25/01/2022
କାନ୍ଧରେ ଗାମୁଛା ଖଣ୍ଡେ ପକେଇ ଡାକ ଛାଡି ଛାଡି ମଞ୍ଚ ଉପରେ ପ୍ରବେଶ କଲା ହରିଆ----ହେଇଟି ଗୁଡୁ ବୋଉ,ଏ କୁଆଡେ ଗଲୁ ବା ? ଏ ଦେଲୁ ଦେଲୁ । ମୁନ୍ଦାଏ ତୋରାଣି କାଞ୍ଜି ବାଢ଼ିଦେଲୁ, ମୁଁ ପେଟରେ ପକେଇ ଧାଇଁଯାଏ । ବେଳ ଆସି ଉଛୁର ହେଲାଣି । ବିଲରେ ସେଣେ କେତେ ପାଇଟି ।
****************
ଅଣ୍ଟାରେ ହାତ ଦେଇ ହଲି ଝୁଲି ବିଲକୁଲ ଜଣେ ୮୦ ବର୍ଷର ବୁଢ଼ୀ ପରି ନଇଁ ନଇଁ ମଞ୍ଚରେ ପ୍ରବେଶ କଲା ହରିଆର ସ୍ତ୍ରୀ କବିତା -----ଓଃ ହୋ ଗୁଡୁ ବାପା । ସକାଳୁ ସକାଳୁ କିଆଁ ଏତେ ତରତର । ଦେଖୁଛ ପରା ମୁଁ ବୁଢ଼ୀ ହେଲିଣି । ଆଉ କ'ଣ କାମକୁ ପାରୁଛି । ନିଆଁନଗା ଅଣ୍ଟା ଟା ଆଉ ସଳଖୁନି ବା , ତା ସାଙ୍ଗକୁ ଏ ଆଣ୍ଠୁଗଣ୍ଠି ଗୁଡା ଖାଲି କଟ କଟ ହେଇ ବିନ୍ଧୁଛି ।
ହରିଆ---କଅଣ କହିଲୁ ଗୁଡୁ ବୋଉ । ଏ ତୁ କେତେବେଳେ ବୁଢ଼ୀ ହେଲୁ । ଏଇ ଭୋଦୁଅକୁ ପା ତତେ ଚୌରାଳିସି ପୁରି ପଇଁଚାଳିସି ଚାଲିଲା ଆଉ କଥା କହୁଛୁ ୮୦ ବରଷର ବୁଢ଼ୀ ପରି ।
କବିତା--ନାଇଁ ହୋ ଗୁଡୁ ବାପା । ଭାରି ପୀଡା ଲାଗୁଛି ପରା । ସକାଳୁ ସକାଳୁ ଯୋଉ ପୀଡା ,ଆଉ ସହି ହେଉନି । କେତେ ଆଉ ଗାଁ ବଇଦ ପାଖକୁ ଯିବି ? କେତେ ଆଉ କବିରାଜି ଓସଦ ଖାଇବି ? ଏତେ ତ ଟଙ୍କା ପଇସା ଖରଚ କଲଣି । କାଇଁ ଏ ନିଆଁନଗା ବେମାରୀ କ'ଣ ମତେ ଛାଡିକି ଯାଉଛି ।
ହରିଆ--(କବିତାର ତଳଓଠକୁ ଟିକିଏ ଚିମୁଡ଼ି ଏପଟ ସେପଟ କରି)ହୋଉ ହୋଉ ଆଉ ମନଉଣା କର ନାହିଁ ଲୋ ମୋ ବୁଟିଫୁଲୁ । କାଆଲି ସକାଳୁ ତତେ ବଡ଼ ଡାକତରଖାନା ନେଇଯିବି । ସେଇଠି ବଡ ବଡ ଡାକତର ସବୁ ଅଛନ୍ତି । ତୋ ଦିହ ଭଲ କରିଦେବେ ।
******************
(ତାପର ଦିନ ଦୁହେଁ କଟକ ବଡ଼ ଡାକ୍ତରଖାନାରେ ଯାଇଁ ପହଁଚିଲେ)
କବିତା-ଏ ଗୁଡୁ ବାପା ଏଠି କ'ଣ ଏତେ ଭିଡ଼ ? ଏକା ଥରକେ ଚାରିଶହ କି ପାଞ୍ଚଶହ ରୋଗୀ ଠିଆ ହେଇଛନ୍ତି । ଏ ଆଜି ଆମେ ଡାକତର ବାବୁଙ୍କୁ ଦେଖେଇ ପାରିବା ତ ?
