
17/04/2025
.in ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 109 ତମ ଜନ୍ମ ଜୟନ୍ତୀ ସାରା ରାଜ୍ୟରେ ପାଳନ ହେଉଛି । ସରକାରୀ ଓ ଦଳୀୟ ଭାବେ ବିଜୁ ଜୟନ୍ତୀ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ଓଡ଼ିଶା ବିଧାନସଭା ଓ ଶଙ୍ଖ ଭବନରେ ବ୍ୟାପକ ଭାବେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ବିଜୁ ବାବୁ ନବ ଓଡିଶାର ଜଣେ ନିର୍ମାତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ସରକାର କରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ:
ବିଧାନସଭାରେ ପ୍ରବାଦ ପୁରୁଷ ବିଜୁ ଜୟନ୍ତୀ ପାଳନ ହୋଇଛି । ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ଉପନେତା ଓ ଅନ୍ୟ ବରିଷ୍ଠ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ବିଜୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ନବ ଓଡ଼ିଶାର ଜଣେ ନିର୍ମାତା ହେଉଛନ୍ତି ବିଜୁ ବାବୁ । ଓଡ଼ିଶାକୁ ପୁର୍ନଗଠନ ସେ କରିଥିଲେ । ଓଡ଼ିଶାର ଶିଳ୍ପନୀତି ପ୍ରଥମେ ଆଣିବା ସହ ଓଡିଶାର ଶିଳ୍ପକୁ ବିଜୁ ବାବୁ ବହୁତ ଆଗକୁ ନେଇଥିଲେ । ଜଣେ ବରପୁତ୍ର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ ତାଙ୍କ ଅବଦାନ ଅତୁଳନୀୟ । ବିଜୁଙ୍କ ସ୍ୱପ୍ନ ଓ ଶିଳ୍ପନୀତିକୁ ଆଗକୁ ନେବା ପାଇଁ ନୂଆ ସରକାର ପ୍ରୟାସ କରୁଛି । ବିଜୁ ବାବୁଙ୍କୁ ଯଥୋଚିତ ସମ୍ମାନ ସହ ତାଙ୍କ କାର୍ଯ୍ୟକ୍ରମ ଆଗକୁ ନେବାକୁ ଚେଷ୍ଟା କରିବୁ ।"
ବିଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପୁଅ ନବୀନ :
ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ବିଜୁ ବାବୁଙ୍କ 109 ତମ ଜୟନ୍ତୀ ପାଳନ ହୋଇଛି । ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଛନ୍ତି । ନବୀନ କହିଛନ୍ତି, "ଓଡିଶାବାସୀଙ୍କ ପ୍ରିୟ ନେତା, ମହାନ ଜନନାୟକ, ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁ ବାବୁ । ଏ ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡିଆଙ୍କ ଛାତି ଗର୍ବରେ ଫୁଲି ଉଠେ । ମନରେ ସାହାସ ଆସେ । ବିଜୁ ବାବୁଙ୍କ ଛବି ଦେଖିଲେ ସାହସ ଏବଂ କରୁଣାରେ ପରିପୂର୍ଣ୍ଣ ବିଶାଳ ହୃଦୟ ଥିବା ଜଣେ ଉଚ୍ଚ ପୁରୁଷଙ୍କ ଚିତ୍ର ଆମ ମନକୁ ଆସେ । ସେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ପାଇଁ ବିଶ୍ୱାସର ସ୍ତମ୍ଭ ଥିଲେ ।
odia24.in