06/08/2026
ଗଞ୍ଜାମ ଜିଲ୍ଲା ସୋରଡା ହେଉଛି ମା' କନ୍ଧୁଣୀଙ୍କର ସବୁଠୁ ଜାଗ୍ରତ ପୀଠ ମଧ୍ୟରୁ ଗୋଟିଏ । ଏଠାକାର ଲୋକେ ତାଙ୍କୁ "ସୋରଡା ମା'" ବୋଲି ଡାକନ୍ତି ।
କିମ୍ବଦନ୍ତୀ ଅନୁଯାୟୀ କାହାଣୀ ହେଲା -
ବହୁ ବର୍ଷ ତଳେ ସୋରଡା ଅଞ୍ଚଳରେ ଘନ ଜଙ୍ଗଲ ଥିଲା । ସେତେବେଳେ ଏଠାରେ କନ୍ଧ ଜାତିର ଲୋକେ ରହୁଥିଲେ । ସେମାନଙ୍କ ମଧ୍ୟରେ ଜଣେ ଅତି ସାହସୀ ଓ ଦୟାଳୁ ଝିଅ ଥିଲେ - ନାଁ ତାଙ୍କର କନ୍ଧୁଣୀ । ସେତେବେଳେ ଗାଁରେ ମହାମାରୀ ଓ ବାଘ-ଭାଲୁଙ୍କ ଉପଦ୍ରବ ବଢିଯାଇଥିଲା । ଲୋକେ ଭୟରେ ଘରୁ ବାହାରୁ ନଥିଲେ । କନ୍ଧୁଣୀ ନିଜେ ଔଷଧୀ ଗଛ ଆଣି ରୋଗୀଙ୍କୁ ଚିକିତ୍ସା କରୁଥିଲେ ଏବଂ ରାତିରେ ପାହାରା ଦେଇ ଗାଁକୁ ରକ୍ଷା କରୁଥିଲେ । କୁହାଯାଏ ଥରେ ଡାକୁ ମାନେ ଗାଁ ଲୁଟିବାକୁ ଆସିଲେ । କନ୍ଧୁଣୀ ଏକୁଟିଆ ସେମାନଙ୍କ ସହ ଲଢି ଗାଁ ଲୋକଙ୍କୁ ବଞ୍ଚାଇଲେ । ସେହି ଲଢେଇରେ ସେ ଶହୀଦ ହୋଇଗଲେ । ତା'ପର ଦିନଠାରୁ ଯେଉଁଠି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେଠି ଗୋଟେ ସିନ୍ଦୂର ଲାଗିଥିବା ପଥରରୁ ଲୋକେ ଅଲୌକିକ ଆଲୋ ଓ ଶଙ୍ଖ ଧ୍ୱନି ଶୁଣିଲେ । ସେଦିନଠୁ ଲୋକେ ତାଙ୍କୁ ମା' କନ୍ଧୁଣୀ ଦେଇ ଭାବେ ପୂଜା କରିବା ଆରମ୍ଭ କଲେ ।
ସୋରଡା ପୀଠର ବିଶେଷତା ହେଉଛି ଠାକୁରାଣୀ ଏଠାରେ ମା' କଳା ପଥର ରୂପେ ପୂଜା ପାଆନ୍ତି । ତାଙ୍କ ପାଖରେ ତ୍ରିଶୂଳ ଓ ଖଣ୍ଡା ରହିଛି । ପୂଜା ମଙ୍ଗଳବାର ଓ ଶୁକ୍ରବାର ଦିନ ବହୁତ ଭିଡ ହୁଏ । ମାନସିକ କରି ଛେଳି, କୁକୁଡା ବଳି ଓ ଲାଲ ଶାଢି ଚଢାଯାଏ । ଯାତ୍ରା ଚୈତ୍ର ମାସରେ ଚୈତ୍ର ଯାତ୍ରା ଓ ଆଷାଢରେ ରଥ ଯାତ୍ରା ପରେ ବଡ ମେଳା ବସେ । ଦୂର ଦୂରାନ୍ତରୁ ଲୋକେ ଆସନ୍ତି । ଲୋକ ବିଶ୍ୱାସ କରନ୍ତି ମା' କନ୍ଧୁଣୀ ମାମଲା-ମୋକଦ୍ଦମା, ରୋଗ ଓ ସନ୍ତାନ ପ୍ରାପ୍ତିର ମନସ୍କାମନା ପୂରଣ କରନ୍ତି । ସୋରଡାର ଲୋକେ କୁହନ୍ତି - "ମା' ଆମ ଗାଁର ଝିଅ । ସେ ଆମକୁ କେବେ ଛାଡନ୍ତି ନାହିଁ" ।