ହରିଆ-- ଆଲୋ ମୋ ସୁନ୍ଦରୀ ଗୁଡୁ ବୋଉ ଶୁଉଣୁ । ଏ ଡାକତର କ'ଣ ଏମିତି ସେମିତି ଡାକତର କି । ନାଁଇ ଲୋ , ମୁଁ ପରା ନୋକ ମାନଙ୍କଠାରୁ ଶୁଣିଛି , ଏଠି ସବୁ ରୋଗୀଙ୍କୁ ନଦେଖିବା ପର୍ଯ୍ୟନ୍ତ ଡାକତର ବାବୁ କୁଆଡେ ଯାଆନ୍ତିନି ମ । ରାତି ଦଅସ ହେଲେ ବି ସେ ଆମକୁ ଦେଖିବେ ଲୋ । ତୁ ଦେଖିବୁ ଆଜି ଆମେ ଦିହ ଦେଖେଇକି ଫେରିବା ଲୋ ।
କବିତା-(ହାତ ଯୋଡି ମୁଣ୍ଡରେ ଲଗାଇ) ହେ ମାଆ ସମଲେଇ ତମ ତୁଣ୍ଡ ସୁତୁଣ୍ଡ ହେଉ ।
ରୋଗୀର ନାମ ଡାକୁଥିବା ବ୍ୟକ୍ତି-- କବିତା ଭୋଇ....କବିତା ଭୋଇ....ଟିକେଟ ନମ୍ବର ୩୨୨..କବିତା ଭୋଇ
ହରିଆ--ଧଡପଡ ହେଇ---ହଇ ଲୋ ଗୁଡୁ ବୋଉ ,ଏ ଚାଆଲେ ଚାଆଲେ ଡାକିଲେଣି ପା ।
(ଦୁହେଁ ଭିତରକୁ ଗଲେ)
ଡାକ୍ତରଙ୍କ ସାମ୍ନାରେ ହାତ ଯୋଡି--ଆଜ୍ଞା ଓଳିକି ।
ଡାକ୍ତର---କୁହ ମାଆ କ'ଣ ହେଇଛି ତୁମର?
କବିତା--ଆଜ୍ଞା ଅଣ୍ଟା, ଆଣ୍ଠୁ ଗଣ୍ଠି ପୀଡା ହେଉଛି ।
ଡାକ୍ତର-କେବେଠୁ ହେଲାଣି ?
କବିତା--ଆଜ୍ଞା ବରଷେ ହେବ ପୀଡା ହେଉଛି ,ଯେତେ ଓସଦ ଖାଇଲେ ଜମା କମୁନି ।
ଡାକ୍ତର--କଣ ଔଷଧ ଖାଉଥିଲ ?
କବିତା--(କବିରାଜି ଔଷଧ ସବୁ କାନିରୁ ଫିଟେଇ ଦେଖେଇଲା)ଆଜ୍ଞା ଆମ ଗାଁ ବଇଦ ପାଖରୁ ଏଇସବୁ ଓସଦ ଖାଉଛି ।
ଡାକ୍ତର- ଏଇସବୁ ଖାଉଛ ! ଆଛା ହୋଉ । କହିଲ ଯୋଉ ଆଣ୍ଠୁ ଗଣ୍ଠି ପୀଡା ହେଉଛି କହୁଛ ତାହା କେଉଁ ସମୟରେ ହେଉଛି ? ମାନେ ସକାଳେ, ନା ରାତିରେ । ବେସି କାମ କରିବା ପରେ ନା ସବୁବେଳେ ?
