20/09/2025
ସୁଅ ମୁହଁରେ ପତର -
କନକମଞ୍ଜରୀଙ୍କ ଅଭିଯୋଗ, ଅଭିମାନ ଓ ଆମର ଅସହାୟତା
----------
ଅନୁବାଦିକା କନକମଞ୍ଜରୀ ସାହୁ ସାମାଜିକ ଗଣମାଧ୍ୟମରେ ଗତକାଲି ଆମ ପ୍ରକାଶନ ସଂସ୍ଥାର ନାମ ନେଇ ଦୁଇଟି ଅଭିଯୋଗ କରିଛନ୍ତି।
ପ୍ରଥମ : ତାଙ୍କଦ୍ବାରା ଗୋଟିଏ ଅନୂଦିତ ପୁସ୍ତକକୁ ଅନ୍ୟନାମରେ ଛପାଯାଇଛି
ଦ୍ବିତୀୟ : ତାଙ୍କ ପତିଙ୍କ ପୁସ୍ତକ ପ୍ରକାଶନ ବେଳେ ହଇରାଣ କରାଯାଇଛି
ଯେହେତୁ କନକମଞ୍ଜରୀ ନିଜ ପୋଷ୍ଟ୍ରେ ପେନ୍ ଇନ୍ ବୁକ୍ସ ଓ ଏହାର ପ୍ରତିଷ୍ଠାତାଙ୍କ ନାମ ଉଲ୍ଲେଖ କରିଛନ୍ତି, ଏଣୁ ତାଙ୍କ ଗୋଚରାର୍ଥେ ଏବଂ ସୁଅରେ ଭାସିଯାଉଥିବା ଲେଖକ-ପାଠକଙ୍କ ଗୋଚରାର୍ଥେ କିଛି ତଥ୍ୟ ଓ ପ୍ରମାଣ ନିମ୍ନରେ ରଖୁଛୁ।
ପ୍ରଥମେ ଦ୍ବିତୀୟ ଅଭିଯୋଗର ଉତ୍ତର-
କନକମଞ୍ଜରୀଙ୍କ ପତି ଶ୍ରୀ ଧରଣୀଧର ସାହୁ ଜଣେ ଅତ୍ୟନ୍ତ ସ୍ନେହୀ, ମିଷ୍ଟଭାଷୀ ଓ ମିତଭାଷୀ ବ୍ୟକ୍ତି ଏବଂ ଜଣେ ଜଣାଶୁଣା ଲେଖକ। ତାଙ୍କର 'ଦି ହାଉସ୍ ଅଫ୍ ସର୍ପେଣ୍ଟ୍ସ' ନାମରେ ଏକ ଉପନ୍ୟାସ ରହିଛି ଯାହା ୧୯୯୬ରେ ଓଡ଼ିଶା ବାହାର ପ୍ରକାଶକଙ୍କ ଦ୍ବାରା ପ୍ରକାଶ ପାଇଥିଲା ଏବଂ ଆମ ପ୍ରକାଶନ ସଂସ୍ଥା ସହ ପରିଚୟ ହେବା ବେଳକୁ ଉପନ୍ୟାସ ପୁସ୍ତକଟି ଆଉ ପାଠକଙ୍କ ପାଇଁ ଉପଲବ୍ଧ ନଥିଲା। ପୁସ୍ତକଟିକୁ ଓଡ଼ିଶାରେ, ଆମ ପ୍ରକାଶନରେ ଛାପିବାକୁ ସେ ପ୍ରସ୍ତାବ ଦେଲେ। ଯଦିଓ ଇଂରାଜୀ ପୁସ୍ତକ ଆମେ କ୍ବଚିତ ପ୍ରକାଶ କରୁଥିଲୁ, ଧରଣୀଧର ସାହୁଙ୍କ ଉପନ୍ୟାସଟିର ନାମ ଟେକ ଥିବାରୁ ଏହାକୁ ଏକ ସୁଯୋଗ ମନେକରି ଆମେ ପ୍ରସ୍ତାବରେ ରାଜିହେଲୁ। ୨୦୧୯ ମସିହା ଶେଷ ଆଡ଼କୁ ସେ ଆମକୁ ପାଣ୍ଡୁଲିପିଟି ଦେଲେ।
