ଷରୁ ଗତ ୨୦୧୦ ମସିହାରେ କୋଣାର୍କରେ ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ନମସ୍କାର ପ୍ରତିଷ୍ଠା କରାଯାଇଥିଲା। ୟଙ୍ଗ ଇଣ୍ଡିଆର ଏହା ଦ୍ୱିତୀୟ ପଦକ୍ଷେପ। 'ଲୋକାଲ ରେଡ଼ିଓ' ଭୁବନେଶ୍ଵର ଓ କଟକ ଦ୍ବୈତ ନଗରୀର ସାଧାରଣ ଜନତାଙ୍କ ସ୍ୱର ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଵ ବୋଲି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଲୋକାର୍ପଣ ଉତ୍ସବର ପ୍ରଥମ ଅଧିବେଶନରେ ପିରାମଲ୍ ଫାଉଣ୍ଡେସନର ବରିଷ୍ଠ କାର୍ଯ୍ୟକ୍ରମ ପ୍ରବନ୍ଧକ ବି.ଏନ୍.ଦୁର୍ଗାଙ୍କ ପୌରୋହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ସମଦୃଷ୍ଟିର ସଂପାଦକ ସୁଧୀର ପଟ୍ଟନାୟକ, ୟୁନିସେଫର ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ଆକ୍ସନ୍ଏଡର ସହନିର୍ଦ୍ଦେଶକ ଦେବବ୍ରତ ପାତ୍ର ଓ କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ଯୋଗଦେଇ ସାଧାରଣ ଜନତାଙ୍କ ସ୍ୱର ସାଜିଥିଵା ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ନମସ୍କାରର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଵା ସହିତ ସଂପ୍ରତି ଗୋଷ୍ଠୀ ବେତାର କେନ୍ଦ୍ରର ସାମାଜିକ ପ୍ରଭାବ ସୁଦୂରପ୍ରସାରୀ ଵୋଲି ମତବ୍ୟକ୍ତ କରିଥିଲେ। ଏହି ଅଧିବେଶନରେ ୟଙ୍ଗ ଇଣ୍ଡିଆ ଓ ରେଡ଼ିଓ ନମସ୍କାରର ପ୍ରତିଷ୍ଠାତା ଏନ୍.ଏ.ଶାହଃ ଅନସାରୀ ଦ୍ବୈତ ନଗରୀ ବାସୀଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ 'ଲୋକାଲ ରେଡ଼ିଓ'ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ରେଡ଼ିଓ ନମସ୍କାର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା 'ନିପୁଣ ଓଡ଼ିଶା ଅଭିଯାନ'ର ରିପୋର୍ଟକୁ ଅତିଥିମାନନେ ଉନ୍ମୋଚନ କରିଥିଲେ। ନିପୁଣ ଓଡ଼ିଶା ଅଭିଯାନର ସଫଳ ରୂପାୟନ ସଂପର୍କରେ ଯୁଵ ଗଵେଷକ ଅନ୍ଦାଜ ଆରନ୍ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। କମ୍ୟୁନିଟି ରେଡ଼ିଓ ଅଫ୍ ଓଡ଼ିଶାର ସଭାପତି ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା ଏସ୍.ଏ.ସଫିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡି.ଏନ୍.ଜେନା , ପିଆଇଵିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଅତିଥି ରୂପେ ଯୋଗଦେଇ 'ଲୋକାଲ ରେଡ଼ିଓ'ର ପ୍ରସାରଣକୁ ଲୋକାର୍ପିତ କରିବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ପ୍ରତିବେଶୀ ରେଡ଼ିଓ ସାଥୀ 'ରେଡ଼ିଓ ଆଉଟ୍ ରିଚ୍', 'ରେଡ଼ିଓ ଜୁହାର', 'ରେଡ଼ିଓ ସମ୍ପର୍କ', 'ରେଡ଼ିଓ ମହକ', 'ରେଡ଼ିଓ ଗାର୍ଡେନ', 'ରେଡ଼ିଓ ସ୍ବରାଜ' ଓ 'ରେଡ଼ିଓ ନମସ୍କାର'କୁ ପ୍ରଶଂସା ପତ୍ର ପ୍ରଦାନପୂର୍ଵକ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରିଶେଷରେ ସମାଜସେବୀ କୁମୁଦ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଲୋକାଲ ରେଡ଼ିଓର କାର୍ଯ୍ୟନିର୍ବାହୀ ଅଧିକାରୀ ରୋଜାଲିନ୍ ପ୍ରଧାନ, ଏସ୍. କାଜଲ, ଏମ୍. ନିୟାଜ, ବିଶ୍ୱରଂଜନ ବିଶ୍ୱଶ୍ରୀ, ନିହାର ରଞ୍ଜନ ବେଉରା ଓ ଜ୍ଞାନ ରଞ୍ଜନ ବିଶ୍ୱାଳ ସହଯୋଗ କରିଥିଲେ।
.8fm