19/10/2025
🔥 ପିତୃପକ୍ଷ, ଆମର ପୂର୍ବପୁରୁଷ ଙ୍କ ପାଇଁ ଶ୍ରଦ୍ଧା ର ପର୍ବ 🔥
🔱🛑 🌷🕉 🌷 🛑🔱
ଗୟା ଓ ବ୍ରହ୍ମକପାଳ ପ୍ରଭୃତି ପୁରାଣପ୍ରସିଦ୍ଧ ପିତୃତୀର୍ଥରେ ପୂର୍ବପୁରୁଷଙ୍କର ମୁକ୍ତି ନିମନ୍ତେ ଶ୍ରାଦ୍ଧ ଓ ତର୍ପଣ ଆଦି କରାଯାଏ। କିନ୍ତୁ ଏପରି ପିତୃତୀର୍ଥ ମଧ୍ୟରେ ପୁରୀ ପରିଗଣିତ କି? ‘ପିତୃପକ୍ଷ’ ଅବସରରେ ଏ ପ୍ରଶ୍ନଟି ପ୍ରାସଙ୍ଗିକ ମନେହୁଏ। ଏହାର ଉତ୍ତର ଦେଇ ‘ଶ୍ରୀଜଗନ୍ନାଥ ତତ୍ତ୍ୱ ସମୀକ୍ଷା’ ପୁସ୍ତକରେ ପଣ୍ଡିତ ସଦାଶିବ ରଥଶର୍ମା କହିଛନ୍ତି- ‘ବିଷ୍ଣୁସ୍ମୃତି’ ଓ ‘ହାରିତସ୍ମୃତି’ ପରି ଦୁଇ ପ୍ରାଚୀନ ଧର୍ମଗ୍ରନ୍ଥ ‘ନୀଳାଚଳ’କୁ ପିତୃତୀର୍ଥ ବୋଲି ଘୋଷଣା କରିଛନ୍ତି। ଏହି ସ୍ମୃତି ଯାଜ୍ଞବଳ୍କ୍ୟଙ୍କ ସମର୍ଥିତ ଧର୍ମଗ୍ରନ୍ଥ ଏବଂ ଏହା ସୁପ୍ରାଚୀନ। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରୁ ଏହି ମତ ପ୍ରଚଳିତ ଅଛି।
‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ର ୨୦ ଅଧ୍ୟାୟରେ, ‘ଇନ୍ଦ୍ରଦ୍ୟୁମ୍ନ ସରୋବର’ର ରହସ୍ୟ ବର୍ଣ୍ଣନା ପ୍ରସଙ୍ଗରେ ମଧ୍ୟ ଏହା ସ୍ୱୀକୃତ ହୋଇଛି। ଜୈମିନୀ ଋଷି କହିଛନ୍ତି- ଇନ୍ଦ୍ରଦ୍ୟୁମ୍ନ ତୀର୍ଥରେ ସ୍ନାନ ଏବଂ ପିତୃ ଓ ଦେବତାମାନଙ୍କର ତର୍ପଣ ବିଧିମତେ ସଂପାଦନ କଲେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳେ। ଏହି ସରୋବର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ। ମାନବଗଣ ସେହି ସ୍ଥଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କଲେ, କୁଳର ୨୧ ପୁରୁଷଙ୍କୁ ଉଦ୍ଧାର କରନ୍ତି ଏବଂ ନିଜେ ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି। ଅଶ୍ୱମେଧ ଯଜ୍ଞରୁ ସୃଷ୍ଟି ହୋଇଥିବା ଏହି ସରୋବରଠାରୁ ଶ୍ରେଷ୍ଠତୀର୍ଥ ଅନ୍ୟ କେଉଁଠାରେ ନାହିଁ।