୨୦୧୯ ନଭେମ୍ବର ମାସରେ ଆମେ ପୁସ୍ତକର ଡିଜିଟାଲ ପ୍ରତିରୂପ ତାଙ୍କୁ ମେଲ୍ରେ ପଠାଇଲୁ ଏବଂ ଏହା ପ୍ରାୟ ତ୍ରୁଟିଶୂନ୍ୟ ବୋଲି ସେ ଉତ୍ତର ଫେରାଇଲେ। ପୁସ୍ତକଟି ଏତେ ଲମ୍ବା (ପୃଷ୍ଠା ସଂଖ୍ୟା ଅଧିକ) ହେଲା କେମିତି ବୋଲି ସେ ପ୍ରଶ୍ନ ବି କରିଥିଲେ। (ଛବି-୧) ମୂଳ ପୁସ୍ତକଟିର ରୂପ ଓ ଅକ୍ଷର ଆକାରରେ ପରିବର୍ତ୍ତନ ହୋଇଥିବାରୁ ଆମ ଛପାଇଥିବା 'ଦି ହାଉସ୍ ଅଫ୍ ସର୍ପେଣ୍ଟ୍ସ' ପ୍ରାୟ ୪୫୦ ପୃଷ୍ଠାର ହୋଇଥିଲା।
ଏହାର କିଛି ସପ୍ତାହ ପରେ ପେନ୍ ଇନ୍ ବୁକ୍ସର ପ୍ରତିଷ୍ଠାତା ପୁସ୍ତକର ମଲାଟ ନେଇ ତାଙ୍କ ଘରକୁ ଯାଇଥିଲେ। ସେତେବେଳେ ସେ ମଲାଟକୁ ଅନୁମୋଦନ କରିବା ସହ ପୁସ୍ତକର ପ୍ରଥମ ୧୦୦ ପୃଷ୍ଠାରେ କିଛି ଶବ୍ଦ ଲାଗି ଯାଇଥିବା ଏବଂ କିଛି ଧାଡ଼ି ଭୁଲରେ ପୁନରାବୃତ୍ତି ହୋଇଥିବା ଜଣାଇଲେ ଏବଂ 'ମୁର୍ମୁସଙ୍ଗୀତା' ମେଲ୍ରେ ପୁସ୍ତକର ପ୍ରତିରୂପ ପଠାଇଲେ ସେ ଛପା କାଗଜରେ ସଜାଡ଼ିଦେବେ ବୋଲି କହିଥିଲେ।
୨୦୧୯ ଡିସେମ୍ବର ୨୩ରେ ପୂର୍ବୋକ୍ତ ମେଲରେ ଆମେ ପାଣ୍ଡୁଲିପିଟି ପଠାଇଲୁ ଏବଂ ପାଠ ସଂପାଦନା ନକରି କେବଳ ସ୍ପେଶ୍ ଓ ରିପିଟେସନ୍ ବାଛିନେବାକୁ ଲେଖିଥିଲୁ। (ଛବି-୨) ସେ ପ୍ରିଣ୍ଟଆଉଟ ନେଇ ଲେଖକଙ୍କୁ ଦେଖାଇଲେ ଏବଂ ସମ୍ଭବତଃ ୨୦୨୦ ଜାନୁଆରିରେ ଆମକୁ ତ୍ରୁଟି ସଂଶୋଧନ ପାଇଁ ଡ୍ରାଫ୍ଟ ପଠାଇଲେ।
ତ୍ରୁଟି ସଂଶୋଧନ ହୋଇ ପୁସ୍ତକ ଛପାହେବାକୁ ପ୍ରସ୍ତୁତ ହେବାବେଳକୁ ଆସିଗଲା କୋଭିଡ୍। ପ୍ରକାଶନ ଶିଳ୍ପ ଛାର, ବଡ଼ବଡ଼ ଶିଳ୍ପ ବି ଧରାଶୟୀ ହୋଇଗଲେ। କେବଳ ଧରଣୀଧର ସାହୁଙ୍କର ଉପନ୍ୟାସ ନୁହେଁ, ଆମେ ହାତେଇଥିବା କୌଣସି ପାଣ୍ଡୁଲିପି ସେତେବେଳେ ପ୍ରକାଶ କରିବାକୁ ଅସମର୍ଥ ହେଲୁ।
