10/06/2023
ଶସ୍ତା........ବହୁତ ଶସ୍ତା ହେଇଗଲାଣି ଜୀବନ.ମୃତ୍ୟୁ ପାଖରେ ସବୁବେଳେ ହାରି ଆସିଛି ଜୀବନ କିନ୍ତୁ ଏଭଳି ଭାବରେ ????? ମୁହୂର୍ତ୍ତକରେ, ନିମିଷକରେ, ଆଖି ପିଛୁଳାକେ......ଜୀବନ ଖସି ଯାଉଛି ହାତମୁଠାରୁ. ଚାହୁଁ ଚାହୁଁ, ପଲକ ଝପକେଇଲା ବେଳକୁ ସବୁ କିଛି ଶେଷ.......
କୋଉଠି ପିତା ଶୂନ୍ୟ ପରିବାର, କୋଉଠି ପୁତ୍ର ଶୂନ୍ୟ କୋଳ, କୋଉଠି ମା' ଶୂନ୍ୟ ସଂସାର ତ ପୁଣି କୋଉଠି କୂଳ ସହ ମୂଳ ସମୂଳେ ବିନାଶ.ଏ ବିନାଶ ର କଣ ଅନ୍ତ ନାହିଁ ??? ହୁଏ ତ ନା'.....ସତକଥା ତ ଏଇୟା......ଏଇତ ଆରମ୍ଭ ବିନାଶର.ସୃଷ୍ଟି ଅଛି ମାନେ ବିନାଶ ବି ଅଛି ତାର ଚିର ସାଥୀ ହେଇ.ଆଜି ଯିଏ ଅଛି କାଲି ସେ ନାହିଁ, ଆଜି ଯିଏ ଆମ ସହ ହସୁଛି, କଥା କହୁଛି, କାଲି ଯେ ଥିବ ତାର କୌଣସି ନିଶ୍ଚିତତା ନାହିଁ.
ଟ୍ରେନରେ ବସି ଆସୁଥିବା ଲୋକମାନେ କଣ ଜାଣିଥିଲେ ଦଶ ମିନିଟ ପରେ କଣ ହେବ ??? ସେଇ ରାସ୍ତା, ସେଇ ଟ୍ରାକ, ସେଇ ଗାଡି ସବୁଦିନ ସଞ୍ଜ ସକାଳେ ଯିବାଆସିଵା କରୁଥିଲା ଲୋକଙ୍କୁ ନେଇ. କିନ୍ତୁ ସେଦିନ ସଂନ୍ଧ୍ୟା କଣ କିଛି ଲୋକଙ୍କ ଜୀବନର ଅନ୍ତିମ ସଂନ୍ଧ୍ୟା ନେଇ ଆସିଥିଲା ??? ପିଲାଦିନେ ସାହିତ୍ୟ ବହିରେ ପଢିଥିବା..... " ଲୌହ ଦାନଵର ରକ୍ତ ଭୋଜି " ଆଖି ସାମ୍ନାରେ ଆଜି ପ୍ରମାଣିତ ଯେମିତି.
କାହାଣୀ ଭାବରେ ଉଲ୍ଲେଖ କରାଯାଇଥିବା କଥାଟି ଯଦିଓ କାହାଣୀ ନୁହେଁ ସତଘଟଣା ଟିଏ ଥିଲା ମଧ୍ୟପ୍ରଦେଶର ଭିଲାଇ ର, ସ୍ମୃତି ବିସ୍ମୃତ ଅନେକ ମନରେ କିନ୍ତୁ ଆଜିର ଏ ଘଟଣାଟି ପ୍ରମାଣିତ କରିଦେଲା ସତରେ ଲୌହ ଦାନଵ କେମିତି ରକ୍ତର ଭୋଜି କରିପାରେ.ପ୍ରଶ୍ନବାଚୀ ସମସ୍ତଙ୍କ ମନରେ ଆଜି ବି ଅଛି ଲୌହଦାନଵକୁ ଏ ରକ୍ତଭୋଜି ଦେବା ପଛରେ କାହାର ହାତ ଅଛି ??? କିଏ ଏମିତି ଭୟଙ୍କର ମାନସିକ ରଖିଥିଲା ତାର କାମନାପୂର୍ତ୍ତୀ ହେଲେ ସେ ଏମିତି ନର ରକ୍ତମାଂସ ଭୋଜି ଦେବ ଲୌହଦାନଵ କୁ ???