କବିତା---ଆଜ୍ଞା ସକାଳେ ତ ଜମାରୁ ଉଠି ହେଉନି । ଭାରି ପୀଡା । ତାପରେ ବେଳେବେଳେ ଟିକିଏ କମୁଛି । ସିଡ଼ି ଚଢିପାରୁନି । ପାଇଖାନା ବସିପାରୁନି । ବସିକି ବାସନ ମାଜିଲେ ବି ପୀଡା ହେଉଛି ।
ଡାକ୍ତର--- ହୋଉ ବୁଝିଲି । କିଛିଟା ରକ୍ତ ପରୀକ୍ଷା ପାଇଁ ଲେଖିଦେଉଛି । ଯାଇକି ରକ୍ତ ପରୀକ୍ଷା କରି ରିପୋର୍ଟ ନେଇକି ଆସି ମତେ ଦେଖାଅ ।
(କବିତା ଓ ହରିଆ ବାହାରକୁ ବାହାରନ୍ତି ତ ସଙ୍ଗେ ସଙ୍ଗେ ଜଣେ ଦଲାଲ ହାବୁଡ଼ରେ ପଡିଗଲେ)
ଦଲାଲ--କ'ଣ blood test କରିବାପାଇଁ ଡାକ୍ତର କହିଲେ ? ହୋଉ ଆସ । ଡାକ୍ତରଖାନା ବାହାରେ ଖୁବ କମ ପଇସାରେ ଆଉ ଖୁବ କମ ସମୟରେ ଏସବୁ blood ପରୀକ୍ଷା ହେଇ ରିପୋର୍ଟ ମିଳିଯିବ ।
ହରିଆ--ବାବୁରେ ତୁ କିଏ ? ଆମେ ତ ଜାଣିପାରୁନି ।
ଦଲାଲ-ଓଃ ହୋ ମଉସା କାହିଁକି ଘାବରା ହୋଉଛ କହିଲ । ଏଇ ନିଅ କ ଦଳା ଦଳି କଦଳୀ ଗୋଟେ ଖାଅ । ମୁଁ ପରା ତମ ଗାଁ ପାଖ ଲୋକ । ଏ ମତେ ଜାଣିପାରୁନ । ମୁଁ ଏଠି ଚାକିରୀ କରିଛି ପା । ମୁଁ ଏଠିକୁ ଆସୁଥିବା ରୋଗୀମାନଙ୍କୁ ପୁରା ଭାଆବେ ରେ ଫିଟିଙ୍ଗ କରେ ମାନେ ସାହାଯ୍ୟ କରେ । ହୋଉ ଆସ । ଆଉ ଡେରି କରନି । ପରେ ବସି କଥାବାର୍ତ୍ତା ହେବା । ଆ ଆ ବୁଝିଲ ତମେ ଆଉ ହବନି । ଆସ ଆସ ଶୀଘ୍ର ଆସ । ନହେଲେ ସବୁ ଲ୍ୟାବ ବନ୍ଦ ହେଇଯିବ ଆଉ ଡାକ୍ତରମାନେ ପଳେଇବେ । ଆଉ ମାଉସୀକୁ ଦେଖେଇପାରିବନି ।
ହରିଆ--ହୋଉ ଚାଲେ । ଆଗେ ମାଉସୀ ଦେହ ଭଲ ହେଉ । ଭଗବାନ ତୋର ମଙ୍ଗଳ କରନ୍ତୁ ରେ ବାପା । ଏ ବିପଦ ସମୟରେ ସାହାଯ୍ୟ କରିବାକୁ ଆସିଛୁ । ଚାଲେ ଚାଲେ ସଅଳ ।
(କିଛି ସମୟ ପରେ ରିପୋର୍ଟ ନେଇ ଡାକ୍ତର ଦେଖୁଥିବା କୋଠରୀକୁ କବିତାର ପ୍ରବେଶ)
କବିତା--ଡାକ୍ତର ବାବୁ ! ଏଇ ନିଅନ୍ତୁ ରିପୋର୍ଟ ।
ଡାକ୍ତର---ଆରେ ବାଃ ,ଏତେ ଶୀଘ୍ର ରିପୋର୍ଟ ମିଳିଗଲା । ଯାହାହେଉ ମାଆ ଏତେ ଗହଳି ଭିତରେ ଏତେ ଶୀଘ୍ର ରିପୋର୍ଟ ନେଇଆସିଲ ।
କବିତା--ନାଇଁ ଆଜ୍ଞା ଭିଡ଼ ଜମା ନଥିଲା । ଏଇ ଆମେ ଦୁଇ କି ଚାରିଜଣ ଲୋକ ସେଠି ଥିଲୁ । ବାହାରେ ଦୁଇଜଣ ପୁଲିସିବାବୁ ବ ଅନ୍ଧୁ ଅନ୍ଧୁ କ ବନ୍ଧୁକ ଧରି ଠିଆ ହେଇଥିଲେ ଆଜ୍ଞା । ଭିତରେ ଥଣ୍ଡା ମେସିନି ବି ନାଗିଥିଲା । ଆମକୁ ଆରାମ ନାଗୁଥିବା ଗଦି ଚିଆରରେ ବସେଇ ଥଣ୍ଡା ପାଣି ଦେଲେ । ଆଉ କିଛି ସମୟ ପରେ ଆମ ରିପୋର୍ଟ ଦେଇ ଛାଡିଲେ ।
ଡାକ୍ତର- କୋଉଠି ଟେଷ୍ଟ କଲ କି ?