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ଏହି ‘ସ୍କନ୍ଦପୁରାଣ’ର ୩୦ ଅଧ୍ୟାୟରେ କୁହାଯାଇଛି। ଜୈମିନୀ ଋଷି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବାର ଉପାୟ ସୂଚାଇ, ତାଙ୍କୁ ‘ଦ୍ରବରୂପୀ ତୀର୍ଥରାଜ’ ବା ‘ତରଳତୀର୍ଥ’ ବୋଲି କହିଛନ୍ତି। ସେହି ପ୍ରାର୍ଥନା ହେଉଛି- ହେ ଦେବଦେବ! ହେ ପ୍ରଭୋ ଜଗନ୍ନାଥ! ଆପଣ ହିଁ ସର୍ବତୀର୍ଥର ସୃଷ୍ଟିକର୍ତ୍ତା, ସର୍ବତୀର୍ଥମୟ ଓ ସର୍ବଦେବମୟ ଅଟନ୍ତି। ହେ ଦେବ! ମୁଁ ଯେଉଁ ତୀର୍ଥ ଜଳରେ ସ୍ନାନ କରୁଅଛି, ଆପଣଙ୍କ ପ୍ରସାଦରୁ ତାହା ସଫଳ ହେଉ। ଆପଣ କୃପାକରି ମୋତେ ଯଥାର୍ଥ ଫଳ ପ୍ରଦାନ କରନ୍ତୁ। ହେ ବିଭୋ! ଆପଣ ଯେ ଦ୍ରବରୂପୀ ତୀର୍ଥରାଜ ଅର୍ଥାତ୍ ତରଳତୀର୍ଥ ଏଥିରେ ସନ୍ଦେହ ନାହିଁ। ହେ ନାଥ! ଆପଣଙ୍କୁ ନମସ୍କାର। ମୁଁ ଏହି ଘୋର ସଂସାରରୂପକ ପାପ ଆଳୟରେ ଆବଦ୍ଧ ରହିଅଛି। ମୋତେ ପରିତ୍ରାଣ କରନ୍ତୁ!
🍀🌻☘️🌻☘️🌻☘️🌻☘️
ଶରୀର ତ୍ୟାଗ କରିବା ପରେ କେଉଁଆଡ଼େ ଯାଏ ଆତ୍ମା?
ଶରୀର ତ୍ୟାଗ କରିବା ପରେ କେଉଁଆଡ଼େ ଯାଏ ଆତ୍ମା? ସତରେ କଣ ଏହା ଯମ ଲୋକ ବା ସ୍ୱର୍ଗ ଲୋକ ଯାଇଥାଏ ? ସତରେ କଣ ଆତ୍ମାର ମୃତ୍ୟୁ ନାହିଁ? ବ୍ୟକ୍ତିର ମୃତ୍ୟୁ ପରେ ପରିବାର ଲୋକେ ଦେଉଥିବା ଶ୍ରାଦ୍ଧ ତର୍ପଣ ଏକ ମୃତ ଆତ୍ମର କ’ଣ ବା କାର୍ଯ୍ୟରେ ଆସିବ। ଏଭଳି ଅନେକ ପ୍ରଶ୍ନ ବେଳେ ବେଳେ ମନକୁ ଆନ୍ଦୋଳିତ କରିଥାଏ । ତେବେ ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା…
ଶାସ୍ତ୍ର କହେ ଆତ୍ମା ଅମର, ତାହାର ମୃତ୍ୟୁ ନାହିଁ । ମଣିଷ ପୋଷାକ ବଦଳାଇବା ପରି ଆତ୍ମା ଶରୀର ବଦଳାଇଥାଏ। ତେବେ ମନରେ ପ୍ରଶ୍ନ ଆସେ ଆତ୍ମା ଯଦି ଗୋଟିଏ ଶରୀର ବଦଳାଇ ଆଉ ଏକ ଶରୀରରେ ପ୍ରବେଶ କରେ ତେବେ ଆତ୍ମା ଶାନ୍ତି ପାଇଁ ହେଉଥିବା ଏହି ଶ୍ରାଦ୍ଧ ପୁଣି କଣ ପାଇଁ?