ଭୟଙ୍କର, ବିକଟାଳ, ବିଭତ୍ସ କୋଉ ଶବ୍ଦ ଏଠି ଉପଯୋଗ କରିବା ଠିକ ହେବ ??? ନା ଅସହାୟ , ଆତୁର ଶବ୍ଦ ବ୍ୟବହାର କରିବା ଠିକ ହେବ ??? ଶବ୍ଦହୀନ, ନିଶବ୍ଦ ଯେମିତି ସେଇ ଲୋକମାନେ ଯୋଉମାନେ ଆଖି ସାମ୍ନାରେ ଏ ଦୁର୍ଘଟଣାକୁ ଦେଖିଛନ୍ତି. ଯୋଉମାନେ ନିଜ ହାତରେ ସେ ମୃତଲୋକଙ୍କ ଶବକୁ ଉଠେଇଛନ୍ତି. ଯୋଉମାନଙ୍କ ହାତରେ ଲୋକ ପାଣି ମାଗୁ ମାଗୁ ଜୀବନ ଛାଡିଛନ୍ତି.ଦେଖିଥିବା ଲୋକ ସେ ଦୃଶ୍ୟକୁ କେବେ ଭୁଲି ପାରିବେନି ଜୀବନରେ.
ଏଠି ସମସ୍ତେ ଯେମିତି ଅସହାୟ ସମୟ ଆଗରେ.କାହାରି ହାତରେ କିଛି ନାହିଁ, ସବୁକିଛି ସମୟ ହାତରେ.
ଦୁଃଖ, ସମବେଦନା ଛଡା କେହି କିଛି କରିପାରିବେନି. ଯିଏ ନିଜ ଲୋକଙ୍କୁ ହରେଇଛନ୍ତି, ସେମାନେ ଜାଣିଛନ୍ତି ସେମାନେ କଣ ହରେଇଛନ୍ତି.କାଗଜର ମୋହ ଦେଖେଇ, ତାଙ୍କ ନିଜଲୋକଙ୍କୁ କେହି ଫେରେଇ ପାରିବେନି.କେଇଟା କାଗଜ ଟୁକୁଡାରେ କାହାରି ସୁଖଶାନ୍ତି କିଣା ଯାଇପାରେନି କି ପାରିବନି ମଧ୍ୟ.ନେତାମନ୍ତ୍ରୀଙ୍କ ମତରେ ଜୀବନର ମୂଲ୍ୟ କିଛି କାଗଜବିଡା.ତା ଠାରୁ ଆଉ ବେଶୀ କିଛି ବି ନୁହେଁ.ସେଥିରେ ସେମାନଙ୍କର ଦାୟିତ୍ୱ ସରିଯାଏ ଯେମିତି.
ସେମାନେ ବି ତ ମଣିଷ. ଭାବିବା ଉଚିତ ଯୋଉ ପରିବାରଟି ମୁରବୀ ଶୂନ୍ୟ ହେଇଯାଏ ସେଠି ମୁରବୀର ଦାୟିତ୍ୱ କିଏ ତୁଲେଇବ ??? ଯୋଉ ପରିବାର ଉପରୁ ବାପାର କି ମା' ର ହାତ ଉଠିଯାଏ ତାକୁ କିଏ କେମିତି ଵା ସମ୍ଭାଳିବ ??? ଜଣକ ରୋଜଗାରରେ ପ୍ରତିପାଳିତ ହେଉଥିବା ପରିବାରଟି ରୋଜଗାର କରୁଥିବା ଲୋକକୁ ହରେଇ କେମିତି ବଞ୍ଚିବ ??? କିଛି ଲୋକଙ୍କ ମଜାକିଛି ଲୋକଙ୍କ ପାଇଁ ସଜା ହେଇଯାଏ. ନେତାମନ୍ତ୍ରୀମାନେ ନିଜ ସ୍ୱାର୍ଥରେ ବନ୍ଧା. ସମ୍ବେଦନହୀନ ବୟାନବାଜି, ହୃଦୟ ବିଦାରକ ଘଟଣାରେ ବି ପାର୍ଟି ପଲିଟିକ୍ସ. ଆଉ ଅଫିସର ମାନଙ୍କର ମୁଖ ନିଃସୃତ ଗୋଟେ ଶବ୍ଦ ଯାହା ସେମାନଙ୍କର ମୁଖସ୍ଥ.........ତଦନ୍ତ ଚାଲିଛି.
