21/07/2025
ସଂସଦରେ ୱାକଫ ବୋର୍ଡ ସଂଶୋଧନ ଆଇନକୁ ଯେଉଁ ବିଜେଡି ସାଂସଦମାନେ ସମର୍ଥନ ଦେଇଥିଲେ ଓ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ ସେମାନେ ଏବେ କହୁଛନ୍ତି ଆଜିଠାରୁ ଆରମ୍ଭ ହୋଇଥିବା ସଂସଦ ଅଧିବେଶନରେ ବିରୋଧୀଙ୍କ ସହ ଠିଆ ହୋଇ ସରକାରଙ୍କ ବିରୋଧରେ ଯେଉଁ ସବୁ ପ୍ରସଙ୍ଗ ଆସିବ ତାହାକୁ ଆଖିବୁଜି ସମର୍ଥନ ଦେବେ । ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି । ତେଣୁ, ଏହି ପ୍ରସଙ୍ଗରେ ସେମାନେ ସଂସଦରେ ଓଡ଼ିଶା ସରକାରଙ୍କ ସହ କେନ୍ଦ୍ରରେ ଥିବା ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାରକୁ ଦାୟୀ କରି ଘେରିବେ । ୨୦୨୪ ସଧାରଣ ନିର୍ବାଚନରେ ବିଜେଡି ଲୋକସଭାର ୨୧ ଆସନରୁ (ଓଡ଼ିଶାର) ଗୋଟିଏ ହେଲେ ଜିତିନି । ରାଜ୍ୟସଭାର ୦୯ ଆସନରେ ଜିତିଥିଲେ ମଧ୍ୟ ସେଥିରୁ ଦୁଇ ଜଣ ନିର୍ବାଚନ ପରେ ପରେ ବିଜେଡିରୁ ଇସ୍ତଫା ଦେଇ ବିଜେପିକୁ ଚାଲି ଗଲେ ଓ ରାଜ୍ୟସଭାରୁ ଇସ୍ତଫା ଦେଇ ପୁଣି ବିଜେପିରୁ ପ୍ରାର୍ଥୀ ହୋଇ ରାଜ୍ୟସଭାରେ ପହଂଚି ଗଲେ । ଆଉ ଯେଉଁ ସାତ ସାଂସଦ ବିଜେଡିର ରହିଲେ ସେମାନଙ୍କ ମଧରୁ ଜଣେ ୱାକାଫ ସଂଶୋଧନ ବିଲ୍ ବିରୋଧରେ ଭୋଟ ଦେଇଥିବା ବେଳେ ଜଣେ ଭୋଟ ଦେବାରୁ ବିରତ ରହିଲେ । ପାଞ୍ଚ ବିଜେଡି ସାଂସଦ ଦଳର ରାଜ୍ଯ ନେତୃତ୍ୱର ଅସ୍ପଷ୍ଟ ନୀତିର ସୁଯୋଗ ନେଇ ବିଲ୍ ସପକ୍ଷରେ ଭୋଟ ଦେଲେ । ବିଜେଡି ମୁଖିଆ ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରତିଶ୍ରୁତି ଦେଇଥିଲେ ଦଳ ସଂସଦରେ କେନ୍ଦ୍ର ସରକାର ଆଣିଥିବା ୱାକଫ ବୋର୍ଡ ସଂଶୋଧନ ଆଇନକୁ ବିରୋଧ କରିବ । ବିଜେଡି ସାଂସଦମାନଙ୍କୁ ମଧ୍ୟ ସଂସଦ ଅଧିବେଶନ ପୂର୍ବରୁ ସେହି ଅନୁସାରେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ, ଭୋଟ ପୂର୍ବରୁ ବିଜେଡି ମୁଖ୍ୟ କାହିଁକି ମତ ବଦଳାଇଲେ ଏବଂ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ଥିବା ଡ. ସସ୍ମିତ ପାତ୍ରଙ୍କ ମାଧ୍ୟମରେ ଦଳୀୟ ସାଂସଦଙ୍କୁ ବିବେକାନୁମୋଦିତ ଭୋଟ ଦେବାକୁ ବାଧ୍ୟ କଲେ ତାହା ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଯେଉଁ ପାଞ୍ଚ ବିଜେଡି ରାଜ୍ୟସଭା ସାଂସଦ ୱାକଫ ବୋର୍ଡ ସଂଶୋଧନ ଆଇନକୁ ରାଜ୍ୟସଭାରେ ସମର୍ଥନ ଦେଇଛନ୍ତି ସେମାନଙ୍କ ନାମ କାହାରିକୁ ଅଛପା ରହି ନାହିଁ । ବିଜେଡି ନେତୃତ୍ୱର ଏହି ଅସ୍ପଷ୍ଟ ନୀତି ବିରୋଧରେ ଦଳରେ ଯେଉଁ ନେତାମାନେ ବିଦ୍ରୋହ କରିଥିଲେ ସେମାନେ ଚାପରେ ପଡ଼ି ନିରବ ହୋଇ ଗଲେଣି। ଏବେ, ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେଉଛି । ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ପୁନଃ ସଂଗଠିତ ହେବା ସହ ବିଜେଡି ଅପେକ୍ଷା ଅଧିକ ଆକ୍ରମଣାତ୍ମକ ଥିବା ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି । କଂଗ୍ରେସ ଓଡ଼ିଶାରେ ନାରୀ ନିର୍ଯାତନା ବୃଦ୍ଧିକୁ ପ୍ରସଙ୍ଗ କରି ଆନ୍ଦୋଳନ ମାଧ୍ୟମରେ ରାଜନୈତିକ ଫାଇଦା ନେଇଯିବ ବୋଲି ଭୟରେ ବିଜେଡି ଚଳିତ ସଂସଦ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ସହ ଠିଆ ହେବ ବୋଲି ଘୋଷଣା କରିଛି । ତେବେ, ବିରୋଧୀ ବିଜେଡିକୁ କେତେଦୂର ବିଶ୍ୱାସକୁ ନେବେ, ତାହା ବଡ ପ୍ରଶ୍ନ ହୋଇଛି ।