18/09/2024
ବଡଦାଣ୍ଡରେ ମାଳ ମାଳ ସପିଙ୍ଗ ମଲ,
ଦୁର୍ଘଟଣାରେ ଆଘାତ ହେଉଛି ମୁଣ୍ଡ - ପ୍ରଶାସନର ଖୋଲୁନି ତୁଣ୍ଡ ।
ପୁରୀ : ବଡଦାଣ୍ଡରେ ଦିନକୁ ଦିନ ଅଧିକ ସଂକ୍ଷକ ସପିଙ୍ଗ ମଲ, ହୋଟେଲ, ଲଜିଙ୍ଗ, କ୍ଲିନିକ ଖୋଲିବା ଯୋଗୁଁ ଏତେବଡ ବଡଦାଣ୍ଡ ସଂକ୍ରିନ ହୋଇଯାଉଛି । ବଡଦାଣ୍ଡ ଉପରେ ଶହ ଶହ ବାଇକ, କାର, ଅଟୋ ରଖିବା ଯୋଗୁଁ ଦୁର୍ଘଟଣା ଘଟୁଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସବୁ ଦେଖି ତୁଣ୍ଡ ନ ଖୋଲିବା ଯୋଗୁଁ ସହରବାସୀ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ କଲବଲ ହେଉଛନ୍ତି । ବେପାରୀଙ୍କ ଦଖଲକୁ ଚାଲିଗଲାଣି ବଡ଼ଦାଣ୍ଡ । କିଏ ନିଜର ବ୍ୟବସାୟିକ ପ୍ରତିଷ୍ଠାନର ପ୍ରଚାର କରିବା ପାଇଁ ହେଉ କି ଗାଡି ରଖି ବା ପାଇଁ ହେଉ ମାଡି ବସୁଛନ୍ତି ବଡ଼ଦାଣ୍ଡ ।କେବଳ ବଡ଼ଦାଣ୍ଡ ନୁହେଁ ପୁରୀ ସହରର ସବୁ ଗଳି କନ୍ଦି ରାସ୍ତା ବି ଛୋଟ ବଡ଼ ବେପାରୀଙ୍କ ଦଖଲରେ ରହିଗଲାଣି । ରାସ୍ତା ଉପରେ ବେପାର କରିବା ଦ୍ୱାରା ସହରର ଜନସାଧାରଣ ଓ ପର୍ଯ୍ୟଟକ, ଭକ୍ତ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି । ସହରରେ ଯେତେ ଗୁଡିଏ ବହୁତଳ ମାର୍କେଟ କମ୍ପ୍ଲେକ୍ସ ହେଇଛି ସେମାନଙ୍କର କାହାର ପାର୍କିଂ ଜାଗା ନାହିଁ । ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା ସମୟରେ ପୁରୀ କୋଣାର୍କ ଉନ୍ନୟନ ଅଥୋରୀଟି ପାଖରୁ ପ୍ଲାନର ଅନୁମତି ଆଣୁଛନ୍ତି । ସମସ୍ତଙ୍କର ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ଅଂଚଳ ପ୍ଲାନ ରେ ଥିବା ବେଳେ ପ୍ରକୁତରେ ପାର୍କିଂ ପାଇଁ ଜାଗା ନାହିଁ । ମାତ୍ର ତାହାର ଉଲଂଘନ କରି ସେଠାରେ ସମସ୍ତେ ଦୋକାନ ଘର ନିର୍ମାଣ କରିଥିବା ଦେଖିବାକୁ ମିଳୁଛି । ପୁରୀ ପୌରପାଳିକା, ନା ଜିଲା ପ୍ରଶାସନ ନା ପୋଲିସ ପ୍ରଶାସନ କେହି ଏହି ବେନିୟମ କାମକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ପ୍ରକାରନ୍ତରେ ଏହି ବେନିୟମ କାର୍ଯ୍ୟକୁ ପ୍ରସୟ ଦେଇଛନ୍ତି। ଟ୍ରାଫିକ ହେଉ କି ପି. କେ. ଡ଼ି. ଏ ସବୁ ଚୁପ ରହିବା କାରଣରୁ କିଛି ଭିତିରିଆ ସଲା ସୁତୁରା ଚାଲିଛି ବୋଲି ସହରରେ ଆଲୋଚନା ହେଉଛି । ଖାଲି ବଡ଼ଦାଣ୍ଡରେ ଥିବା ମାର୍କେଟ କମ୍ପ୍ଲେକ୍ସ ନୁହେଁ ବରଂ ସାହି ମାନଙ୍କରେ ଲଜିଙ୍କ, ହୋଟେଲ ବି ସର୍ବସାଧାରଣଙ୍କ ରାସ୍ତା ମାଡି ବସିଛନ୍ତି । ବଡ଼ଦାଣ୍ଡରେ ପ୍ରାୟ ୨୦ ଟି ଉର୍ଦ୍ଧ୍ବ ବଡ଼ ବଡ଼ ସପିଂ ମଲ ସର୍ବସାଧାରଣଙ୍କ ପାଇଁ ଉଦିଷ୍ଟ ରାସ୍ତା ଉପରେ ବେନିୟମ ଗାଡି ପାର୍କିଂ କରୁଛନ୍ତି । ବିପୋଲିସ, ଟ୍ରାଫିକ, ଜିଲା ପ୍ରଶାସନ, ପୌରପାଳିକା, ପି. କେ. ଡ଼ି. ଏ କେହି ଏହାର ସ୍ଥାୟୀ ପ୍ରତିକାର ପାଇଁ ଚିନ୍ତା କରି ନାହାନ୍ତି । ଗ୍ରାଣ୍ଡ ସେଣ୍ଟର, ସୂର୍ଯ୍ୟ କମ୍ପ୍ଲେକ୍ସ, ଶ୍ରୀହରୀ ଗ୍ରାଣ୍ଡ,ଵିଷ୍ଣୁ ଦର୍ଶନ, ଏମ ବଜ଼ାର, ନନ୍ଦିଘୋଷ ପ୍ଲାଜ଼ା, ଚନ୍ଦନ ବଜାର, ଏମ ବଜାର, ଗୁପ୍ତା ଇଲେକ୍ଟ୍ରୋନିକ୍ସ, ଭି. ମାର୍ଟ, ତ୍ରିମୂର୍ତୀ ହୋଟେଲ, ଖିମଜି ସୁନା ଦୋକାନ, ସହିତ ସହରରେ ଥିବା ମଣ୍ଡପ ଗୁଡିକ ମଧ୍ୟ ନିଜର ପାର୍କିଂ ସ୍ଥଳ ନ ରଖିବା ଫଳରେ ବିବାହ, ମାଙ୍ଗଳିକ କାର୍ଯ୍ୟ, ସଭା ସମିତି ସମୟରେ ସାଧାରଣ ଲୋକ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ପୋଲିସ ପ୍ରଶାସନ, ଜିଲା ପ୍ରଶାସନ, ପୌରପାଳିକା ଚୁପ ରହୁଥିବା ଅଭିଯୋଗ ହେଉଛି । ବାସିନ୍ଦା, ପର୍ଯ୍ୟଟକ, ଭକ୍ତ, ବୁଦ୍ଧିଜୀବି ଏହି ପ୍ରସଙ୍ଗ ରେ ତୁଣ୍ଡ ଖୋଲୁ ନାହାନ୍ତି । ଯୋଉ ବ୍ୟବସାୟିକ ପ୍ରତିଷ୍ଠାନ, ମଣ୍ଡପ, ହୋଟେଲ, ଲଜିଙ୍ଗମାନଙ୍କର ନିଜସ୍ୱ ପାର୍କିଂ ନାହିଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଜନତା ଦାବୀ କରିଛନ୍ତି ।