ବିହାର, ଉତ୍ତରପ୍ରଦେଶରେ ମନ୍ତ୍ରୀମାନଙ୍କର ମଇଁଷି ହଜିଗଲେ ତାକୁ ଖୋଜିବା ପାଇଁ IPS ଅଧିକାରୀ ନିୟୋଜିତ ହୁଅନ୍ତି.SP, SSP, IG ଏମିତି କି DG ପର୍ଯ୍ୟନ୍ତ. କିନ୍ତୁ ଆମ ଓଡ଼ିଶାରେ କାହିଁ କେତେ ବଡ ବଡ଼ ଘଟଣାର ଵାସ ତଦନ୍ତ ଚାଲିଛି. ଖବରକାଗଜର ଶିରୋନାମା ପାଲଟୁଥିବା ଖବର କେତେବେଳେ ଯେ ସବା ଶେଷ ପୃଷ୍ଠାର ଛୋଟ କୋଣରେ ସ୍ଥାନ ନେଇନିଏ ଜଣା ହିଁ ପଡ଼େନି. ଲୋକଙ୍କ ମନ ଗହୀରରୁ କେତେବେଳେ ବିସ୍ମୃତ ହେଇଯାଏ ଖୋଦ ଲୋକ ହିଁ ଜାଣି ପାରନ୍ତି ତ ଆଉ କାହାକୁ କହିବା ???
ବାସ ସବୁକିଛି ସମୟ ଉପରେ ଛାଡ଼ିଦେବା ଉଚିତ.ସମୟର ଯେତେବେଳେ ସମୟ ଆସିବ ସମୟ ସେତେବେଳେ ସବୁ ପ୍ରମାଣ ଦେବ.ସେତେ ପର୍ଯ୍ୟନ୍ତ ଆମକୁ ନୀରବଦ୍ରଷ୍ଟା ସାଜି ସମୟକୁ ଅପେକ୍ଷା କରିବାକୁ ପଡିବ. ଶେଷରେ ଆନ୍ତରିକ ସମବେଦନା ସେଇ ପରିବାର ଆଉ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଯେଉଁମାନେ ଏଇ ଦୁର୍ଘଟଣାରେ ନିଜ ପ୍ରିୟ ପରିଜନଙ୍କୁ ହରେଇଛନ୍ତି.ଯୋଉମାନେ ଆଜି ଅଜଣା ସ୍ଥାନକୁ ଧାଇଁ ଆସିଛନ୍ତି ନିଜ ଲୋକଙ୍କ ଶବ ନେବା ପାଇଁ.
ଯୋଉମାନେ ଆଜି ଖୋଜି ଖୋଜି ଥକି ପଡିଲେଣି ନିଜ ଲୋକଙ୍କ ଶବକୁ.ଯୋଉମାନଙ୍କ ଆଖିରୁ ଲୁହ ଶୁଖି ଗଲାଣି. ଟିଭି ପରଦାରେ ଆମେ ଦେଖି କି ବିଚଳିତ ହେଇ ଉଠୁଛୁ, ଯୋଉମାନେ ଆଖିରେ ଦେଖିଛନ୍ତି ସେମାନଙ୍କ ଅବସ୍ଥା କଣ ହେଉଥିବ ??? ସେମାନଙ୍କ ପାଇଁ କିଛି କରି ନ ପାରିଲେ ସୁଦ୍ଧା ଏ ଦୁଃଖ ସମୟରେ ଧୈର୍ଯ୍ୟ ରଖିବା ପାଇଁ ପ୍ରାର୍ଥନାଟିଏ କରିପାରିବା.