ବେଦ ଅନୁଯାୟୀ, ଶରୀର ଛାଡିବା ପରେ ଯେଉଁମାନେ ତପ ଧ୍ୟାନ କରିଥାନ୍ତି ସେମାନେ ବ୍ରହ୍ମରେ ଲୀନ ହୋଇଯାଆନ୍ତି । ମୃତ ଶରୀର ତ୍ୟାଗ କରି ଆତ୍ମା ପୁନର୍ଜନ୍ମ ମଧ୍ୟ ଲାଭ କରିଥାଏ । ଜୀବିତ ବ୍ୟକ୍ତିର କର୍ମ ଅନୁଯାୟୀ ଏହାକୁ ଯୋନିରେ ସ୍ଥାନ ମିଳିଥାଏ । ଭଲ କର୍ମ କରିଥିଲେ ଦେବଲୋକ ନହେଲେ ନର୍କ ଲୋକ। ଆହୁରି ମଧ୍ୟ କୁହାଯାଇଛି ଆମେ ଅଗ୍ନିକୁ ଦେଉଥିବା ଅନ୍ନ ଜଳକୁ ଅଗ୍ନି ଆମ ପିତୃ ପୁରୁଷଙ୍କ ପାଖରେ ପହଞ୍ଚାଇ ତାଙ୍କୁ ତୃପ୍ତ କରିଥାନ୍ତି ।
ମୃତ୍ୟୁ ପରେ ଆତ୍ମା ପ୍ରେତ ଯୋନିରେ ଯିବାକୁ ଖରାପ ବୋଲି ଧରାଯାଏ । ଶ୍ରାଦ୍ଧ ଓ ତର୍ପଣ ଦ୍ୱାରା ପିତୃପୁରୁଷଙ୍କୁ ମୁକ୍ତି ମିଳିବାରେ ସହାୟତା ହୋଇଥାଏ । ଆମର ଯେଉଁ ପୂର୍ବଜମାନେ ପିତୃଲୋକ ଯାଇ ପାରନ୍ତି ନାହିଁ କିମ୍ବା ପୁନର୍ଜନ୍ମ ଲାଭ କରି ନଥାନ୍ତି ଏପରି ଅତୃପ୍ତ ଆତ୍ମାର ମୁକ୍ତି ଲାଗି ଶ୍ରାଦ୍ଧ ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ । ଏଭଳି କରିବା ଦ୍ୱାରା ଆତ୍ମା ପ୍ରେତ ଯୋନିରୁ ମୁକ୍ତି ପାଇ ମନୁଷ୍ୟ ଯୋନିରେ ଜନ୍ମ ନେଇଥାଏ ।
କୁହାଯାଏ ସ୍ୱର୍ଗଲୋକରେ ଆତ୍ମା ପହଞ୍ଚିବା ଅତି ସୈାଭାଗ୍ୟର କଥା । ସେଠାରେ ଆତ୍ମା ପହଞ୍ଚିବା ପରେ ସମସ୍ତ ଶୋକ ସନ୍ତାପରୁ ମୁକ୍ତ ହୋଇ କିଛି କାଳ ରହିବା ପରେ ପୁର୍ନବାର ମଣିଷ ଯୋନିରେ ଜନ୍ମ ନେଇଥାଏ । ଯେତେବେଳେ ଆମର ଏଠି ପିତୃପକ୍ଷ ଆରମ୍ଭ ହୁଏ ଆମର ପତୃଲୋକ ତାଙ୍କର ବଂଶଜକୁ ଦେଖିବା ପାଇଁ ଧରାପୃଷ୍ଠକୁ ଆସିବା ସହ ଶ୍ରାଦ୍ଧ ଗ୍ରହଣ କରି ଆଶିର୍ବାଦ ଦେଇ ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି ।
🍀🌻☘️🌻☘️🌻☘️🌻☘️