କୋଭିଡ୍ ସାମାନ୍ୟ କୋହଳ ହେବା ପରେ ଆମ ସଂସ୍ଥାପକ କିଛି ଲେଖକଙ୍କ ଘରକୁ ଯାଇ ନିରାପଦ ଦୂରତାରୁ ସେମାନଙ୍କ ସହ ସୁଖଦୁଃଖ ହୋଇ ଆସୁଥିଲେ। ସେହି କ୍ରମରେ ଧରଣୀଧର ସାହୁଙ୍କ ପାଖକୁ ବି ଯାଇଥିଲେ। ସେତେବେଳେ ସେ ପୁସ୍ତକର ସ୍ଥିତି ବିଷୟରେ ପଚାରିଥିଲେ। ପ୍ରକାଶନ ସଂସ୍ଥା ଏବେ ଅର୍ଥ ଓ ବ୍ୟବସାୟ ଦୃଷ୍ଟିରୁ ପ୍ରାୟ ଅଚଳ ଏବଂ ପୁସ୍ତକ କରିବା ପାଇଁ ସମୟ ଲାଗିବ ବୋଲି ଆମେ କହିଥିଲୁ। ସେ କୋଡ଼ିଏ ହଜାର ଟଙ୍କାର ପୁସ୍ତକ କିଣିବାକୁ ଆଗ୍ରହୀ ବୋଲି କହି ପ୍ରକାଶନକୁ ତ୍ବରାନ୍ବୀତ କରିବାକୁ ସେତକ ସହଯୋଗ ଆଗୁଆ କରିବାକୁ ପ୍ରସ୍ତାବ ଦେଇଥିଲେ। କୋଭିଡ୍ ଭଳି ପରିସ୍ଥିତିରେ ଏ ସହଯୋଗକୁ ଆମେ ସ୍ବୀକାର କରିଥିଲୁ।
୨୦୨୦ ମେ' ୧ ତାରିଖରେ ଆମର କାର୍ଯ୍ୟାଳୟ ଆଚାର୍ଯ୍ୟ ବିହାରକୁ ସ୍ଥାନାନ୍ତର ହେଲା, କର୍ମଚାରୀମାନେ ପୁଣି କାର୍ଯ୍ୟରେ ଯୋଗଦେଲେ। ସେଠାରେ ଆମେ ନୂଆ କାର୍ଯ୍ୟାଳୟ ପରିବେଶ, ଆସବାବପତ୍ର, ଏପରିକି ନୂଆ କର୍ମଚାରୀ ନିୟୋଜନରେ ପ୍ରାୟ ଦୁଇମାସ ସମୟ ବିତାଇଦେଲୁ। ଜୁଲାଇ ଶେଷରେ ଧରଣୀଧର ସାହୁଙ୍କର ଉପନ୍ୟାସଟି ପ୍ରକାଶ ପାଇଲା। ଏହା ଏବେ ବି ଆମାଜନ୍ରେ ଉପଲବ୍ଧ। (ଛବି-୩) ଅବଶ୍ୟ ଏ ପୁସ୍ତକ ପ୍ରକାଶ ପାଇବା ପୂର୍ବରୁ କନକମଞ୍ଜରୀଙ୍କଠାରୁ ଏକାଧିକ ବାର ଫୋନ୍ରେ ଅନୁରୋଧ ଓ ତାଗିଦ ପାଇଛୁ। ପୁସ୍ତକ ପ୍ରକାଶ ପାଇବାର କିଛି ଦିନ ପୂର୍ବରୁ ବିଦେଶରୁ ତାଙ୍କର ପୁତ୍ର ମଧ୍ୟ ଫୋନ୍ ଯୋଗେ ଅତ୍ୟନ୍ତ ଭଦ୍ରାମିର ସହ ପ୍ରକାଶନର ସ୍ଥିତି ବୁଝିଛନ୍ତି ଏବଂ 'ବାପା-ମା' କୋଭିଡ୍ ସମୟରେ ଏକା ରହୁଥିବାରୁ ସେମାନଙ୍କ ମାନସିକ ଶାନ୍ତି ପାଇଁ ପୁସ୍ତକଟି ଶୀଘ୍ର ପ୍ରକାଶନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।
