24/02/2026
🔥*ଅନଳେ ଅରଣ୍ୟର ବିଳାପ*🌲
ଶ୍ୟାମଳ ସୌନ୍ଦର୍ଯ୍ୟେ ଶୋଭିତ କାନନ, ହସୁଥିଲା ଦିନେ ସୁଖେ,
ଅଗ୍ନିର ତାଣ୍ଡବେ ଆଜି ସେ ଜଳୁଛି, ପ୍ରଳୟ କାଳର ମୁଖେ।
ସବୁଜ ପଣତ ପାଉଁଶ ହେଲାଣି, ଉଠୁଛି ଆର୍ତ୍ତନାଦ,
ବନସ୍ତର ବୁକେ ଲେଖା ହୋଇଗଲା, ବିଷାଦର ଅପବାଦ ।।୧।। 😮
କାହା ଅଜାଣତେ କାହାର ପ୍ରମାଦେ, ଜଳିଲା ବିନାଶ ଶିଖା,
ପ୍ରକୃତି-ବୈଭବ ଭସ୍ମ ହୋଇଗଲା, ଭାଗ୍ୟେ ଅନ୍ଧାର ଲେଖା।
ପକ୍ଷୀର କାକଳି ନୀରବ ହୋଇଛି, ମରୁଛି ନିରୀହ ପ୍ରାଣ,
ନିଆଁର ଜିହ୍ୱା ଗ୍ରାସୁଛି ସବୁକୁ, କାହିଁ ଏହାର ନିର୍ବାଣ? ।।୨।। ☠️
ଔଷଧୀୟ ଲତା, ସୁବାସିତ ଗୁଳ୍ମ, ମୂଲ୍ୟବାନ ମହାଦ୍ରୁମ,
ଛାରଖାର ହୁଏ ନିମିଷକ ମଧ୍ୟେ, ବୃଥା ହୁଏ ପରିଶ୍ରମ।
ମାଟିର ଶକ୍ତି ଲୁଚି ଯାଏ ଆଜି, ଧରିତ୍ରୀ ହୁଏ କାତର,
ପରିବେଶ ମାତା ଶିଶୁ ପରି କାନ୍ଦେ, ପାଇ ଅନଳ ପ୍ରହାର ।।୩।। 🤑
ଅମ୍ଳଜାନର ବଳୟ ଭାଙ୍ଗଇ, ଘୋଟଇ ଅଙ୍ଗାର ଧୂଆଁ,
ଜୀବନର ପଥେ କଣ୍ଟକ ସାଜଇ, ଏଇ ନିଆଁ ଅମାନିଆ।
ବର୍ଷା ବି ଲୁଚଇ ଆକାଶ ମାର୍ଗରେ, ମରୁଡ଼ିର ଭୟ ମାଡ଼େ,
ଜଳବାୟୁ ଆଜି ବିପନ୍ନ ହୋଇଛି, ଦୁଃଖର କାହାଣୀ ବଢ଼େ ।।୪।।🌀
ହେ ମାନବ ! ଶୁଣ ପ୍ରକୃତିର ଡାକ, ବଞ୍ଚାଅ ସବୁଜ ବନ,
ନିଆଁରୁ ମୁକତି କରାଇବା ପାଇଁ, କର ଆଜି ଶପଥ ଗ୍ରହଣ।
ବୃକ୍ଷ ହିଁ ଜୀବନ, ଅରଣ୍ୟ ହିଁ ଆଶା, ଭୁଲିବାନି କେବେ ମୂଳ,
ସୁରକ୍ଷିତ ହେଉ ଧରଣୀ ଆମର, ହଟାଅ ଏ ଦାବାନଳ ।।୫।। 🙏
* ଅରୁଣ କୁମାର ମହାପାତ୍ର
(୨୪.୦୨.୨୬)