03/09/2026
#ସୁବର୍ଣ୍ଣରେଖାରେ_ତୃତୀୟ_ବନ୍ୟା
ତୃତୀୟ ଦିନରେ ମଧ୍ୟ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
ବନ୍ୟାର ତିନି ଦିନ ପରେ ବିପନ୍ନଙ୍କ ପାଖରେ ପହଞ୍ଚିଲା ଖାଦ୍ୟ
୧୦ ପଞ୍ଚାୟତର ୫୦ ହଜାର ପ୍ରଭାବିତ
ସୁବର୍ଣ୍ଣରେଖାରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଆସିଛି। ହେଲେ ଆଜି ତୃତୀୟ ଦିନରେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ଜଳସ୍ତର କମିଥିଲେ ମଧ୍ୟ ଲୋକଙ୍କର ଦୁର୍ଦ୍ଦଶା କମିନାହିଁ। ପ୍ରସାଶନ ସମସ୍ତ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ମଧ୍ୟ ତହା ସମ୍ଭବ ହୋଇପାରି ନାହିଁ। ବିଶେଷ କରି ଅସ୍ତି, ବାଲିଆପାଳ, ବିଷ୍ଣୁପୁର ଜାମକୁଣ୍ଡା ପ୍ରଭୃତି ପଞ୍ଚାୟତର ଜନସାଧାରଣ ବହୁ ଅଧିକ ପରିମାଣରେ ପ୍ରଭାବିତ ହୋଇଛନ୍ତି।ଅସ୍ତି ପଞ୍ଚାୟତର କଣ୍ଟାବଣି ଗ୍ରାମର ୧୦ ପରିବାର ଦୁଇ ଦିନ ଛୋଟ ଛୋଟ ପିଲା ମାନଙ୍କୁ ଧରି ଭୋକ ଉପାସରେ ରହିଥିଲାବେଳେ ଆଜି ତୃତୀୟ ଦିନ ଅପରାହ୍ନରେ ପ୍ରସାଶନ ପହଞ୍ଚି ରନ୍ଧା ଖାଦ୍ୟ ଯୋଗାଇ ଦେଇଥିବା ସୁଚନା ମିଳିଛି। ସେହିପରି ସୂର୍ଯାପୁର ଗ୍ରାମର ଯାଦବ ସାହିର ୧୦ ପରିବାର ନାନା ଦୁର୍ଦ୍ଦଶାରେ ରହି ଥିବା ଜଣାପଡିଛି।ଅସ୍ତି ପଞ୍ଚାୟତର ପାଳଚମ୍ପେଇ, ସରର୍ଦ୍ଧାରସାହି,ଚଡ ବଢାପାଳ,ବଢାପାଳ ମଳିଆ ପ୍ରଭୃତି ଗ୍ରାମର ଶତାଧିକ ଘରେ ବନ୍ଯା ଜଳ ପଶିଛି। ବିଷ୍ଣୁପୁର ପଞ୍ଚାୟତରରସଲପୁର,ନୟାବାଲି ଓ ରାଉତୁରାପୁର ଗ୍ରାମର ବନ୍ଯା ସ୍ଥିତି ଅତି ସଙ୍ଗୀନ ସ୍ଥିତିରେ ପହଞ୍ଚିଛି। ସେହିପରି ବାଲିଆପାଳ ପଞ୍ଚାୟତର କୁଦମାନସିଂ,ଚଡ କୁଦମାନସିଂ ଓ ସୁଙ୍ଗମୁହଁ ପ୍ରଭୃତି ଗ୍ରାମରେ ବନ୍ୟା ପରିସ୍ଥିତି ଜନ ଜୀବନକୁ ଦୁର୍ବିସହ କରିପକାଇଛି। ଯାତାୟାତ ପାଇଁ ପାଓ୍ବାର ବୋଟ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇ ପାରି ନାହିଁ। ବ୍ଲକରବିଷ୍ଣୁପୁର ,ଜାମକୁଣ୍ଡା,ବାଲିଆପାଳ,ମଧୁପୁରା, ଅସ୍ତି, ନିଖିରା, କୁମ୍ଭାରୀ, ଶ୍ରୀରାମପୁର ,ଦେଭୋଗ ପ୍ରଭୃତି ୧୦ଟି ପଞ୍ଚାୟତର ୫୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ବନ୍ୟା ମୁକାବିଲାରେ ପ୍ରସାଶନିକ ବିଫଳତା ଲୋକ ମାନଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି। ଯାହାଫଳରେ ବନ୍ଯା ପ୍ରଭାବିତ ଲୋକମାନେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଯଥାଶୀଘ୍ର ସରକାର ଗୁରୁତ୍ବ ଦେବାକୁ ସ୍ବର ଉଠିଲାଣି। ପ୍ରତିବର୍ଷ ଚୁଡା,ଗୁଡ ନ ବାଣ୍ଟି ଲୋକଙ୍କ ଧନଜୀବନ ରକ୍ଷା କରିବା ପାଇଁ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବାକୁ ସ୍ବେଚ୍ଛାସେବୀ ସଂଗଠନ ଯୁବ ବିକାଶ,ବାଘାଯତିନ ସ୍ମୃତି ପରିଷଦ, ପୂର୍ବତନ ସୈନିକ ସଂଗଠନ ସମେତ ବ୍ଲକ କଂଗ୍ରେସ ଦାବି କରିଛି।