କବିତା- ତା ନାଁ ତ ଜାଣିନି ହେଲେ ଜଣେ ବାବୁ ଆମକୁ ଡାକ୍ତରଖାନା ବାହାରେ କମ ପଇସାରେ ରିପୋର୍ଟ କରେଇଦେଲେ ।
ଡାକ୍ତର--ଓଃ କେତେ ପଇସା ?
କବିତା --- ଆଜ୍ଞା ୧୨୦୦ ଟଙ୍କା । କହୁଥିଲେ ଆମର ୨୦୦୦ ଟଙ୍କା ହେଉଛି । ମୂଲଚାଲ ପରେ ୧୨୦୦ ଦେଲୁ ।
ଡାକ୍ତର-- ଆରେ ମାଆ ସରକାରୀ ନିରାମୟରେ ସବୁ ମାଗଣାରେ ଟେଷ୍ଟ ରିପୋର୍ଟ ହେଉଛି । ତମେ ବାହାରକୁ ଯାଇ ଏତେ ଖର୍ଚ୍ଚ କଲ ।
କବିତା--କଣ ହେଲା ,ଏସବୁ ଟେଷ୍ଟ ମାଗଣାରେ ହେଉଛି ? ସେ ପିଲା ଖଣ୍ଡକ ଏଡିକି ବାହାସ୍ପଟିଆ । ଆମକୁ ତାହାଲେ ଭୁଆଁ ବୁଲେଇ ଚିତା କାଟିଲା । ହୋଉ ଆଜ୍ଞା ଆମର ଦୁର୍ଭାଗ୍ୟ । ଏଇ ଦେଖନ୍ତୁ ଆମ ରିପୋର୍ଟ ।
ଡାକ୍ତର ରିପୋର୍ଟ ଉପରେ ନଜର ପକେଇ--ମାଆ ତୁମର ଅର୍ଥାଇଟିସ ଅଛି । ଔଷଧ ଠିକ ଭାବରେ ଖାଇଲେ ଧୀରେଧୀରେ କମିବ । ତଳେ ବସିବନାହିଁ । ସିଡ଼ି ଚଢ଼ିବ ନାହିଁ । ସବୁବେଳେ ଚେୟାର ବ୍ୟବହାର କରିବାକୁ ଚେଷ୍ଟା କରିବ କିମ୍ବା ଠିଆ ହେଇ କାମ କରିବାକୁ ଚେଷ୍ଟା କରିବ । କମୋଡ଼ ପାଇଖାନା ବ୍ୟବହାର କରିବ । ଆଉ ନିୟମିତ ଔଷଧ ଖାଇବ । ଏକ ମାସ ପରେ ଆଉଥରେ ଦେଖେଇବ ।
କବିତା --ଆଜ୍ଞା । ଆସୁଛି ଆଜ୍ଞା । ଓଳିକି ।
କବିତା ବାହାରକୁ ଆସି ହରିଆକୁ କହିଲା--- ହେଇଟି ଗୁଡୁ ବାପା ଡାକତର ବାବୁ ଭାରି ଭଲ । କେତେ ସମୟ ଧରି ପରୀକ୍ଷା ନିରୀକ୍ଷା କଲେ । ପୁରା ରୋଗର ଇତିହାସ ପଚାରିଲେ । ତାପରେ ଯାଇଁ କହିଲେ ନିୟମିତ ଓସଦ ଖାଇଲେ ମୋ ଦିହ ଭଲ ହେଇଯିବ । ପୁଣି ମାସେ ପରେ ଆସି ଦେଖେଇବାକୁ କହିଲେ ।
ହରିଆ--ମୁଁ କହୁନଥିଲି ଗୁଡୁ ବୋଉ , ଡାକତର ବାବୁ ଭାରି ଭଲ । ତୁ ଦେଖିବୁ ଲୋ ତୋ ଦିହ ଏକଦମ ଭଲ ହେଇଯିବ ।
************************
(ଏକମାସ ପରେ)
କବିତା-- ବୁଝିଲ ଗୁଡୁ ବାପା । ମତେ ଏବେ ଟିକିଏ ଆରମ୍ ଲାଗୁଛି । ହେଲେ ଡାକତର ବାବୁ କହିଥିଲେ ମାସେ ପରେ ଆଉ ଥରେ ଦେଖେଇବାକୁ । ଓସଦ ବି ସରିଗଲାଣି । କ'ଣ କରିବା ? କେମିତି ଯିବା ? କଟକ ଏଠୁ ଏତେ ଗୁଡ଼ାଏ ବାଟ । ପାଖରେ ପଇସାଟିଏ ନାହିଁ ଗାଡି ଭଡା ଦେବାକୁ ।
