19/04/2023                                                                            
                                    
                                                                            
                                            *🚩ଶ୍ରୀ ରାଧାକୃଷ୍ଣ ଶ୍ରୀଜଗନ୍ନାଥ ମନ୍ଦିର🚩*
*ବଡ଼ମ୍ବା ରାଜବାଟୀ ପରିସର, ବଡ଼ମ୍ବା, ଜିଲ୍ଲା କଟକ*
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା'ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳା ରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ମହାନଦୀ କୂଳରେ ଥିବା ମାଆ ବୃହଦମ୍ବା ବା ମାଆ ଭଟ୍ଟାରିକାଙ୍କ ପୀଠ, ମହାନଦୀ ଗର୍ଭରେ ଥିବା ପ୍ରସିଦ୍ଧ ସିଂହନାଥ ମନ୍ଦିର, ନଦୀ ଆରପଟେ ଥିବା ବୈଦେଶ୍ୱର ଗ୍ରାମର ବୈଦ୍ୟନାଥ ଓ ପାହାଡ଼ ଉପରେ ଥିବା ରାମନାଥ ମନ୍ଦିର ଏବଂ ପାହାଡ଼ ପାଦଦେଶରେ ଥିବା ଖାଖରା ଶୈଳୀର ପ୍ରାଚୀନ ଦୁର୍ଗା ମନ୍ଦିର ପୁଣି
କୁହାଯାଏ କେଶରୀ ନରସିଂହ ଦେବଙ୍କ ଠାରୁ ଶଙ୍ଖ ମହୁରୀ ନାମରେ ଦୁଇଗୋଟି ଗ୍ରାମ ଉପହାର ସ୍ୱରୂପ  ପ୍ରାପ୍ତ କରିଥିଲେ ଯୋଦ୍ଧା ହଟକେଶ୍ବର ରାୱତ୍ l ପ୍ରାୟ ତେରଶହ ଖ୍ରୀଷ୍ଟାବ୍ଦରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଆ ବୃହଦମ୍ବାଙ୍କ ନାମାନୁସାରେ ଏଇ ଶଙ୍ଖ ମହୁରୀ ଗ୍ରାମକୁ ନେଇ ବଡ଼ମ୍ବା ରାଜ୍ୟ ସ୍ଥାପନ କରି ଶାସନ କଲେ l ଶଙ୍ଖ ମହୁରୀ ଗ୍ରାମ ଦୁଇଟି ଏବେ ସ୍ଥାନୀୟ ଅଞ୍ଚଳରେ ଶଙ୍ଖାମେରୀ ନାଁରେ ପରିଚିତ l ପରବର୍ତ୍ତୀ କାଳରେ ଏଇ ବଡ଼ମ୍ବା ରାଜ୍ୟ, ଏକ ସୁ ସମୃଦ୍ଧ ରାଜ୍ୟ ରୂପେ ପରିଚୟ ପାଇ ବ୍ରିଟିଶ ଶାସନ ସମୟରେ ଏକ ଗଡ଼ଜାତ ରାଜ୍ୟ ରୂପେ ମାନ୍ୟତା ପାଇଥିଲା l
ବଡ଼ମ୍ବାର ସେଇ ପୁରୁଣା ରାଜବାଟୀ ଏବେବି ସଗର୍ବେ ଦଣ୍ଡାୟମାନ ହୋଇ ରହିଛି l ରାଜବାଟୀ ପରିସର ବାହାରେ ଥିବା ପୁରୁଣା ଦରବାର ହଲ୍ ବା ଅତିଥିଶାଳଟି ଏବେ ଭଗ୍ନ ଓ ଜରାଜୀର୍ଣ୍ଣ ଭାବେ ନିଜ ଅସ୍ତିତ୍ୱ ଜାହିର କରୁଛି l ରାଜବାଟୀରେ ସେ କାଳର ଚହଳ ପହଳ ଆଉ ନାହିଁ l ରାଜପରିବାର ଏବେ ବି ସେଇ ରାଜବାଟୀରେ ରହୁଥିବାରୁ ସେଠାରେ ସାଧାରଣ ଲୋକଙ୍କ ପ୍ରବେଶାଧିକାର ନାହିଁ; ମାତ୍ର ପରିସରରେ ଥିବା ରାଧାକୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶାନୁମତି ରହିଛି l
ବଡ଼ମ୍ବା ରାଜବାଟୀ ପରିସରରେ ଥିବା  ରାଧାକୃଷ୍ଣ ମନ୍ଦିରଟି ଅତି ପ୍ରାଚୀନ ନ ହେଲେବି କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ରେଖ ଶୈଳୀର ବିମାନ ଓ ପୀଢ଼ ଶୈଳୀର ଜଗମୋହନ ଥାଇ ଏକ ସୁନ୍ଦର ମନ୍ଦିର l ରକ୍ଷଣାବେକ୍ଷଣ ଅଭାବରୁ ଟିକେ ମଳିନ ଦିଶୁଛି ଯାହା l ମନ୍ଦିର ଜଗମୋହନରେ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳେ l ଏହି ମନ୍ଦିର ସମ୍ମୁଖରେ ସମତଳ ଛାତ ବିଶିଷ୍ଟ ଏକ ଆୟତାକାର ମଣ୍ଡପ ମଧ୍ୟ ରହିଛି l ଯାହାକି ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ l
ଦୋଳ, ଝୁଲଣ ଓ ଜନ୍ମାଷ୍ଟମୀ ଆଦି ପର୍ବ ଏଠାରେ ମୁଖ୍ୟ ପର୍ବ ରୂପେ ପାଳନ କରାଯାଏ l ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ରାଧାକୃଷ୍ଣଙ୍କ ପ୍ରତି ଅପାର ଭକ୍ତି ଓ ଶ୍ରଦ୍ଧା ଭାବ ଥିବା ଜଣାଯାଏ l ରାଧାକୃଷ୍ଣ ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର ଏବଂ ଏକ ଶିବ ମନ୍ଦିର ବି ରହିଛି l
*ଜୟ_ଶ୍ରୀରାଧାକୃଷ୍ଣ*