ପୁସ୍ତକ ପ୍ରକାଶ ପାଇବା ପରେ, ୨୦୨୦ ଅଗଷ୍ଟ ମାସରେ ଲେଖକଙ୍କୁ ତାଙ୍କ ପ୍ରାପ୍ୟ ପୁସ୍ତକ ପଠାଇ ଦିଆଯାଇଛି।
ପ୍ରଥମ ଅଭିଯୋଗର ଉତ୍ତର।
୨୦୨୦ ମସିହା ଶେଷ ଆଡ଼କୁ କନକମଞ୍ଜରୀ କହିଲେ ଯେ ସେ ଘରେ ଖାଲିରେ ବସୁଛନ୍ତି, କୋଭିଡ୍ ଯୋଗୁଁ କେଉଁଆଡ଼େ ଯିବା ସମ୍ଭବ ହେଉନାହିଁ। ପିଲାମାନେ ବି ଦୂରରେ ଅଛନ୍ତି। ଏଣୁ ଲେଖାଲେଖିରେ ଅଧିକ ସମୟ ଦେଉଛନ୍ତି। ଯଦି କିଛି ଅନୁବାଦ ପୁସ୍ତକ ଥାଏ ଦେବା ପାଇଁ ସେ ଅନୁରୋଧ କଲେ। ଆମେ ତାଙ୍କୁ ଗୋଟିଏ ପୁସ୍ତକ ଅନୁବାଦ କରିବାକୁ ପରାମର୍ଶ ଦେଇଥିଲୁ। ଅନୁବାଦ ଯଦି ଗ୍ରାହ୍ୟ ହୁଏ ଆମେ ସମସ୍ତ ଖର୍ଚ୍ଚ ବହନ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ। କେବଳ ପୁସ୍ତକ ପ୍ରକାଶନ ନୁହେଁ, ପୁସ୍ତକର ଉନ୍ମୋଚନ ଓ ପ୍ରଚାର ପାଇଁ ମଧ୍ୟ ଅନୁବାଦକଙ୍କୁ ଟଙ୍କାଏ ଖର୍ଚ୍ଚ କରିବାକୁ ହେବନାହିଁ ବୋଲି ସ୍ପଷ୍ଟ କରିଥିଲୁ। (ଏ କଥା କନକମଞ୍ଜରୀ ମଧ୍ୟ ତାଙ୍କ ଅଭିଯୋଗରେ ସ୍ବୀକାର କରିଛନ୍ତି।)
ସେ ପୁସ୍ତକଟି ଖୁବ କମ ସମୟରେ ଅନୁବାଦ କରି ଆମକୁ ପାଣ୍ଡୁଲିପି ଓ ଅନୁବାଦକଙ୍କ ପରିଚୟ ୨୦୨୦ ଡିସେମ୍ବର ୨୫ରେ ପଠାଇଲେ (ଛବି-୪) ଏବଂ ଅନୁବାଦକୀୟ ଲେଖାଟି ୨୦୨୧ ଜାନୁଆରୀ ୨୩ରେ ପଠାଇଲେ। (ଛବି-୫)
କନକମଞ୍ଜରୀଙ୍କର ଅନୁବାଦ ଆମର ପସନ୍ଦ ହେଲାନାହିଁ। ସେହି ୨୦୨୧ରେ ଆମେ ତାଙ୍କୁ ମନା କରିଦେଲୁ। ସେତେବେଳେ ଆମର ସଂପାଦନା ମଣ୍ଡଳୀ ନଥିଲେ ଏବଂ ଆମେ କେବଳ ବନାନ ତ୍ରୁଟି ଛଡ଼ା ଆଉ କିଛି କରିବାକୁ ଅସମର୍ଥ ଥିଲୁ। (ଏବେ ବି ମେଲ୍ରେ ଆମ ପାଖରେ ପାଣ୍ଡୁଲିପିଟି ଅଛି। ଅନେକ ବାକ୍ୟ ଓଡ଼ିଆ ବାକ୍ୟ ଭଳି ମନେ ହେଉନାହିଁ, ହିନ୍ଦୀ ହିନ୍ଦୀ ଲାଗୁଛି। ଆବଶ୍ୟକ ପଡ଼ିଲେ ଆମେ ପାଣ୍ଡୁଲିପିର ଉଦ୍ଧୃତି ଭବିଷ୍ୟତରେ ଉପସ୍ଥାପନ କରିବୁ।)