ହରିଆ-- ଆଲୋ ଗୁଡୁ ବୋଉ । ତୁ ତ କହୁଛୁ ତତେ ଏବେ ଟିକିଏ ଆରମ୍ ଲାଗିଲାଣି । ଏ ଆଉ କାହିଁକି ଯିବା ? ଓସଦ ଆଉ କଣ ହେବ ?
କବିତା--ହଁ ହଁ ଏ ଠିକ କଥା । ଏବେ ତ ମୁଁ ପୁରାପୁରି ଭଲ ହେଲିଣି । ଆଉ ଯିବାନି ।
**********************
ଦୁଇମାସ ପରେ--- ହରିଆ---ଆଲୋ ଗୁଡୁ ବୋଉ , ତୁ ତ କହୁଥିଲୁ ତୋ ଦିହ ଭଲ ହେଇଗଲାଣି ବୋଲି । ଏବେ କ'ଣ ପୁଣି ଭେଳିକି ଲଗେଇଛୁ ଲୋ । ଆଲୋ କ'ଣ ହେଲା ତୋର ?
କବିତା--ଭାରି ପୀଡା ରେ ଗୁଡୁ ବାପା । ଆଉ ସହି ହେଉନି । ଗୋଡ଼ ଗୁଡା ଫୁଲିଗଲାଣି । କ'ଣ କରିବା ?
ହରିଆ--ଆମେ ଡାକ୍ତର ବାବୁଙ୍କ କଥା ମାନିଲେନି । ଠିକ ସମୟରେ ଡାକ୍ତରଖାନା ଗଲେନି ।
ଏବେ କ'ଣ କରିବା ? ଅଣ୍ଟିରେ ପଇସାଟିଏ ନାହିଁ ଗାଡି ଭଡା ଦେବାକୁ । ପୁଣି ଓସଦପତ୍ର କେତେ କ'ଣ ଖରଚ ଅଛି ।
ହୋଇ ମୁଁ ଦେଖେ କୋଉଠୁ କିଛି ଧାର ଉଧାର କରି ଆଣେ । ତତେ କାଲି ଯେମିତି ହେଲେ କଟକ ନେଇକି ଯିବି ।
*****************
(ତାପରଦିନ ସକାଳରେ ଦୁହେଁ ବସରେ ବସି କଟକ ଆସିଲେ)
ଡାକ୍ତର ---ଆରେ ମାଆ ମାସେ ପରେ ଦେଖେଇବାକୁ କହିଥିଲି , ଦେଖେଇଲନି । ଆଉ ଏତେ ଅବସ୍ଥା ଖରାପ କରି ଆସିଛ । ଗୋଡ଼ ଫୁଲିଗଲାଣି ।
କବିତା--ଆଜ୍ଞା ଡାକତର ବାବୁ କ୍ଷମା କରିବେ । ଆମେ ତ ଗରିବ ଲୋକ । ଖଟିଲେ ଖାଇବୁ । ନହେଲେ ଉପାସ ରହିବୁ । ଦିନରେ ଦୁଇ ଓଳି ଚୁଲି ଜଳିବା ବି କଷ୍ଟ ଆମପାଇଁ । ସେଥିରେ ପୁଣି ଗାଡିଭଡା ଏତେ ଗୁଡ଼ାଏ ଟଙ୍କା । କୋଉଠୁ ଆଣିବୁ ଆଜ୍ଞା । ସେଇଥିପାଇଁ ଆସିପାରିଲୁନାହିଁ । ଏଇ ଅତିଶୟ ହେବାରୁ ମରଦ ମୋର ଧାର କରଜ କରି ଟଙ୍କା ଆଣିଲାରୁ କଟକ ଆସିବାକୁ ଅଣ୍ଟା ଭିଡ଼ିଲୁ । ନହେଲେ ତ ଘରେ ପଡି ମରିଥାନ୍ତି ।
ଡାକ୍ତର--ଆରେ ମାଆ ତମେ ସେଇଟି ରହିକି ବି ଆମକୁ ମାସକୁ ମାସ ଦେଖେଇ ପରିଥାନ୍ତ । ଆଉ ଏତେ ଟଙ୍କା ଗାଡ଼ିଭଡା ଦେଇ ଆସିବାକୁ ପଡିନଥାନ୍ତା ।
କବିତା--କେମିତି ଆଜ୍ଞା ?
ଡାକ୍ତର-- ଆମର ଏଠି ଗୋଟେ ଟେଲିମେଡିସିନର ସୁବିଧା ଅଛି । ମାନେ ଅନଲାଇନ ମାଧ୍ୟମରେ ଦୂରରେ ଥିବା ରୋଗୀ ତଥା ଡାକ୍ତରଖାନାକୁ ଆସିପାରୁନଥିବା ରୋଗୀମାନେ ଡାକ୍ତରଙ୍କ ସହ ଏହି ମାଧ୍ୟମରେ ପରାମର୍ଶ ନେଇ ଔଷଧ ଖାଇ ପାରିବେ ଏବଂ ଏହା ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଥିବା ସ୍ୱାସ୍ତ୍ୟକେନ୍ଦ୍ର ମାନଙ୍କରେ ଉପଲବ୍ଧ ଅଛି । ତମେ ବି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସେବା ପାଇପାରିଥାନ୍ତ । ଆହୁରି ମଧ୍ୟ ଟେଲିଫୋନ , whatsapp ଅଡିଓ କିମ୍ବା ଭିଡିଓ କଲ ମାଧ୍ୟମରେ ଦୂରରେ ଥିବା ରୋଗୀମାନଙ୍କୁ ପରାମର୍ଶ ଦିଆଯାଉଛି ।
କବିତା--ଏତେ କଥା ଅଛି ତାହାଲେ । ଆମେ ତ ମୁରୁଖ ଲୋକ । ଏତେ ହୁନ୍ଦର କେଉଁଠୁ ବା ଜାଣିବୁ । ଯାହାହେଉ ଏବେ ଆମ ଗରିବ ,ମଳିମୁଣ୍ଡିଆ ମାନଙ୍କର ଦୁଃଖ ଗଲା । ଏହା ତ ଖୁବ ସହଜ ଆଉ ଅଳ୍ପ ଅର୍ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିବାର ଉତ୍ତମ ମାଧ୍ୟମ । ଏହା ହେଉଛି ସଙ୍କଟ କାଳରେ ସଂଯୋଗର ସେତୁ ।
ଡାକ୍ତର--ହଁ ,ଏହି ଟେଲିମେଡିସିନ ଦ୍ୱାରା ଆଭ୍ୟନ୍ତରିଣ ଗାଁ, ଯେଉଁଠାରେ ଉନ୍ନତ ଚିକିତ୍ସା ଅପହଞ୍ଚ, ସେଭଳି ଲୋକେ ମଧ୍ୟ ଶଙ୍କାଗ୍ରସ୍ତ ନହୋଇ ଫୋନ ଯୋଗେ ପରାମର୍ଶ ନେଇପାରୁଛନ୍ତି। ଆଲୋଚନା ମାଧ୍ୟମରେ ଦୁଃସାଧ୍ୟ ରୋଗକୁ ମଧ୍ୟ ଭଲ କରାଯିବା ସହ ମାନସିକ ଚାପ ଓ ଆର୍ଥିକ ବୋଝ କମ କରାଯାଇପାରୁଛି ।