05/09/2026
#ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲରେ ପଞ୍ଚାୟତ ନିର୍ବାଚନ !
#ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଚୂଡ଼ାନ୍ତ ଭୋଟର ତାଲିକା, ପଞ୍ଚାୟତ ପରେ ହେବ ପୌର ନିର୍ବାଚନ !
#ଭୁବନେଶ୍ୱର,(ଚକ୍ରଧର ମାଝି) : ରାଜ୍ୟରେ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏ ନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। କମିଶନ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ସ୍ପଷ୍ଟ କରିଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରାଯିବ। ସର୍ଭେ ଶେଷ ହେବା ପରେ ଦାବି ତଥା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଯାଞ୍ଚ ହେବ ଏବଂ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ବର୍ତ୍ତମାନର ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଫେବ୍ରୁଆରୀ ମାସରେ ଶେଷ ହେଉଛି। ତେବେ ରାଜ୍ୟରେ ଜନଗଣନା ପ୍ରକ୍ରିୟା ଚାଲୁ ରହିଥିବାରୁ ନିର୍ବାଚନ ପ୍ରାୟ ମାସେ ବିଳମ୍ବ ହେବ। ଜନଗଣନା ଶେଷ ହେବା ପରେ ଅର୍ଥାତ ମାର୍ଚ୍ଚ ୫ ତାରିଖ ପରେ ନିର୍ବାଚନ ତାରିଖ ବିଧିବଦ୍ଧ ଭାବେ ଘୋଷଣା ହେବାର ସମ୍ଭାବନା ରହିଛି।
ପଞ୍ଚାୟତ ନିର୍ବାଚନ ସରିବାର ପ୍ରାୟ ମାସକ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏହି ପୌର ନିର୍ବାଚନରେ ନୂତନ ଭାବେ ଘୋଷଣା କରାଯାଇଥିବା ସମସ୍ତ ଏନଏସି (NAC), ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେସନଗୁଡ଼ିକୁ ସାମିଲ କରାଯିବ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।
ଘରକୁ ଘର ସର୍ଭେ: ଅକ୍ଟୋବର ୨୪ ରୁ ନଭେମ୍ବର ୭
ଚୂଡ଼ାନ୍ତ ଭୋଟର ତାଲିକା: ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ
ତାରିଖ ଘୋଷଣା ସମ୍ଭାବନା: ମାର୍ଚ୍ଚ ୫ ପରେ
ଭୋଟ୍ ଗ୍ରହଣ: ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହ
ପୌର ନିର୍ବାଚନ: ପଞ୍ଚାୟତ ନିର୍ବାଚନ ଶେଷର ମାସକ ପରେ