ଆମଠାରୁ ନାସ୍ତିବାଣି ଶୁଣିବା ପରେ ସେ ଏହାକୁ ଅନ୍ୟତ୍ର ପ୍ରକାଶ ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି। ଗପଗୁଡ଼ିକ ବିଭିନ୍ନ ପତ୍ରିକାକୁ ଦେଇଛନ୍ତି। ଏପରିକି ପେନ୍ ଇନ୍ ବୁକ୍ସର ଜଣେ ଘନିଷ୍ଠ କବି ବନ୍ଧୁଙ୍କ ପାଖରେ ପହଞ୍ଚି ଆମ ଅନୁଷ୍ଠାନ ଓ ପ୍ରତିଷ୍ଠାତାଙ୍କ ବିରୋଧରେ ବିଷୋଦ୍ଗାର କରିବା ସହ ଅନ୍ୟ ପ୍ରକାଶନରେ ପୁସ୍ତକଟିକୁ ଛପାଇବେ ବୋଲି କହିଛନ୍ତି।
ଆମେ ସମାନ ପୁସ୍ତକଟି ପ୍ରକାଶନ ପାଇଁ ଏବେ ପୁଣି ଆଗ୍ରହ ପ୍ରକାଶ କରି ଜଣାଶୁଣା ଅନୁବାଦିକା ନବଜ୍ୟୋତି ରାୟଙ୍କୁ ପ୍ରସ୍ତାବ ଦେଇଥିଲୁ। ସର୍ତ୍ତ ସମାନ ଥିଲା। ଯଦି ପାଣ୍ଡୁଲିପି ପସନ୍ଦ ହୁଏ ତେବେ ଆମେ ପ୍ରକାଶ କରିବୁ। ତାଙ୍କର ଅନୂଦିତ ପୁସ୍ତକ ଆମେ ପୂର୍ବରୁ ମଧ୍ୟ ପ୍ରକାଶ କରି ସାରିଥିଲୁ।
ପୁସ୍ତକଟି ପ୍ରକାଶ ପାଇବା ଦେଖି କନକମଞ୍ଜରୀଙ୍କ ଲେଖକୀୟ ହୃଦୟ କଷ୍ଟପାଇବା ସ୍ବାଭାବିକ। କିନ୍ତୁ ତାଙ୍କ ପାଣ୍ଡୁଲିପିକୁ ଅନ୍ୟ ନାମରେ ପ୍ରକାଶ କରାଯାଇଛି ବୋଲି କହିବା ହାସ୍ୟାସ୍ପଦ। ନବଜ୍ୟୋତି ନିଜର ଅନୁବାଦ ପାଇଁ ପ୍ରସିଦ୍ଧ, ଏହା ସଭିଏଁ ଜାଣନ୍ତି। କନକମଞ୍ଜରୀଙ୍କ ଅଭିଯୋଗ ଉଦ୍ଦେଶ୍ୟପ୍ରଣୋଦିତ ଏବଂ ପେନ୍ ଇନ୍ ବୁକ୍ସ ପ୍ରତି ଓ ନବଜ୍ୟୋତିଙ୍କ ପ୍ରତି ଅପମାନଜନକ ମଧ୍ୟ।
-------
ସୁଅ ମୁହଁରେ ପଥର ବି ପତର ପାଲଟିଯାଏ। ନହୁରୁଣୀ ଦେଖିଲେ ନଖ ନଥିବା ଲୋକ ବି ପାଦ ବଢ଼ାଇଦିଅନ୍ତି। ତିରୋଟ ସମୟରେ ହିଁ ଲୋକେ ଆଖି ତରାଟନ୍ତି। ଆମର ଲେଖକ ଓ ପାଠକ ବନ୍ଧୁମାନଙ୍କ ମଧ୍ୟରୁ କେହିକେହି ଏବେ ଏଭଳି ଆଚରଣ କରିବା ସ୍ବାଭାବିକ ଏବଂ ଆମେ ଏଭଳି ଆଚରଣକୁ ଆମ ଅନୁଷ୍ଠାନର ଅଗ୍ରଗତିରେ ବାଧକ ମନେ ନକରି ଆହ୍ବାନ ଭାବରେ ଗ୍ରହଣ କରୁଛୁ। ଆପଣମାନଙ୍କ ତାଳି ଓ ପିଠିଥାପୁଡ଼ା ସାଙ୍ଗକୁ ସମାଲୋଚନା ଓ ଗାଳି ବି ଆମ ପାଇଁ ଗୁରୁତ୍ବପୂର୍ଣ୍ଣ।
ଏଇଠି କହିରଖୁ, ୨୦ ବର୍ଷ ତଳେ ଓଡ଼ିଶାର ପ୍ରାୟ ପ୍ରକାଶନ ସଂସ୍ଥା ଭଳି ଆମେ ମଧ୍ୟ ଏକ ସେଲ୍ଫପବ୍ଲିଶିଂ (ଲେଖକ ନିଜ ଖର୍ଚ୍ଚରେ ପୁସ୍ତକ ଛାପିବା) ସଂସ୍ଥା ଭାବରେ ଉଭା ହୋଇଥିଲୁ। କିନ୍ତୁ ୨୦୨୦ ଠାରୁ ଆମେ ପାଣ୍ଡୁଲିପି ପସନ୍ଦ ନହେଲେ ଫେରାଇବୁ, ଆଦୌ କୌଣସି ଅର୍ଥ ନନେଇ ପୁସ୍ତକ ଛାପିବୁ, ଲେଖକଙ୍କୁ ରାଜଭାଗ ଦେବୁ, ପୁସ୍ତକ ବିକ୍ରି କରି ରୋଜଗାର କରିବୁ ଏବଂ ଅନୁଷ୍ଠାନରେ ଦକ୍ଷ କର୍ମଚାରୀ ରଖି ପ୍ରକାଶକୀୟ ଦକ୍ଷତା ବଢ଼ାଇବାକୁ ବଦ୍ଧପରିକର ହୋଇଥିଲୁ।
ଏଇ ୫ ବର୍ଷ ଭିତରେ ସେ ଦିଗରେ ଆମେ କିଛି ଆଗେଇଛୁ, କିଛି ଝୁଣ୍ଟିଛୁ ଏବଂ ଏଇଭଳି କିଛି ସମାଲୋଚନାର ଶିକାର ବି ହୋଇଛୁ। କିନ୍ତୁ ଆମ ନିଷ୍ପତ୍ତିରେ ଆମେ ଅଟଳ ଅଛୁ। ୨୦୨୩ରୁ ଆମେ ରାଜଭାଗ ଦେବା ଆରମ୍ଭ କରିଛୁ। କେବଳ କନକମଞ୍ଜରୀ ନୁହନ୍ତି, ଯେଉଁମାନଙ୍କର ପୁସ୍ତକ ଆମେ ପ୍ରକାଶ କରିବାକୁ ଅସମର୍ଥ ବୋଲି କହିଛୁ, ସେମାନଙ୍କ ରୋଷର ଶିକାର ବି ହୋଇଛୁ। ଏପରିକି ଆମଠାରୁ ପୁସ୍ତକ କିଣିଥିବା କିଛି ଲେଖକ ପରେ ତାହାକୁ ଅର୍ଥ ଦେଇ ପୁସ୍ତକ ଛାପିଛନ୍ତି ବୋଲି କହିବା ଲାଗି ପ୍ରମାଣ ଭାବେ ବ୍ୟବହାର କରିଛନ୍ତି।
--------
କନକମଞ୍ଜରୀ ଏବଂ ତାଙ୍କର ଅଭିଯୋଗକୁ ଆଖିବୁଜି ସତ୍ୟ ବୋଲି ଭାବିନେଉଥିବା ବନ୍ଧୁମାନଙ୍କ ଗୋଚରାର୍ଥେ ଆମେ ଏଠାରେ କେତେଜଣ ଜଣାଶୁଣା ଅନୁବାଦକଙ୍କ ନାମ ଉଲ୍ଲେଖ କରୁଛୁ, ଯେଉଁମାନଙ୍କ ପାଣ୍ଡୁଲିପି ପେନ୍ ଇନ୍ ବୁକ୍ସ ପ୍ରକାଶ କରିଛି। ସେମାନଙ୍କଠାରୁ ଟଙ୍କାଟିଏ ନେବା ଦୂରର କଥା, ସେମାନଙ୍କୁ ସୌଜନ୍ୟ ପୁସ୍ତକ ଦେବା ସହ କେତେଜଣଙ୍କୁ ରାଜଭାଗ ମଧ୍ୟ ପ୍ରଦାନ କରାଯାଇଛି।
ଗୌରହରି ଦାସ (୧), ସଂଗ୍ରାମ ମହାପାତ୍ର (୧), ଚିନ୍ମୟ ହୋତା (୨), ପଞ୍ଚମୀ ମାନୁ ଉକିଲ (୧), ହିରଣ୍ମୟୀ ମିଶ୍ର (୧), ତପନ କୁମାର ପଣ୍ଡା (୩), ନବଜ୍ୟୋତି ରାୟ (୨), ପବିତ୍ର ମୋହନ କର (୧), ବଙ୍ଗାଳୀ ନନ୍ଦ (୨), ଶରତ କୁମାର ଆଚାର୍ଯ୍ୟ (୨) ଓ ବିକାଶ ରଂଜନ ଓଝା (୨)
-------
୨୦୨୩ ଓ ୨୦୨୪ ବର୍ଷରେ ଆମେ ୪୪ ଜଣ ଲେଖକଙ୍କୁ ରାଜଭାଗ ପ୍ରଦାନ କରିଛୁ। ସେମାନଙ୍କ ଭିତରେ ୨ ହଜାର ଟଙ୍କା ଗ୍ରହଣ କରିଥିବା ଲେଖକ ଅଛନ୍ତି, ୨୦ ହଜାର ଟଙ୍କା, ୫୦ ହଜାର ଟଙ୍କା, ୧ ଲକ୍ଷ ଟଙ୍କା ଏବଂ ୨ ଲକ୍ଷ ଟଙ୍କା ପାଇଥିବା ଲେଖକ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଥିବା ଓଡ଼ିଆ ଲେଖକଙ୍କ ତାଲିକା ଏଠାରେ ଦେଉଛୁ।
ଦେବଦାସ ଛୋଟରାୟ, ଦାଶ ବେନହୁର, ସଂଗ୍ରାମ ମହାପାତ୍ର, ଗୌରହରି ଦାସ, ଅପର୍ଣ୍ଣା ମହାନ୍ତି, ଅଜୟ ସ୍ବାଇଁ, ନାରାୟଣ ସାହୁ, ପ୍ରକାଶ ପଟ୍ଟନାୟକ, ବିରଜା ମହାପାତ୍ର, ରକ୍ଷକ ନାୟକ, ଅଖିଳ ମିଶ୍ର, ତପନ କୁମାର ପଣ୍ଡା, ରତ୍ନମାଳା ସ୍ବାଇଁ, ନବଜ୍ୟୋତି ରାୟ, ସଂଯୁକ୍ତା ମହାପାତ୍ର, ଚନ୍ଦ୍ରଶେଖର ଦାଶ, ହାଡ଼ିବନ୍ଧୁ ମହାଖୁଡ଼, ସତ୍ୟବ୍ରତ ରାଉତ, ହରିହର ପଣ୍ଡା, ପଞ୍ଚାନନ ଦାଶ, ଅନୀଲ ଧୀର, ରବିନାରାୟଣ ଦାଶ, ବଳରାମ ପୂଜାରୀ, ଭୁବନେଶ୍ବରୀ ପଣ୍ଡା, ପଣ୍ଡିତ ରାମାରାଓ ପାତ୍ର, ରୁଦ୍ରପ୍ରସନ୍ନ ରଥ, ଭାସ୍କର ପରିଚ୍ଛା, ଅଜିତ କୁମାର ମିଶ୍ର, ଅଜିତ ମହାନ୍ତି, ରଞ୍ଜନ ପ୍ରଧାନ, ଜ୍ଞାନୀ ଦେବାଶିଷ ମିଶ୍ର, ରୁଦ୍ରପ୍ରସନ୍ନ ରଥ, ବିଭୁ ହୋତା, ରଶ୍ମି ମିଶ୍ର, ସୁଷମା ଦାଶ, ଅକ୍ଷୟ କୁମାର ମିଶ୍ର, ଅଙ୍କିତା ସାହୁ, ଅଳଙ୍କାର ଆଚାର୍ଯ୍ୟ, ସ୍ବରୂପ କୁମାର ନାୟକ ଓ ସୁବ୍ରତ ସେନାପତି।
୨୦୨୫ ମସିହା ପାଇଁ ମଧ୍ୟ ୨୭ ଜଣ ଲେଖକ ରାଜଭାଗ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ନେଇ ବାରାନ୍ତରେ ଲେଖିବୁ।
-------
ଓଡ଼ିଶାରେ ପ୍ରକାଶନ ଶିଳ୍ପ ରୁଗ୍ଣ, ପୁସ୍ତକ ବିକ୍ରି ହେଉନାହିଁ, ଲେଖକ ନିଜେ ଅର୍ଥ ଖର୍ଚ୍ଚ କରି ପୁସ୍ତକ ପ୍ରକାଶ କରୁଛନ୍ତି ବୋଲି ଅଭିଯୋଗ ଆଦୌ ଅମୂଳକ ନୁହେଁ। ଯେଉଁ ପ୍ରକାଶନ ସଂସ୍ଥା ଅର୍ଥ ନେଉଛନ୍ତି ଏବଂ ଯେଉଁମାନେ ଦେବା ପାଇଁ ଆଗଭର ହେଉଛନ୍ତି ସେମାନେ ମଧ୍ୟ ନିଜ ନିଜ ସ୍ଥାନରେ ଠିକ। କାରଣ ଜଣଙ୍କ ପାଇଁ ଏହା ବୃତ୍ତି ଏବଂ ଅନ୍ୟ ଜଣଙ୍କ ପାଇଁ ଏହା ଆଲୋକିତ ହେବାର ଏକ ମାଧ୍ୟମ।
କିନ୍ତୁ ଆମେ ଏ ପରମ୍ପରାରେ ବିଶ୍ବାସୀ ନୁହଁ। ବ୍ୟାଙ୍କ୍ରୁ ମୋଟା ଅଙ୍କର ଋଣ ଆଣି ପୁସ୍ତକ ପ୍ରକାଶନରେ ପୁଞ୍ଜି ଲଗାଇବା, ପାଠକଗୋଷ୍ଠୀକୁ ପୁଣି ପୁସ୍ତକ ମୁହାଁ କରାଇବା, ଲେଖକଙ୍କୁ ଓ ଲେଖାକୁ ଗୁରୁତ୍ବ ଦେବା, ଖବରକାଗଜ ଓ ପତ୍ରିକାରେ ପୁସ୍ତକର ବିଜ୍ଞାପନ ଦେବା, ପୁସ୍ତକ ବିକ୍ରି ଓ ବ୍ୟବସାୟ ବଢ଼ାଇବା, ଲେଖକଙ୍କୁ ରାଜଭାଗ ପ୍ରଦାନ କରିବା ସର୍ବୋପରି ଓଡ଼ିଆ ପୁସ୍ତକ ପ୍ରକାଶନକୁ ଏକ ଶିଳ୍ପରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଚାଲିଛି ଏବଂ ଆଗକୁ ମଧ୍ୟ ଏ ଧାରା ଚାଲୁ ରହିବ।
ସୃଜନକୁ ବ୍ୟବସାୟ କରିଛୁ ଯେତେବେଳେ, ଆପଣମାନଙ୍କର ଶୁଭେଚ୍ଛା ଓ ଭର୍ତ୍ସନା ଉଭୟ ଆମର ପ୍ରାପ୍ୟ। ଧନ୍ୟବାଦ।
PEN IN BOOKS